ଯାଜପୁର: ମଣ୍ଡିରେ ଧାନ ବିକ୍ରି କରିନପାରି ଚାଷୀମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଧାନ କିଣା କାରବାରକୁ ପ୍ରଶାସନିକ ଅଧିକାରୀ  ନିୟନ୍ତ୍ରଣ କରିବା ପରିବର୍ତ୍ତେ କେତେକ ମିଲରଙ୍କ ନିୟନ୍ତ୍ରଣରେ କାମ କରୁଛନ୍ତି। ଜିଲ୍ଲାରେ ନାମକୁ ମାତ୍ର ମଣ୍ଡି ଖୋଲିଛି। ଚାଷୀଙ୍କ ନାମରେ ଦଲାଲଙ୍କ ଠାରୁ ଧାନ କିଣାବିକା ଚାଲିଛି। ଦୁଇ ସପ୍ତାହ ପୂରିବାକୁ ଯାଉଥିବା ବେଳେ ଘୋଷିତ ୧୬୮ ରୁ ୨୮ଟି ଧାନମଣ୍ଡି ଖୋଲାଗଲା ନାହିଁ। ଯେଉଁ ମଣ୍ଡିଗୁଡ଼ିକ ଖୋଲିଛି ସେଠାରେ ପ୍ରଶାସନ ପକ୍ଷରୁ ତଦାରଖ କରାଯାଉନଥିବାରୁ ମଣ୍ଡିରେ ଧାନ ସଂଗ୍ରହ କରାନଯାଇ ଚାଷୀଙ୍କୁ ମିଲ୍‌କୁ ପଠାଇ ଦିଆଯାଉଛି। ଯାହା ଫଳରେ ଚାଷୀମାନେ ମିଲରଙ୍କ ଶୋଷଣର ଶିକାର ହେଉଛନ୍ତି। ଚାଷୀମାନଙ୍କର ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ପ୍ରଶାସନର କୌଣସି ବ୍ୟବସ୍ଥା ନାହିଁ।  ଧାନ କିଣାକୁ  ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅକ୍ଷୟ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ସ୍କ୍ବାଡ୍‌ ଗଠନ ହୋଇଥିଲା। ମାତ୍ର ଶ୍ରୀ ମଲ୍ଲିକଙ୍କ ବଦଳି ହୋଇଯାଇଛି। ବିଗତ ବର୍ଷ ଭଳି ଜିଲ୍ଲା ସ୍କ୍ବାଡ୍‌ କାଗଜପତ୍ରରେ ସୀମିତ ରହିଛି।

Advertisment

ପୂର୍ବ ବର୍ଷଗୁଡ଼ିକରେ ଡିସେମ୍ବର ମାସରେ ଧାନମଣ୍ଡି ଖୋଲାଯାଉଥିବା ବେ‌ଳେ ଚଳିତ ବର୍ଷ ବିଳମ୍ବ କରାଯାଇ ଜାନୁଆରି ୪ତାରିଖରେ ଜିଲ୍ଲାରେ ମଣ୍ଡି ଖୋଲିଲା। ଜିଲ୍ଲାରେ ଘୋଷିତ ସର୍ବମୋଟ ୧୬୮ଧାନମଣ୍ଡି ମଧ୍ୟରୁ ୨୮ଟି ମଣ୍ଡି ଏଯାଏଁ ଖୋଲାଯାଇ ନାହିଁ।  ୧୨୦ ପ୍ୟାକ୍ସରୁ ୨୬ଟି  ଏବଂ ୪୮ଟି ମହିଳା ଏସ୍‌ଏଚଜି ମଧ୍ୟରୁ  ୨ଟିରେ ମଣ୍ଡି ଖୋଲିନାହିଁ। ଚଳିତ ବର୍ଷ ସଂଶୋଧିତ ତାଲିକା ଅନୁଯାୟୀ ୫୩ହଜାର ୧୮୮ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ  ୭,୫୨୯ଜଣଙ୍କ ଠାରୁ ୩ଲକ୍ଷ ୩୦ହଜାର ୨୧୭କୁଇଣ୍ଟାଲ ଧାନ କିଣାଯାଇଛି ବୋଲି ସରକାରୀ ତଥ୍ୟ କହୁଛି। ବିଶେଷ କରି ଚାଷୀମାନଙ୍କ ନାମରେ ଦଲାଲମାନେ ଧାନ ବିକି ମାଲାମାଲ ହେଉଛନ୍ତି।  ସିଧାସଳଖ ମିଲରଙ୍କ ଅସାଧୁମେଣ୍ଟରେ ସାମିଲ ହୋଇ ଦେଣନେଣ କରୁଛନ୍ତି। ଯେଉଁ ଚାଷୀମାନେ ଦଲାଲଙ୍କୁ ବିରୋଧ କରି ମଣ୍ଡିରେ ଧାନ ବିକ୍ରି ପାଇଁ ନିଷ୍ପତ୍ତି ନେଉଛନ୍ତି ସେମାନଙ୍କର ଧାନ ଦିନଦିନ ପଡ଼ି ରହୁଛି। ଅନ୍ୟ କେତେକ ଚାଷୀ ମଣ୍ଡିର ଅଧିକାରୀଙ୍କ ନିର୍ଦ୍ଦେଶରେ ମିଲକୁ ନେଇ ଧାନ ଦେବାକୁ ବାଧ୍ୟ ହେଉଛନ୍ତି। ସେଠାରେ କଟ୍‌ନିଛଟ୍‌ନି ସହ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଚାଷୀମାନଙ୍କ ସମସ୍ୟାକୁ ନେଇ ବାରମ୍ବାର ପ୍ରତିବାଦ ସ୍ବର ଉଠୁଥିଲେ ହେଁ ଅସାଧୁ କାରବାରରେ ସାମିଲ ସଂପୃକ୍ତ ପ୍ରଶାସନିକ ଅଧିକାରୀ କିଛି ନଜାଣିଲା ଭଳି ଅଭିନୟ  କରୁଛନ୍ତି। ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।