କରୋନା ମୁକାବିଲା: ବସ୍‌ରେ ନିର୍ଦ୍ଦିଷ୍ଟ ସିଟ୍‌ଠାରୁ ଅଧିକ ଯାତ୍ରୀ ନେବା ଉପରେ କଟକଣା ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର: ରାଜ୍ୟ ପରିବହନ ବିଭାଗ କରୋନା ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ବସରେ ଓଭରଲୋଡିଂ ନ କରିବାକୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଦେଶ ଦେବା ସହିତ ସିଟ୍‌ ଠାରୁ ବସରେ ଅଧିକ ଲୋକ ଯାଇପାରିବେ ନାହିଁ କି କେହି ଛିଡ଼ା ହୋଇ ଯାଇ ପାରିବେ ନାହିଁ। ସେହିଭଳି ଡ୍ରାଇଭରଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ବସ୍‌ ଗୁଡିକୁ ସ୍ୱଚ୍ଛତା ରଖିବାକୁ ରାଜ୍ୟ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି। ତେବେ ନିୟମ ନ ମାନିଲେ ଦୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ସେହିଭଳି କରୋନା ସତର୍କତା ପାଇଁ ଆଜି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ପିଜି କାଉନସିଲ୍‌ ଅଧ୍ୟକ୍ଷା ସୂଚନା ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସ୍‌ଗୁଡିକୁ ବନ୍ଦ କରିବା ନେଇ ରେସିଡେଣ୍ଟସ୍ କମିଟି ବୈଠକରେ ନିଷ୍ପତ୍ତି ପରେ ଏପରି ଘୋଷଣା ହୋଇଛି ।

ସେପଟେ ଆଜିଠାରୁ କଟକ-ଭୁବନେଶ୍ୱର ଟୁଇନ୍‌ସିଟିରେ ସମସ୍ତ ସପିଂ ମଲ ବନ୍ଦ ରହିବ । ଓଡିଶା ସହରାଞ୍ଚଳ ପୁଲିସ ଆଇନର ଧାରା ୩୫ ଅନୁସାରେ ଆଗାମୀ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ମଲ ବନ୍ଦ ରହିବ ବୋଲି କମିସନରେଟ ପୁଲିସ ଟୁଇଟ କରି ସୂଚନା ଦେଇଛନ୍ତି। ଏପରିକ ଯେଭଳି କୌଣସିି ମଲ ଖୋଲା ନ ରୁହେ ସେଥିପାଇଁ ପଦକ୍ଷେପ ନେବାକୁ ଉଭୟ କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ମୁକାବିଲାମୂଳକ ପଦକ୍ଷେପ ନେଇଛନ୍ତି ।

ମାର୍ଚ୍ଚ ୩୧ ଯାଏଁ ସିନେମା ହଲ, ସୁଇମିଂ ପୁଲ ଓ ଜିମ୍‌ ବନ୍ଦ ରଖିବାକୁ କୁହାଯାଇଥିଲା ।ଏବେ କଟକ-ଭୁବନେଶ୍ୱର ଦୈତନଗରୀରେ ସପିଂ ମଲ ବନ୍ଦ କରିବାକୁ ନିଷ୍ପତି କରି କମିସନରେଟ ପୁଲସି ଏଥିରେ ଆଉ ଗୋଟିଏ ପଦକ୍ଷେପ ଯୋଡିଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛିି । ସେମିନାର, ୱାର୍କସପ୍‌, କନଫରେନ୍‌ସ ଉପରେ କଟକଣା ଲଗାଯାଇଛି । ଧର୍ମୀୟ ଉତ୍ସବ ଓ ବିବାହ ଭୋଜି ଭଳି ସାମାଜିକ କାର୍ଯ୍ୟକ୍ରମଗୁଡିକୁ ନିୟନ୍ତ୍ରିତ କରାଯାଉଛି ।

ସମ୍ବନ୍ଧିତ ଖବର