ସ୍ୱର୍ଗଦ୍ୱାରରେ ଶବ ଦାହ ଉପରେ କଟକଣା ପ୍ରସଙ୍ଗ : ରାଜ୍ୟ ସରକାର ଓଡିଆ ଲୋକଙ୍କ ଆସ୍ଥାକୁ ହତ୍ୟା କରପାରିବେ ନାହିଁ: ବିଜେପି

ହିନ୍ଦୁ ଧର୍ମର ବିଶ୍ୱାସକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର

ଭୁବନେଶ୍ୱର : ପୁରୀ ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାରକୁ ଯିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ବାରଣ କରିବା ସହ ଶବ ଦାହ ଉପରେ କଟକଣା ଲଗାଇଛନ୍ତି। କେବଳ ସେତିକି ନୁହେଁ, ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲଗାଇଛନ୍ତି। ପ୍ରଶାସନର ଏହି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହି ସମାଲୋଚନା କରିଛି ବିଜେପି। ରାଜ୍ୟ ସରକାର ଓଡ଼ିଆ ଲୋକଙ୍କ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ ବୋଲି ଦଳ ଚେତାଇ ଦେଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀ‌ରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଲେ ଯେ ସ୍ୱର୍ଗଦ୍ୱାରରେ ଶବ ଦାହ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି। ଏଥି ପାଇଁ ପ୍ରତିଦିନ ସ୍ୱର୍ଗଦ୍ୱାରରେ ବହୁ ସଂଖ୍ୟାରେ ଶବ ଦାହ କରାଯାଏ। ସେହିପରି ମହୋଦଧିରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ଲୋକ ଆସିଥା’ନ୍ତି। ଏଥିରେ ଓଡ଼ିଶା ଲୋକଙ୍କର ଆସ୍ଥା ଜଡିତ ହୋଇ ରହିଛି। ରାଜ୍ୟ ସରକାର କୌଣସି ପ୍ରକାରରେ ହିନ୍ଦୁ ଧର୍ମ ଓ ଓଡ଼ିଆ ଲୋକଙ୍କ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଦ୍ୱାରା ଘୋଷିତ ହୋଇଥିବା କୋଭିଡ ନିୟନ୍ତ୍ରଣ ନିୟମକୁ ଅନୁପାଳନ କରାଇବାର ଦାୟିତ୍ୱ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର। ଏହାକୁ ପାଳନ କରି ଶବଦାହ କରିବାର ଅନୁମତି ଦେବା ସରକାରଙ୍କ ନୈତିକ ଦାୟିତ୍ୱ ମଧ୍ୟ। ଏଥିପାଇଁ ସରକାର ଲୋକଙ୍କ ନିଷ୍ଠା, ବିଶ୍ୱାସ ଓ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରାଇବାର ଷଡ଼ଯନ୍ତ୍ର କରିଥିବା ରାଜ୍ୟ ସରକାର ହିନ୍ଦୁ ଧର୍ମର ବିଶ୍ୱାସକୁ ନଷ୍ଟ କରିବା ପାଇଁ ଦ୍ୱିତୀୟ ଷଡଯନ୍ତ୍ର ଆରମ୍ଭ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି।

କରୋନା ମହାମାରୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରଠାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର। ଏହା ଅର୍ଥ ନୁହେଁ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଲୋକଙ୍କ ଆସ୍ଥାକୁ କୁଠାରଘାତ କରିବା । ରାଜ୍ୟ ସରକାର ତୁରନ୍ତ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରନ୍ତୁ । ଜିଲ୍ଲା ପ୍ରଶାସନକୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ସହ ଶବ ଦାହ ସମୟରେ କୋଭିଡ୍‌ ନିୟମର ପାଳନ କେମିତି ହେବ ତାହାର ବ୍ୟବସ୍ଥା କରିବା କଥା ଚିନ୍ତା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସମ୍ବନ୍ଧିତ ଖବର