ସୁପ୍ରିମ କୋର୍ଟରେ ନାହାନ୍ତି ଓଡ଼ିଆ ବିଚାରପତି

ଓଡ଼ିଶା ପାଇଁ ଲଢ଼ିବାର ବେଳ-୧
ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପରେ ସୁଯୋଗ ପାଇନାହାନ୍ତି ଓଡ଼ିଆ
ଏକଦା ତିନି ତିନି ଜଣ ଓଡ଼ିଆ ବିଚାରପତି ଚର୍ଚ୍ଚାରେ ଥିଲେ
ରାଜନୈତିକ ଇଚ୍ଛାଶକ୍ତି ଆଡକୁ ଆଙ୍ଗୁଠି ଉଠିଲାଣି

ଭୁବନେଶ୍ବର,(ଭବାନୀ ଶଙ୍କର ତ୍ରିପାଠୀ): ଜଣେ କି ଦୁଇଜଣ ନୁହେଁ, ଓଡ଼ିଶା ହାଇକୋର୍ଟରୁ ୧୯ ଜଣ ବିଚାରପତି ସିଧାସଳଖ ସୁପ୍ରିମ କୋର୍ଟ ବା ସର୍ବୋଚ୍ଚ ନ୍ୟାୟାଳୟକୁ ଯାଇଛନ୍ତି। ହେଲେ, ସେମାନଙ୍କ ମଧ୍ୟରୁ ମାତ୍ର ୭ଜଣ ବିଚାରପତି ହେଉଛନ୍ତି ଓଡ଼ିଆ। ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଲା, ଗୋଟିଏ ଗୋଟିଏ ରାଜ୍ୟରୁ ଏକାଧିକ ବିଚାରପତି ସୁପ୍ରିମ କୋର୍ଟରେ ଅଛନ୍ତି। ଅଥଚ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଦୀପକ ମିଶ୍ର ଅବସର ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଏବେ ଆଉ କେହି ଜଣେ ବି ଓଡ଼ିଆ ବିଚାରପତି ନାହାନ୍ତି।

ପ୍ରତି ରାଜ୍ୟରୁ ନିଶ୍ଚିତ ଜଣେ ବିଚାରପତି ରହିବେ, ସେଭଳି କିଛି ଠୋସ୍ ନିୟମ ନାହିଁ। ସୁପ୍ରିମ କୋର୍ଟରେ କିଏ ବିଚାରପତି ହେବେ, ତାହା ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର କଲେଜିୟମ୍ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ। କିନ୍ତୁ ପ୍ରତି ରାଜ୍ୟର ଉପସ୍ଥିତି ସଂପର୍କରେ ଗୋଟିଏ ପରମ୍ପରା ରହିଛି। ଗୋଟିଏ ମତ ବି ରହିଛି ଯେ ସବୁ ରାଜ୍ୟର ଉପସ୍ଥିତି ଏଇଥିପାଇଁ ଦରକାର, ଯାହା ଫଳରେ ସଂପୃକ୍ତ ରାଜ୍ୟର ହାଇକୋର୍ଟ ଉପରେ ସର୍ବୋଚ୍ଚ ନ୍ୟାୟାଳୟର ଦୃଷ୍ଟି ରହିବ। କେବଳ ସେତିକି ନୁହେଁ, ସାଧାରଣ ଲୋକଟିଏ ତାର ନିଜ ଭାଷାରେ ପୋଷ୍ଟକାର୍ଡଟିଏ ଲେଖିଲେ ବି ତାକୁ ନ୍ୟାୟ ମିଳିବାର ରାସ୍ତା ସୁଗମ ହୋଇପାରିବ।

ଏଭଳିସ୍ଥଳେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ କାହିଁକି ଓ କେଉଁ ପରିସ୍ଥିତିରେ ଓଡ଼ିଆ ବିଚାରପତି ସୁପ୍ରିମ କୋର୍ଟରେ ନିଯୁକ୍ତି ପାଇପାରୁ ନାହାନ୍ତି? ଦକ୍ଷତା ଓ ଅନୁଭବରେ ଓଡିଆ ପଛରେ କି? ନା ଓଡ଼ିଶାର ଦୁର୍ବଳ ସ୍ବର ଏଥିପାଇଁ ଦାୟୀ? କିଏ ଏହି ଉତ୍ତର ଦେବ? କାହିଁକି ନିଜେ ମୁଖ୍ୟମନ୍ତ୍ରୀ ଏ ସ୍ବର ଉଠାଇବେ ନାହିଁ? କେଉଁ ପରିସ୍ଥିତିରେ କେନ୍ଦ୍ର ସରକାରରେ ଥିବା ଦୁଇ ଓଡ଼ିଆ ମନ୍ତ୍ରୀ ନୂଆଦିଲ୍ଲୀରେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆଣୁନାହାନ୍ତି?

ଗୋଟିଏ ପଟେ ଓଡ଼ିଶା ହାଇକୋର୍ଟରେ ଅନେକ ବିଚାରପତି ପଦ ଖାଲି ରହିବା, ଅନ୍ୟପଟରେ ସର୍ବୋଚ୍ଚ ନ୍ୟାୟାଳୟରେ ପଦବି ଖାଲି ଥାଇ କେହି ଜଣେ ମଧ୍ୟ ଓଡ଼ିଆ ସେଠାରେ ନ ରହିପାରିବା ଘଟଣା ରାଜ୍ୟବାସୀ, ବୁଦ୍ଧିଜୀବୀଙ୍କୁ ମଧ୍ୟ ଆନ୍ଦୋଳିତ କଲାଣି।

ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କ ମତ ହେଉଛି, ପୂର୍ବରୁ ଯେବେ ହାଇକୋର୍ଟ ବିଚାରପତିଙ୍କର ବଦଳି ବ୍ୟବସ୍ଥା ନଥିଲା ସେବେ ବରିଷ୍ଠ ବିଚାରପତି ସେହି କୋର୍ଟରେ ମୁଖ୍ୟ ବିଚାରପତି ହେଉଥିଲେ। ପରବର୍ତୀ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କର ବଦଳି ପ୍ରକ୍ରିୟା ଆରମ୍ଭ ହେଲା। ସୁପ୍ରିମ କୋର୍ଟ କଲେଜିୟମ୍ ଆବଶ୍ୟକତା ଓ ଯୋଗ୍ୟତା ତଥା ବରିଷ୍ଠତା ଆଧାରରେ ସବୁ ରାଜ୍ୟର ପ୍ରତିନିଧି ପାଇଁ ଗୁରୁତ୍ବ ଦେଉଥିଲେ। କିଏ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ହେବେ, ତାହା ସମ୍ପୂର୍ଣ୍ଣ ଭାବେ ସୁପ୍ରିମ କୋର୍ଟଙ୍କ କଲେଜିୟମର ନିଷ୍ପତ୍ତି। ଓଡ଼ିଆ ବିଚାରପତିଙ୍କ କଥା ଯଦି ଦେଖିବା, ତେବେ ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପରେ ଆଉ କାହାକୁ ସୁପ୍ରିମ କୋର୍ଟରେ ନିଯୁକ୍ତି ଦିଆଯାଇନାହିଁ। ଏକଥା କିନ୍ତୁ ସତ ଯେ ସୁପ୍ରିମକୋର୍ଟରେ ଏବେ ଗୋଟିଏ ଗୋଟିଏ ପ୍ରମୁଖ ରାଜ୍ୟର ଏକାଧିକ ବିଚାରପତି ଅଛନ୍ତି।

ଜଷ୍ଟିସ୍ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଏ କ୍ଷେତ୍ରରେ ରାଜନୈତିକ ଇଚ୍ଛାଶକ୍ତି ଏକ ବଡ଼ ଭୂମିକା ରଖେ। ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ରାଜ୍ୟର ପ୍ରତିନିଧିତ୍ବ ସଂପର୍କରେ ଅତ୍ୟନ୍ତ ଦୃଢ଼ ଭାବେ ଦାବି ଉପସ୍ଥାପନ କରିବାର କ୍ଷମତା ରଖିଛନ୍ତି। ହେଲେ ଓଡ଼ିଶାରୁ ସେଭଳି କେବେ ମତ ଆସିନାହିଁ। ପ୍ରତି ରାଜ୍ୟ ପାଇଁ ହାଇକୋର୍ଟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ସୁପ୍ରିମ କୋର୍ଟରେ ଯଦି ଓଡ଼ିଆ ବିଚାରପତି ରହିବେ, ସେ ରାଜ୍ୟର ହାଇକୋର୍ଟରେ କଣ ହେଉଛି ନ ହେଉଛି, ଏକଥା ସହଜରେ ଜାଣିପାରିବେ। ଏହା ହାଇକୋର୍ଟଙ୍କୁ ବି ଅଧିକ ସଶକ୍ତ କରିବ। କିନ୍ତୁ ଏକଥା ସ୍ବୀକାର କରାଯାଇପାରେ ଯେ ସୁପ୍ରିମ କୋର୍ଟ ବିଚାରପତି ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଅବହେଳିତ ଅଭିଯୋଗ ଅସତ୍ୟ ନୁହେଁ।

ସେହିଭଳି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ମତ ଦେଇଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟରେ କିଏ ବିଚାରପତି ରହିବେ, ସେ କ୍ଷେତ୍ରରେ ବରିଷ୍ଠତା ଓ ଦକ୍ଷତା ଗୋଟିଏ ବଡ଼ ମାପକାଠି। ୧୯୯୦ ଦଶକ ପ୍ରାରମ୍ଭରେ ଜଷ୍ଟିସ୍ ଏମ୍ ଏନ୍ ଭେଙ୍କଟଚାଲିଆଙ୍କ ନେତୃତ୍ବରେ ଗୋଟିଏ କମିଟି ଗଠନ ହୋଇଥିଲା। ସେ କମିଟିରେ ସୁପ୍ରିମ କୋର୍ଟର ତିନିଜଣ ବିଚାରପତି, ୩ଟି ହାଇକୋର୍ଟର ବିଚାରପତି ଓ ଦେଶର ତିନି ରାଜ୍ୟର ଆଇନ ମନ୍ତ୍ରୀ ସଦସ୍ୟ ଥିଲେ। ସେଥିରେ ସେ ନିଜେ (ବିଜୁ ପଟ୍ଟନାୟକଙ୍କ ସରକାରର ଆଇନ ମନ୍ତ୍ରୀ ଭାବେ) ମଧ୍ୟ ସଦସ୍ୟ ଥିଲେ। ବିଚାରପତି ନିଯୁକ୍ତି କ୍ଷେତ୍ରରେ ଏହି କମିଟିର ସୁପାରିସ ଆଜି ବି ମହତ୍ତ୍ବ ରଖେ। ସେହି କମିଟି ମତ ରଖିଥିଲା ଯେ ୪୦ ପ୍ରତିଶତ ବାର୍‌ରୁ ଓ ୬୦ ପ୍ରତିଶତ ପଦୋନ୍ନତି ଭିତ୍ତିରେ ବିଚାରପତିଙ୍କୁ ନିଯୁକ୍ତି ଦିଆଯିବ। କାର୍ଯ୍ୟପାଳିକାର କୌଣସି ଭୂମିକା ରହିବ ନାହିଁ। ସୁପ୍ରିମ କୋର୍ଟରେ କିଏ ବିଚାରପତି ହେବେ, ସେ ନିଷ୍ପତ୍ତି କଲେଜିୟମର। ହେଲେ କେନ୍ଦ୍ର ସରକାରଙ୍କର ମଧ୍ୟ ଏଥିରେ ଗୋଟିଏ ଭୂମିକା ଅଛି। ଯଦି କୌଣସି ନିଯୁକ୍ତି ଉପରେ ଆପତ୍ତି ଥାଏ, ତେବେ ଆଉଥରେ ବିଚାର ପାଇଁ କେନ୍ଦ୍ର ସରକାର କଲେଜିୟମକୁ ଫାଇଲ୍ ଫେରାଇପାରିବେ। କିନ୍ତୁ କଲେଜିୟମ ଦ୍ବିତୀୟ ଥର ସୁପାରିସ କଲେ, କେନ୍ଦ୍ର ସରକାର ଅନୁମତି ଦେବାକୁ ବାଧ୍ୟ। ବେଳେ ବେଳେ ଦେଖାଯାଏ ଯେ କେନ୍ଦ୍ର ସରକାର ଏହି ପ୍ରକ୍ରିୟାକୁ ବିଳମ୍ବିତ କରିଥାନ୍ତି। ଏବେ ଅନେକ କ୍ଷେତ୍ରରେ କିନ୍ତୁ ଏହି ସୁପାରିସ ଉଲ୍ଲଂଘନ ହେଉଛି।

ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ମନୋରଂଜନ ମହାନ୍ତିଙ୍କର କହିବା କଥାହେଉଛି ‌ଯେ ୨୦୦୨ ମସିହା ବେଳକୁ ଓଡ଼ିଶାର ତିନି ତିନି ଜଣ ବିଚାରପତି ସର୍ବୋଚ୍ଚ ନ୍ୟାୟାଳୟରେ ଥିଲେ। ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ, ଜଷ୍ଟିସ୍ ଦେବପ୍ରିୟ ମହାପାତ୍ର ଏବଂ ଜଷ୍ଟିସ୍ ଅରଜିତ ପଶାୟତଙ୍କ ସକ୍ରିୟତା ସେ ସମୟରେ ଚର୍ଚ୍ଚାରେ ଥିଲା। ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ରଙ୍ଗନାଥ ମିଶ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ଦୀପକ ମିଶ୍ର କାର୍ଯ୍ୟ କରିସାରିଛନ୍ତି। ଓଡ଼ିଆ ବିଚାରପତିଙ୍କ ପାରଦର୍ଶିତା ଅନ୍ୟ ବିଚାରପତିଙ୍କ ତୁଳନାରେ କିଛି କମ୍ ନାହିଁ। ଏବେ କିନ୍ତୁ ଜଷ୍ଟିସ୍ ମିଶ୍ରଙ୍କ ପରେ କେହି ଜଣେ ବି ଓଡ଼ିଆ ବିଚାରପତି ନାହାନ୍ତି। ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ରାଜସ୍ଥାନ ହାଇକୋର୍ଟର ମୁ୍ଖ୍ୟ ବିଚାରପତି ଅଛନ୍ତି। ଜଷ୍ଟିସ୍ ସଞ୍ଜୁ ପଣ୍ଡା ବି ସୁପ୍ରିମ କୋର୍ଟର ବିଚାରପତି ହୋଇପାରିବେ। ସବୁପରେ ବି ଏକଥା କୁହାଯାଇପାରିବ ଯେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓଡ଼ିଆ ବିଚାରପତି ଓ ଓଡ଼ିଆ ଆଇନଜୀବୀଙ୍କ ରାସ୍ତାରେ ବାଧକ ସାଜୁଛି।

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର କହନ୍ତି ଯେ ରାଜ୍ୟ ସରକାରଙ୍କର ପ୍ରତ୍ୟକ୍ଷ ଭୂମିକା ନଥିଲେ ବି ମୁଖ୍ୟମନ୍ତ୍ରୀ ଦାବି କରିବା ଆବଶ୍ୟକ। ଗୋଟିଏ ଗୋଟିଏ ରାଜ୍ୟରୁ ଏକାଧିକ ବିଚାରପତି ଯାଉଥିଲା ବେଳେ ଓଡ଼ିଶା କାହିଁକି ବାଦ୍ ପଡ଼ିବ? ହାଇକୋର୍ଟର ଅନ୍ୟତମ ଆଇନଜୀବୀ ବୁଦ୍ଧଦେବ ରାଉତରାୟଙ୍କ ମତ ବି ସେୟା। ସେ ଆହୁରି ଆଗକୁ ଯାଇ କହିଛନ୍ତି ଯେ ଓଡ଼ିଶାର ବିଚାରପତି ଓ ଆଇନଜୀବୀ ଯୋଗ୍ୟ, ଅନୁଭବୀ, ଦକ୍ଷ। ଓଡ଼଼ିଶାକୁ କିନ୍ତୁ ନ୍ୟାୟ ମିଳିପାରୁନାହିଁ, ଏ ଅଭିଯୋଗ ଆମ ମାନଙ୍କର ବି ରହିଛି।

ଉଲ୍ଲେଖଥାଉକି, ସର୍ବୋଚ୍ଚ ନ୍ୟାୟାଳୟରେ ମୋଟ ୩୪ଟି ଅନୁମୋଦିତ ବିଚାରପତି ପଦବି ରହିଛି। ଏବେ ୩୦ ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି। ଏହି ବର୍ଷ ଆଉ କିଛି ବରିଷ୍ଠ ବିଚାରପତି ଅବସର ନେବେ।

ଓଡ଼ିଶା ସ୍ବାର୍ଥ ପାଇଁ ବିଜେଡି-ବିଜେପି ଏକାଠି ଲଢ଼ିବେ ବୋଲି ବାରମ୍ବାର ମତ ରଖିଛନ୍ତି। ବିଭିନ୍ନ ବିଲ୍ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ବାଇ-ଲ’ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଗୋଟିଏ ମତ ରଖିଆସୁଥିବା ବିଜେଡି-ବିଜେପି ଓଡ଼ିଶା ସ୍ବାର୍ଥ ସଂପର୍କରେ ମୁହଁ ଖୋଲିବାରେ ଅସୁବିଧା କଣ ଅଛି?

ଏବେ ତ ରାଜ୍ୟ ସରକାର ଓ କେନ୍ଦ୍ରମନ୍ତ୍ରୀ ଟିକେ ମୁହଁ ଖୋଲନ୍ତୁ!

ସମ୍ବନ୍ଧିତ ଖବର