ଯୁକ୍ତ୨ ପ୍ରଥମ ବର୍ଷରେ ପାସ୍‌ଫେଲ୍‌ ବ୍ୟବସ୍ଥା ଏ ବର୍ଷ ଲାଗୁ ହେବନି

ଆନ୍ଦୋଳନ ପରେ ମତ ବଦଳାଇଲେ ମନ୍ତ୍ରୀ, ୨୦୨୦-୨୧ ଶିକ୍ଷାବର୍ଷରୁ କଡ଼ାକଡ଼ି ଲାଗୁ

ଭୁବନେଶ୍ବର : ଯୁକ୍ତ୨ ଦ୍ବିତୀୟ ବର୍ଷ ତଥା ଦ୍ବାଦଶ ଶ୍ରେଣୀକୁ ଯିବାକୁ ହେଲେ ଏକାଦଶ ଶ୍ରେଣୀ ପାସ୍‌ କରିବା ନିହାତି ଆବଶ୍ୟକ। ଯଦି କୌଣସି ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ୩୩ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ନ ହୁଅନ୍ତି ତେବେ ସେ ଦ୍ବାଦଶ ଶ୍ରେଣୀକୁ ଯାଇପାରିବେ ନାହିଁ। ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ। ତେବେ ଦିନ କେଇଟା ଯାଇନି ମନ୍ତ୍ରୀ ଶ୍ରୀ ଦାଶ ଆଜି ନିଜର ମତ ପରିବର୍ତନ କରିଛନ୍ତି। ଚଳିତବର୍ଷ ଏହି ନିୟମ ଲାଗୁ ହେବ ନାହିଁ। ବରଂ ୨୦୨୦-୨୧ ଶିକ୍ଷାବର୍ଷରୁ ନିୟମକୁ କଡ଼ାକଡ଼ି ଲାଗୁ କରାଯିବ ବୋଲି ଶ୍ରୀ ଦାଶ ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଯୁକ୍ତ୨ ପ୍ରଥମ ବର୍ଷରେ ପରୀକ୍ଷା ବ୍ୟବସ୍ଥା ଆଗରୁ ରହିଆସିଛି। ଏଥର ସେମିତି କିଛି ବଡ଼ ନିଷ୍ପତ୍ତି ନିଆଯାଇ ନଥିଲା। ବରଂ ପିଲାମାନେ କିଭଳି ଭଲ ପ୍ରଦର୍ଶନ କରିବେ ସେଥିପାଇଁ ୩୩% ମାର୍କ ରଖିବା ବାଧ୍ୟତାମୂଳକ ହୋଇଥିଲା। ଏଥିସହ ପିଲାଙ୍କୁ ଦୁଇଟି ସୁଯୋଗ ଦେବାକୁ ବି ଚିନ୍ତା କରାଯାଇଥିଲା। ତେବେ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ନଥିବା କହିଥିଲେ। ତେଣୁ ଚଳିତବର୍ଷ ଏହି ନିଷ୍ପତ୍ତିକୁ କୋହଳ କରିବାକୁ ବିଭାଗ ସ୍ଥିର କରିଛି। ତେବେ ଆସନ୍ତା ଶିକ୍ଷାବର୍ଷରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଯେଉଁ ପିଲାମାନେ ପ୍ରଥମ ବର୍ଷରେ ୩୩ ପ୍ରତିଶତ ମାର୍କ ନ ରଖି‌ବେ ସେମାନେ ଦ୍ବିତୀୟ ବର୍ଷକୁ ଉନ୍ନିତ ହୋଇପାରିବେ ନାହିଁ।

ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ଏଭଳି ଘୋଷଣା ପରେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ମିଳିଛି। ନିଷ୍ପତ୍ତି କାର୍ଯ୍ୟକାରୀ ନ କରିବା ଦାବିରେ ଗତ ସପ୍ତାହରେ ଭୁବନେଶ୍ବରର ବିଭିନ୍ନ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ଛାତ୍ରଛାତ୍ରୀ ପର୍ଯ୍ୟାୟକ୍ରମେ ରାଜରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନ କରିବା ସହ ପୋଡ଼ାଜଳା କରିଥିଲେ। ପରିଣାମସ୍ବରୂପ ଗଣଶିକ୍ଷା ବିଭାଗ ପୂର୍ବ ନିଷ୍ପତ୍ତିରୁ ଓହରିଛି। ଏଥର ଯୁକ୍ତ୨ ପ୍ରଥମ ବର୍ଷରେ ପଢ଼ୁଥିବା ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷାରେ ପାସ୍‌ କିମ୍ବା ଫେଲ୍‌ ହେଲେ କିଛି ଅସୁବିଧା ନାହିଁ। ସେମାନେ ସିଧାସଳଖ ଯୁକ୍ତ୨ ଦ୍ବିତୀୟ ବର୍ଷକୁ ଉନ୍ନିତ ହେବ‌େ ଏବଂ କ୍ଲାସ୍‌ କରି‌ବେ।

ସମ୍ବନ୍ଧିତ ଖବର