ଅନଲାଇନରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବିକ୍ରି ଉପରେ ଅଙ୍କୁଶ ଲାଗିଲା: ବିଜ୍ଞପ୍ତି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ଅନଲାଇନରେ ନିମନ୍ତ୍ରଣ ବ୍ୟବସ୍ଥାକୁ ବି ମନା

ପୁରୀ: ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସୋସିଆଲ୍ ମିଡ଼ିଆ ଓ ଅନଲାଇନରେ ବିକ୍ରି ଚାଲିଛି। କିଛି  ବ୍ୟାବସାୟିକ ସଂସ୍ଥା ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ଅର୍ଡର ବିକ୍ରୟ କରୁଥିବା ଜଣାପଡ଼ିଥିଲା । ମହାପ୍ରଭୁଙ୍କ ପ୍ରସାଦକୁ ନେଇ ଏପରି ବେପାର କରିବାକୁ ନିନ୍ଦା କରିଛି ଶ୍ରୀମନ୍ଦିର ପ୍ରଶାସନ। ଏପରି  ସଂସ୍ଥାଙ୍କ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ  ପଦକ୍ଷେପ ନିଅାଯାଉଛି । କେବଳ ଏତିକି ନୁହେଁ, ଅନଲାଇନ୍ ନିମନ୍ତ୍ରଣ ବ୍ୟବସ୍ଥାକୁ ମଧ୍ୟ ମନା କରାଯାଇଛି ।

ଅନଲାଇନ୍ ନିମନ୍ତ୍ରଣ ଓ ଅନଲାଇନ୍ ମହାପ୍ରସାଦ ବିକ୍ରିକୁ ବାରଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ନେଇ ଆଜି ବିଜ୍ଞପ୍ତି ଜାରି କରିଛି ପ୍ରଶାସନ । ଅନଲାଇନ୍ ମହାପ୍ରସାଦ ବିକ୍ରି ବା ଅନଲାଇନ୍ ନିମନ୍ତ୍ରଣ ପଠାଇବା ନେଇ କାହାରି ଅନୁମତି ଦିଆଯାଇ ନାହିଁ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ୪-୫ଟି ସଂସ୍ଥା ଅନଲାଇନ୍ ଦ୍ୱାରା ମହାପ୍ରସାଦ ବିକ୍ରି କରିବା ନେଇ ସୋସିଆଲ ମିଡିଆରୁ ଜଣାପଡିଛି । ମହାପ୍ରଭୁଙ୍କ ମହାପ୍ରସାନକୁ ନେଇ ବେପାର କରିବା ଦ୍ୱାରା ଲୋକଙ୍କ ଧର୍ମୀୟ ଭାବନାରେ ଆଘାତ ସୃଷ୍ଟି କରୁଛି । ଏହାସହ ଏସବୁ କାମ ପାଇଁ ଶ୍ରୀମନ୍ଦିରର ପାରମ୍ପରିକ ବ୍ୟବସ୍ଥା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସତ୍ୱାଧିକାର ବୋଲି ମନ୍ଦିର ପ୍ରଶାସନ କହିଛି ।

ମହାପ୍ରଭୁଙ୍କ ନାମରେ ବେପାର ଚଳାଇଥିବା  ସଂସ୍ଥାଗୁଡ଼ିକ ଠାବ କରିବା ପାଇଁ ପୋଲିସଙ୍କୁ ଜଣାଇ ଦିଆଯାଇଛି । ତେଣୁ ଅନଲାଇନ ଅବଢା ବିକ୍ରି କରୁଥିବା ବ୍ୟକ୍ତି ତଥା ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସରେ ପ୍ରଶାସନକୁ ଜଣାଇ ଦିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି କାମ ଆଇନ୍ ଅନୁସାରେ ଦଣ୍ଡନୀୟ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ଅନଲାଇନ୍ ନିମନ୍ତ୍ରଣ ବ୍ୟବସ୍ଥାକୁ ମଧ୍ୟ ମନାକରିଛି ପ୍ରଶାସନ । କାରଣ ବିବାହ ପାଇଁ ପ୍ରଥମେ କାଳିଆ ଠାକୁରଙ୍କ ପାଖକୁ ନିମନ୍ତ୍ରଣ ପଠାଯାଏ । ତେବେ ଏହି ବ୍ୟବସ୍ଥାକୁ ଅନଲାଇନରେ କରିହେବ ବୋଲି କିଛି ଦିନ ପୂର୍ବରୁ ଶୁଣିବା ପାଇଁ ମିଳିଥିଲା । ହେଲେ ଏହି ବ୍ୟବସ୍ଥାକୁ ମଧ୍ୟ ମନା କରିଦେଇଛି ପ୍ରଶାସନ ।

ସମ୍ବନ୍ଧିତ ଖବର