ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଏଯାଏ ଆଶାନୁରୂପ ହୋଇପାରିନି। ସ୍ମାର୍ଟସିଟି ରାଉରକେଲାରେ ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ‌ଯେଭଳି ଗୁରୁତ୍ବ ଦେବାକଥା, ତାହା କିନ୍ତୁ ଦିଆଯାଉନି। ସ୍ବାସ୍ଥ୍ୟସେବା ଯୋଗାଇବାରେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ହିଁ ସହରବାସୀ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ। ୨୫ ବର୍ଷର ବିଜେଡି ଶାସନ ଅମଳରେ ନୂଆ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ ପାଇଁ ଏକାଧିକବାର ଘୋଷଣା କରାଯାଇଥିଲା। ଏମିତିକି ଖୋଦ୍‌ ମୁଖ୍ୟମନ୍ତ୍ରୀ ଶୀଳାନ୍ୟାସ ବି କରିଥିଲେ, କିନ୍ତୁ ସେସବୁ ପ୍ରହସନ ପାଲଟିଥିଲା। ବିଡ଼ମ୍ବନା ଏହା ଯେ, ରାଉରକେଲା ଓ ଆଖପାଖ ଅଞ୍ଚଳ ସମେତ ପଡ଼ୋଶୀ ଝାଡ଼ଖଣ୍ଡବାସୀଙ୍କ ଏକମାତ୍ର ବିକଳ୍ପ ପାଲଟିଥିବା ରାଉରକେଲା ସରକାରୀ ଡାକ୍ତରଖାନାର ଭିତ୍ତିଭୂମି ବି ବିକାଶ କରାଯାଇନଥିଲା। କେବଳ ରାଜ୍ୟ ସରକାର ନ‌ୁହେଁ, ବରଂ କେନ୍ଦ୍ର ସରକାର ମଧ୍ୟ ଏ ଦିଗରେ ବିହିତ ପଦେକ୍ଷପ ନେଇନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସତ୍ତ୍ବେ ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ମେଡିକାଲ କଲେଜ ସ୍ଥାପନ ହୋଇପାରିଲାନି। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ଘଟିଥିବାରୁ ସହରବାସୀଙ୍କ ଆଶା ବଢ଼ିଯାଇଛି। ତେବେ ଦୀର୍ଘ ଦିନର ସ୍ବପ୍ନ ନୂଆ ମେଡିକାଲ କଲେଜ ଓ ହସପିଟାଲ ପୂରଣ ହେବ ନା ନାହିଁ, ତାହା ସମୟ କହିବ।
Advertisment
ବାସ୍ତବରେ ରାଉରକେଲାରେ ନୂଆ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ ବିଜେଡିର କେବଳ ଏକ ରାଜନୈତିକ ପ୍ରସଙ୍ଗଭାବେ ସୀମିତ ରହିଛି। ୨୫ ବର୍ଷଧରି ନିରବଚ୍ଛିନ୍ନ ଶାସନ ସମୟରେ ଠିକ୍‌ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ପକ୍ଷରୁ ଶୀଳାନ୍ୟାସ ପର୍ବ କରାଯାଉଥିଲା। ଏସବୁ କେବଳ ପଥର ପୋତି ଭୋଟ୍‌ ହାତେଇବାକୁ ଏକ ପ୍ରୟାସ ଥିଲା। ୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୦୩ ଶେଷ ଆଡ଼କୁ ରାଜ୍ୟ ସରକାର ରାଉରକେଲାରେ ନୂଆ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଆର୍‌ଜିଏଚ୍‌ ପରିସରରେ ସ୍ଥାନାଭାବ ଦେଖାଦେବାରୁ ବାଲୁଘାଟରେ ମେଡିକାଲ କଲେଜ ଓ କୁଆରମୁଣ୍ଡାରେ ସରକାରୀ ଡାକ୍ତରଖାନା ନିର୍ମାଣ ପାଇଁ ଶୀଳାନ୍ୟାସ କରାଯାଇଥିଲା। ସେତେବେଳେ ଏହି ରାଜନୈତିକ ଗୋଟିଚାଳନା ହିଁ ନିର୍ବାଚନ ଫଳାଫଳ‌କୁ ପ୍ରଭାବିତ ମଧ୍ୟ କରିଥିଲା। କିନ୍ତୁ ନିର୍ବାଚନ ଶେଷ ହେବାପରେ ଏହି ପ୍ରକଳ୍ପକୁ ଭୁଲିଯାଇଥିଲେ ସରକାର। ଅବଶ୍ୟ, ପରବର୍ତ୍ତୀ ସମୟରେ ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ପୂରଣ କରିନଥିଲେ। ଏହାର ଠିକ୍‌ ଓଲଟା ଦେଖିବାକୁ ମିଳିଥିଲା ୨୦୦୯ ମସିହାରେ।
ରାଜ୍ୟ ସରକାର ସେତେବେଳେ ଆର୍‌ଜିଏଚ୍‌ର ବହୁମୂଲ୍ୟ ୨୦ ଏକର ଜମି ସହ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ହାଇଟେକ୍‌ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ ପାଇଁ ବିଜ୍ଞାନ ଭାରତୀ ଚାରିଟେବଲ ଟ୍ରଷ୍ଟ୍‌କୁ ଟେକିଦେଇଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ବିଜେଡି ସରକାରର ମନେପଡ଼ିଥିଲା ଆର୍‌ଜିଏଚ୍‌ ପ୍ରସଙ୍ଗ। ଏହି କ୍ରମରେ ଗତ ମାର୍ଚ୍ଚ ୨ ତାରିଖରେ ୬୬୦ କୋଟି ଅନୁମୋଦନ କରିଥିଲେ। ଟଙ୍କା ଦେଇଦେଲେ, ଏବେ କିନ୍ତୁ ଆର୍‌ଜିଏଚ୍‌ ସଂପ୍ରସାରଣ ପାଇଁ ଜମିର ଅଭାବ ବିରାଟ ସମସ୍ୟା ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଭଳି କେନ୍ଦ୍ର ସରକାରଙ୍କ ମଧ୍ୟ ନୂଆ ହସପିଟାଲ ସ୍ଥାପନ ପାଇଁ ପଦକ୍ଷେପ ଶୂନ। ୨୦୧୪ ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ପାତ ମେଡିକାଲ କଲେଜ ଓ ସୁପରସ୍ପେଶାଲିଟି ହସପିଟାଲ ପାଇଁ ଘୋଷଣା କରିଥିଲେ। ତେବେ ତାହା ମଧ୍ୟ ସମ୍ଭବ ହୋଇନି।
ସୁପରସ୍ପେଶାଲିଟି ହସପିଟାଲ ନିର୍ମାଣକରି ବେସରକାରୀ ସଂସ୍ଥା ଆପାଲୋକୁ ଏହାର ପରିଚାଳନା ଭାର ନ୍ୟସ୍ତ କରାଯାଇଛି। ତେବେ ଏଯାବତ୍‌ ମେଡିକାଲ କଲେଜ ନିର୍ମାଣ ହୋଇପାରିନଥିବାବେଳେ ନିକଟ ଭବିଷ୍ୟତରେ ମଧ୍ୟ ଏହା ସ୍ଥାପନ କରାଯିବାର ସମ୍ଭାବନା ପ୍ରାୟ କ୍ଷୀଣ। ଏମିତିକି କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବିତ ଇଏସ୍‌ଆଇ ମେଡିକାଲ କଲେଜ ଓ ୫ ଶହ ଶଯ୍ୟା ବିଶିଷ୍ଟ ହସପିଟାଲ ମଧ୍ୟ ସମ୍ଭବ ହୋଇପାରିନି। ୨୦୦୮ରୁ ୨୦୧୩ ଯାଏ ପ୍ରାୟ ୫ ବର୍ଷଧରି ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରାଉରକେଲାରେ ଉପଲବ୍ଧ ଜମି ନିରୀକ୍ଷଣ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ଦିଗକୁ ତୁହାକୁତୁହା ଆଲୋଚନା ପର୍ଯ୍ୟାଲୋଚନା କରାଯିବାସହ ଏକାଧିକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। କିନ୍ତୁ ଅନ୍ୟ ପ୍ରକଳ୍ପ ଭଳି ଏହି ମେଡିକାଲ କଲେଜ ଓ ହସପିଟାଲ ମଧ୍ୟ ରାଉରକେଲା ଭାଗରେ ପଡ଼ିନଥିଲା। ଏଣୁ ଏବେ ଅନ୍ତତଃ ଆର୍‌ଜିଏଚ୍‌ର ଦ୍ବିତୀୟ କ୍ୟାମ୍ପସ ସ୍ଥାପନକରି ସ୍ବାସ୍ଥ୍ୟସେବାର ମାନରେ ଉନ୍ନତି କରିବାର ଆବଶ୍ୟକତା ରହିଛି।