କେନ୍ଦ୍ର ସମୀକରଣରେ ପରିବର୍ତ୍ତନର ଏକ ଝଲକ
ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ ସୀମିତ ରହିଗଲା
କମିଟି ଗଠନ ବେଳଠୁ ଓଡ଼ିଶାରେ ଅସନ୍ତୋଷ
ଭୁବନେଶ୍ବର : ସମଗ୍ର ଦେଶ ଶନିବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କରିଛି। କେନ୍ଦ୍ର ସରକାର ଏହି ଦିବସକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ଏକ ସ୍ବତନ୍ତ୍ର ଉତ୍ସବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କିନ୍ତୁ ବିବାଦ ଭିତରେ ଛନ୍ଦି ହୋଇଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ଭାଷଣ ଦେଇନାହାନ୍ତି। ଏହା ପୂର୍ବରୁ ମମତା ସ୍ପଷ୍ଟ ଭାବରେ କହିଥିଲେ ଯେ ଏହି ଦିବସକୁ ଦେଶନାୟକ ଦିବସ ଭାବେ ସେମାନେ ପାଳନ କରିବେ। ଏହାକୁ ନେଇ ଜାତୀୟ ରାଜନୀତିରେ ଆଜି ଚର୍ଚ୍ଚା ଜୋର ଧରିଛି। ହେଲେ ଜାତୀୟ ରାଜନୀତିକୁ ଚମକାଇବା ଭଳି ଘଟଣା ଓଡ଼ିଶାରେ ଘଟିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ନେତାଜୀ ବସ୍ ଟର୍ମିନାଲର ଶୁଭ ଦେଇଛନ୍ତି। ନିଜେ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳନ କରାଯାଇଛି।
/sambad/media/post_attachments/wp-content/uploads/2021/01/mukhya-mantrinka-dwara-cuttack-netaji-bus-tarminal-ra-subharambha-6-scaled.jpg)
ତେବେ କୌତୂହଳ କଥା ହେଲା, କେନ୍ଦ୍ର ସରକାର ଆଜିର ଦିବସକୁ ପରାକ୍ରମ ଦିବସ ପାଳନ କରିବା ଲାଗି ଘୋଷଣା କରିଥିଲେ ହେଁ, ରାଜ୍ୟରେ ସରକାରୀ ଭାବେ କେଉଁଠାରେ ବି ପରାକ୍ରମ ଦିବସ ସଂପର୍କରେ କେହି କିଛି କହିନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ଯେଉଁ ଭାଷଣ ଦେଲେ, ସେଥିରେ ଏ ସଂପର୍କରେ ବିନ୍ଦୁ ବିସର୍ଗ ନାହିଁ। ତାଙ୍କ ଟ୍ବିଟ୍ରେ ବି। ଅପରାହ୍ନରେ ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବ ପରେ ସରକାରଙ୍କ ପ୍ରେସ ବିଜ୍ଞପ୍ତିରେ କେଉଁଠି ବି ଏହି ଶଦ୍ଦ (ପରାକ୍ରମ ଦିବସ) ସ୍ଥାନ ପାଇନାହିଁ। ଅର୍ଥାତ୍ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସରକାରଙ୍କ ବିଜ୍ଞାପନ କି ଭାଷଣରେ ମଧ୍ୟ ସ୍ଥାନ ପାଇନାହିଁ।
ରାଜନୈତିକ ମହଲ ଏହି କଥାଟିକୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ଗୋଟିଏ ମହଲର କହିବା କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗୋଟିଚାଳନା ଅନ୍ୟମାନଙ୍କ ପାଇଁ କାହିଁକି ଅନୁକରଣୀୟ, ତାହା ଏହି ଘଟଣାରୁ ଯେ କେହି ବୁଝିପାରିବେ। ପଶ୍ଚିମବଙ୍ଗରେ ଯେଉଁ କଥାଟିକୁ (କେନ୍ଦ୍ରର ନିଷ୍ପତ୍ତିକୁ ଅଗ୍ରାହ୍ୟ) ମମତା ଅତ୍ୟନ୍ତ ବିବାଦୀୟ ଢଙ୍ଗରେ କାର୍ଯ୍ୟକାରୀ କଲେ, ଓଡ଼ିଶା ଅତ୍ୟନ୍ତ ନିରବତାର ସହିତ ତାହା କରିଦେଖାଇଲା। କେହି କିଛି ବୁଝିପାରିଲେନି।
ଅନ୍ୟ ଗୋଟିଏ ମହଲ ମତ ରଖିଛନ୍ତି ଯେ ନେତାଜୀଙ୍କୁ ସାମ୍ନାରେ ରଖି ବିଜେପି ଓ କେନ୍ଦ୍ର ସରକାରଙ୍କ ଚାଲ୍କୁ ଓଡ଼ିଶା ସରକାର ଓ ବିଜେଡି ବୁଝିଛନ୍ତି। ଏଣୁ କୌଣସି ବିବାଦ ସୃଷ୍ଟି ନ କରି ନିଜେ ଏହି କାର୍ଯ୍ୟକ୍ରମକୁ ନିଜ ଢଙ୍ଗରେ କରିଛନ୍ତି। ଏକରକମ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ଡିସେମ୍ବର ମାସରୁ ବିଜେଡି ଯେଉଁ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛି, ଏହା ତାହାର ଅନ୍ୟତମ ଉଦାହରଣ।
/sambad/media/post_attachments/wp-content/uploads/2021/01/netaji-nka-janma-pithare-kendra-mantri-dharmendra-pradhan-6-scaled.jpg)
ଏହି ମହଲ ଆହୁରି କହିଛନ୍ତି ଯେ ନୂଆବର୍ଷରେ ନୂଆ ରଣନୀତି ନେଇ ବିଜେଡି ସାମ୍ନାକୁ ଆସିଛି। ଧାନ, ଚାଉଳ, ଚାଷୀ ଆଦି ଏକାଧିକ ପ୍ରସଙ୍ଗରେ ଉଭୟ ଦଳ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ନବୀନ ଏଭଳି ଗୋଟି ଚାଳନା କଲେ, ଯାହା ବିଜେପି ଶିବିର ପାଇଁ ଅବୁଝା ରହିଗଲା। ଆଜି ଜଣେ ବି ବିଜେପି ନେତା ଏ ସଂପର୍କରେ କିଛି ବି ପ୍ରତିକ୍ରିୟା ଦେଇନାହାନ୍ତି। ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ କେନ୍ଦ୍ରର ପରାକ୍ରମ ଦିବସ ସୀମିତ ରହିଗଲା।
ନବୀନଙ୍କ ଏଭଳି ଆଭିମୁଖ୍ୟ ପରୋକ୍ଷରେ ସଙ୍କେତ ଦେଉଛି ଯେ କେନ୍ଦ୍ର ସହିତ ରାଜ୍ୟର ପୂର୍ବ ସମୀକରଣରେ ଆପାତତଃ ପରିବର୍ତ୍ତନ ଆସିଛି।
ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ସରକାର ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଇଁ ଯେଉଁ କମିଟି ଘୋଷଣା କରିଥିଲେ, ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରମୋଦ କୁମାର ମିଶ୍ରଙ୍କୁ ସାମିଲ କରାଯାଇଥିଲା। ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା ରାଜ୍ୟରେ। ଅନ୍ୟ ରାଜ୍ୟର ସରପଞ୍ଚ ଏହି କମିଟିରେ ସ୍ଥାନ ପାଇଥିବା ବେଳେ ନେତାଜୀଙ୍କ ଜନ୍ମସ୍ଥାନ କଟକର ବିଧାୟକ କିଭଳି ଏଥିରେ ସାମିଲ ହେଲେନି ବୋଲି ଦଳ ପ୍ରଶ୍ନ ଉଠାଇଥିଲା।
ବିଜେଡି ଯଦିଓ ଏହି ଆରୋପ ପ୍ରତ୍ୟାରୋପରେ ବିଶେଷ ଭାଗ ନେଇନଥିଲା; କେନ୍ଦ୍ର ସରକାରଙ୍କ କମିଟି ଗଠନରେ ଓଡ଼ିଶାକୁ ଅବହେଳା ସଂକ୍ରାନ୍ତ ରାଜ୍ୟର ଅସନ୍ତୋଷର ଗଭୀରତାକୁ କିନ୍ତୁ ମାପିଛି। ଓଡ଼ିଶାରେ ନେତାଜୀଙ୍କ ବାଲ୍ୟାବସ୍ଥା ବିତିଥିଲେ ବି ଏ ନେଇ ରାଜ୍ୟକୁ ଯେତିକି ଗୁରୁତ୍ବ ରାଜ୍ୟକୁ ମିଳିବା କଥା ତାହା ମିଳିନାହିଁ। ଏପରିକି ଆଜି କେନ୍ଦ୍ର ସରକାର କୌଣସି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓଡ଼ିଶାରେ କରିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/naveen-patnaik-mukhya-mantrinka-dwara-cuttack-netaji-bus-tarminal-ra-subharambha.jpg)