ଭୁବନେଶ୍ବର: ୨୦୨୯ ମସିହା ବେଳକୁ ଓଡ଼ିଶାରେ କେହି ନିଜକୁ ଭୂମିହୀନ ବୋଲି କହିବାକୁ ରହିବେ ନାହିଁ। ସମସ୍ତଙ୍କ ପାଖରେ ଭୂମି ଅଧିକାର ରହିଥିବ। ଏହା ହୋଉଛି ଆମ ସରକାରର ଆହ୍ୱାନ ବୋଲି କହିଛନ୍ତି ରାଜସ୍ବ ଓ଼ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଯେତେ ଜମି ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି ସେ ସବୁ ଜମିକୁ ଚିହ୍ନଟ କରି ସେମାନଙ୍କୁ ଜମି ଯୋଗାଇ ଦିଆଯିବ ବୋଲି ଶ୍ରୀ ପୂଜାରୀ ଦୃଢ଼ୋକ୍ତି ଦେଇଛନ୍ତି। ଆଜି ଜୟଦେବ ଭବନଠାରେ ଆୟୋଜିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଭାରତରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୧ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜସ୍ବ ଆଇନରେ କରାଯାଉଥିବା ପରିବର୍ତ୍ତନ ଓ ସଂସ୍କାର ସମ୍ପର୍କରେ ଆଲୋକପାତ କରିଥିଲେ। 

Advertisment

ସନ୍ଥ ବିନୋବା ଭାବେ ଜୟନ୍ତୀ କମିଟିର ସଭାପତି ଜୟନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ‘ଭୂମି ଅଧିକାର ଓ ଭୂଦାନ’ ଶୀର୍ଷକ ଆଲୋଚନାଚକ୍ରରେ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି କହିଥିଲେ, ଆମେ ରାଜସ୍ବ ଆଇନକୁ ସରଳ କରିବାକୁ ପୂର୍ବରୁ ରଖାଯାଇଥିବା ୭୫୦୦ କିସମ ଜମିକୁ ୨୨ଟି କିସମରେ ସମ୍ମିଳିତ କରିଦେଇଛୁ। ସେହିଭଳି ୩୫୦୦ ସ୍ବତ୍ୱ ଥିବା ପଟ୍ଟାକୁ ୪ ଟି ସ୍ବତ୍ୱରେ ସୀମିତ କରିଛୁ। ଏଥିସହ ଅନୁସୂଚିତ ଜାତି ଓ଼ ଜନଜାତି ସମ୍ପ୍ରଦାୟର ଭୂମିକୁ ନେଇ ‘ଲ୍ୟାଣ୍ଡ୍‌ ବ୍ୟାଙ୍କ୍‌’ ତିଆରି ହେବ। ଭୂଦାନ ଆନ୍ଦୋଳନ ସମୟରେ ଜମି ପାଇଥିବା ହିତାଧିକାରୀମାନଙ୍କ ଜମି ଯଦି କିଏ ହଡ଼ପ ବା ଜବରଦଖଲ କରିନେଇଥିବ ତେବେ ତାକୁ ପୁନରୁଦ୍ଧାର କରାଯିବ। ଜମି ଦାନ ପାଇଁ ଭୂଦାନ ଆନ୍ଦୋଳନରେ ରାଜସ୍ବ ବିଭାଗ ଅଂଶୀଦାର ହେବ ବୋଲି ଶ୍ରୀ ପୂଜାରୀ ଦୃଢ଼ୋକ୍ତି ଦେଇଛନ୍ତି। 

ସନ୍ଥ ବିନୋବା ଭାବେଙ୍କ ୧୩୧ତମ ଜୟନ୍ତୀ ସମାରୋହ ପାଳିତ

କାର୍ଯ୍ୟକ୍ରମରେ ବିଧାୟକ ଅରୁଣ ସାହୁ, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ‘ଲୋକସେବକ ମଣ୍ଡଳ’ର ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ଦୀପକ ମାଲବ୍ୟ, ଆସାମ ‘କସ୍ତୁରବା ଗାନ୍ଧୀ ଟ୍ରଷ୍ଟ’ର ଅଧ୍ୟକ୍ଷା ଦମୟନ୍ତୀ ଦେବୀ ଓ ‘ବିନୋବା ସେବା ପ୍ରତିଷ୍ଠାନ’ର ଅଧ୍ୟକ୍ଷ ଭଗବାନ ପ୍ରକାଶ ପ୍ରମୁଖ ଅତିଥି ଭାବେ ‌ଯୋଗ ଦେଇ ସନ୍ଥ ବିନୋବା ଭାବେଙ୍କ ସାଂଗଠନିକ ଦକ୍ଷତା, ସେବା ମନୋବୃତ୍ତି, ସମୟାନୁବର୍ତ୍ତିତା ସମ୍ପର୍କରେ କହି ତାଙ୍କ ସ୍ମୃତିଚା‌ରଣ କରିଥିଲେ। 

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨ ଜଣକୁ ‘ଗାନ୍ଧୀ ବିନୋବା ଶାନ୍ତି ସମ୍ମାନ’ ଓ ୭ ଜଣକୁ ‘ସର୍ବୋଦୟ ସେବା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଆସାମ କସ୍ତୁରବା ଗାନ୍ଧୀ ଟ୍ରଷ୍ଟ ଅଧ୍ୟକ୍ଷ ଦମୟନ୍ତୀ ଦେବୀ ଓ଼ ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡ଼ାଙ୍କୁ ‘ଗାନ୍ଧୀ-ବିନୋବା ଶାନ୍ତି ପୁରସ୍କାର’ ଏବଂ ସେବା ସମାଜ ଗୁଣୁପୁରର ରାଜେଶ୍ୱରୀ ଦଳାଇ, ଜୟ କିରଣ ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା, ଆସାମ କସ୍ତୁରବା ଟ୍ରଷ୍ଟର ଅନିମା ଦତ୍ତ, ଗୀତିକା ଦେବୀ, ଓଡ଼ିଶା ଉଦ୍ୟୋଗୀ ପରିବାର ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ର, ସହିଦ ସ୍ମୃତି ପରିଷଦ ସମ୍ପାଦକ ପ୍ରମେଶ ମହାନ୍ତି, ଓଡ଼ିଶା ଫଲୋଅପ୍‌ର ଵି. ବି ହୃଦୟ ପ୍ରମୁଖଙ୍କୁ ‘ସର୍ବୋଦୟ ସେବା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। 
କାର୍ଯ୍ୟକ୍ରମରେ ରୀନା ରାଉତରାୟ ସ୍ବାଗତ ଭାଷଣ ଦେଇଥିଲେ। ‘ବିନୋବା ସେବା ପ୍ରତିଷ୍ଠାନ’ର ସମ୍ପାଦକ ମନୋଜ ଜେନା କାର୍ଯ୍ୟକ୍ରମର ଅଭିମୁଖ୍ୟ କହିଥିଲେ। ସାମାଜିକ ବିଜ୍ଞାନୀ ସନ୍ଦୀପ ପଟ୍ଟନାୟକ ଆଲୋଚ୍ୟ ବିଷୟର ପୃଷ୍ଠଭୂମି ଉପରେ ସନ୍ଦର୍ଭ ଉପସ୍ଥାପନା କରିଥିଲେ। ଭୂଦାନ ଆନ୍ଦୋଳନ ସମ୍ପର୍କିତ ଏକ ଦାବିପତ୍ର ସଭା ତରଫରୁ ରାଜସ୍ବ ମନ୍ତ୍ରୀଙ୍କୁ ଦିଆଯାଇଥିଲା। ପ୍ରସନ୍ନ ବିଷୋୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।