କଟକଣା ଜାରି କଲେ ବାଚସ୍ପତି : ବିଧାନସଭା ପରିସରରେ ପାନ, ସିଗାରେଟ୍ ମନା, ମଦ ପିଇ ଆସିଲେ ଚାକିରି ଯିବ

ଭୁବନେଶ୍ବର:  ବିଧାନସଭାକୁ ପାନ ମନା । ଓଡିଶା ବିଧାନସଭା ଭିତରକୁ ପଶି ପାରିବନି ପାନ, ଗୁଟଖା ଓ ତମାଖୁ । ସେତିକି ନୁହେଁ, ବିଧାନସଭା ପରିସରରେ ସିଗାରେଟ ବି ଖାଇବା ମନା । କୌଣସି କର୍ମଚାରୀ କିମ୍ବା ବିଧାୟକ ଯଦି ପାନ ଖାଇଥାନ୍ତି କିମ୍ବା ଗୁଟଖା ଖାଇଥାନ୍ତି ତେବେ ସେମାନଙ୍କ ପ୍ରବେଶ ଉପରେ ରୋକ ଲଗାଇ ଦିଆଯିବ । କୌଣସି ଲୋକ ପାନ ଖାଇ ବିଧାନସଭା ପରିସରକୁ ପଶିପାରିବେନି ବୋଲି ସିଧା ସିଧା ମନା କରିଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏଥିସହ ବିଧାନସଭା ପରିସରରେ କେହି ଛେପ ବି ପକାଇ ପାରିବେନି ବୋଲି ବାରଣ କରିଛନ୍ତି ବାଚସ୍ପତି ।

ତେବେ ସବୁଠାରୁ ବଡ କଥା ହେଉଛି ବିଧାନସଭାକୁ କେହି ମଦ ପିଇ ଆସିଲେ ବରଦାସ୍ତ କରାଯିବନି । ଯଦି କୌଣସି କର୍ମଚାରୀ ମଦ୍ୟ ପାନ କରି ଆସନ୍ତି ତେବେ ସଙ୍ଗେ ସଙ୍ଗେ ସେମାନଙ୍କୁ ଚାକିରିରୁ ବିଦା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ବାଚସ୍ପତି ।

କରୋନା ମୁକାବିଲା ପାଇଁ ଲୋକସଭା ବାଚସ୍ପତି ଓମ ପ୍ରକାଶ ବିର୍ଲାଙ୍କ ଭିଡିଓ କନଫରେନ୍ସରେ ବିଧାନସଭା ବାଚସ୍ପତି ଶ୍ରୀ ପାତ୍ରଙ୍କ ସହ ବିଭିନ୍ନ ରାଜ୍ୟର ବାଚସ୍ପତି ସାମିଲ ହୋଇଥିଲେ । ଭୁବନେଶ୍ୱରର ଥିବା ଜାତୀୟ ବିଜ୍ଞାନ ସୂଚନା କେନ୍ଦ୍ର ଅଫିସରେ ଏହି ଭିଡିଓ କନଫରେନ୍ସି ହୋଇଥିଲା । ଦେଶର ସବୁ ରାଜ୍ୟର ବିଧାନସଭା ବାଚସ୍ପତିଙ୍କ କରୋନା ନେଇ ଆଲୋଚନା କରିଛନ୍ତି ଲୋକସଭା ବାଚସ୍ପତି । ଏହା ସହ ବିଭିନ୍ନ ରାଜ୍ୟର ବିଧାନସଭାର କାର୍ଯ୍ୟକଳାପ ଉପରେ ଆଲୋଚନା କରିବା ସହ କରୋନା ମୁକାବିଲାରେ ବିଧାୟକଙ୍କ ଭୂମିକା କ’ଣ ହେବା ଆବଶ୍ୟକ ସେ ନେଇ ଆଲୋଚନା ହୋଇଥିଲା ।
ସମ୍ବନ୍ଧିତ ଖବର