ଦୁର୍ଗମ ବଲଙ୍ଗ ପଞ୍ଚାୟତକୁ ନାହିଁ ପକ୍କା ରାସ୍ତା, ଅଞ୍ଚଳବାସୀ ହନ୍ତସନ୍ତ

ବନ୍ତଳା : ଅନୁଗୁଳ ବ୍ଲକ୍‌ର ଦୁର୍ଗମ ବଲଙ୍ଗ ପଞ୍ଚାୟତକୁ ପିଚୁ ବା କଂକ୍ରିଟ ରାସ୍ତା ନଥିବା ଫଳରେ ପଞ୍ଚାୟତବାସୀଙ୍କୁ ବର୍ଷ ସାରା ହନ୍ତସନ୍ତ ହେବାକୁ ପଡୁଥିବା ଦେଖିବାକୁ ମିଳିଛି। ଗମନାଗମନକୁ ସହଜ କରିବା ପାଇଁ ସରକାର ସବୁ ଗାଁକୁ ପିଚୁ ରାସ୍ତା ସଂଯୋଗ କରିବା ପାଇଁ ଯୋଜନା କରିଛନ୍ତି। କିନ୍ତୁ ବଲଙ୍ଗ ପଞ୍ଚାୟତର ଏହି ବନବାସୀଙ୍କ ପାଇଁ ପିଚୁ ରାସ୍ତା ସ୍ୱପ୍ନ ପାଲଟିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ୍‌ ବଲଙ୍ଗ ପଞ୍ଚାୟତ ଏକ ଦୁର୍ଗମ ଅଞ୍ଚଳ। ପଞ୍ଚାୟତର ଅଧିକାଂଶ ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ମୂଲ ମଜୁରି କରି ଜୀବିକା ନିର୍ବାହ କରୁଛନ୍ତି। ତେବେ ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ବିଭିନ୍ନ ସମୟରେ ସେମାନେ କାମ ଖୋଜିବା ପାଇଁ ବନ୍ତଳା ଓ ଅନୁଗୁଳ ଅଞ୍ଚଳକୁ ଆସିବା ସମ୍ଭବ ହେଉନାହିଁ। ଜଙ୍ଗଲ ଘେରରେ ଥିବା ଉକ୍ତ ପଞ୍ଚାୟତ ସବୁବେଳେ ଅବହେଳିତ ହୋଇଆସିଛି। ଦେଶ ସ୍ୱାଧୀନତା ହେବାର ୭୫ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଏହି ପଞ୍ଚାୟତବାସୀଙ୍କୁ ନା ମିଳିପାରିଛି ମୋବାଇଲ୍‌ ନେଟୱର୍କ ନା ଅଛି ପିଚୁ ରାସ୍ତା। ଫଳରେ ବଲଙ୍ଗ ପଞ୍ଚାୟତ ତଳଶିରା, ଲବଙ୍ଗୀ, ଯୋକୁବ, ପମ୍ପାସର ଗ୍ରାମର ୩ ହଜାରରୁ ଊର୍ଦ୍ଧ୍ବ ଲୋକ ଏସବୁ ସମସ୍ୟା ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଗାଁଗୁଡିକୁ ଯିବାକୁ ହେଲେ ବଣ ପାହାଡ଼ ଦେଇ ପ୍ରାୟ ୩ରୁ ୪କିମି ବାଟ ଅତିକ୍ରମ କରିବାକୁ ପଡ଼ିଥାଏ। ଏହି ଗାଁଗୁଡ଼ିକୁ ଗମନାଗମନ ପାଇଁ ମାଟି ରାସ୍ତା ହିଁ ଭରସା। ତେବେ ବର୍ଷା ଦିନରେ ପାହାଡ଼ରୁ ପାଣି ଆସି ରାସ୍ତା ଧୋଇ ହୋଇଯାଉଥିବାରୁ ଅନେକ ସମୟରେ ଏହି ରାସ୍ତା ଦେଇ ଯିବା ବିପଜ୍ଜନକ ହୋଇଥାଏ। ତେବେ ଉକ୍ତ ରାସ୍ତାଟି ଜଙ୍ଗଲ କିସମ ହୋଇଥିବାରୁ ଏକ ନିତିଦିନିଆ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ଅହେତୁକ ବିଳମ୍ବ ହେଉଛି। ଯଥାଶୀଘ୍ର ସରକାରଙ୍କ ପକ୍ଷରୁ ଉକ୍ତ ରାସ୍ତାର କିସମ ପରିବର୍ତ୍ତନ କରି ସେଠାରେ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର