ନିରାକାରପୁର ବସ୍‌ଷ୍ଟାଣ୍ତରେ ବିଶ୍ରାମଗାର ନ ଥିବାରୁ ଯାତ୍ରୀ ହଇରାଣ

ନିରାକାରପୁର : ଖୋର୍ଦ୍ଧା ଉପଖଣ୍ତର ବ୍ୟସ୍ତବହୁଳ ନିରାକାରପୁର ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗାର ନ ଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି।

ସୂଚନାଯୋଗ୍ୟ ଯେ, ନିରାକାରପୁରରେ ସର୍ବପୂରାତନ ଗ୍ରାମୀଣ ମହାବିଦ୍ୟାଳୟ, ପ୍ରାଚୀନ ହାଟ, ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ପୁରୀରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କ ସହିତ ଅଳ୍ପ ଦୂରରେ ୧୬ନମ୍ବର ଜାତୀୟ ରାଜପଥ ରହିଛି। ସେହିପରି ଖୋର୍ଦ୍ଧା ପୂର୍ବତଟ ରେଳପଥର ଏହା ଏକ ପ୍ରମୁଖ ରେଳଷ୍ଟେସନ ହୋଇଥିବାରୁ ଦୈନିକ ଏଠାରେ ବିଭିନ୍ନ ଜିଲ୍ଲାର ଶହଶହ ସଂଖ୍ୟାରେ ଲୋକଙ୍କ ସମାବେଶ ଦେଖିବାକୁ ମିଳିଥାଏ। ଖାଲି ସେତିକି ନୁହେଁ ଦୈନିକ ଏଠାରେ ଥିବା ସବୁଦିନିଆ ବଜାର ଓ ରେଲୱେ ଷ୍ଟେସନ ଉପରେ ନିର୍ଭର କରନ୍ତି ଆଖପାଖ ବେଗୁନିଆଁ, ସତ୍ୟବାଦୀ, ବ୍ରହ୍ମଗିରି, ଖୋର୍ଦ୍ଧା ଓ ରଣପୁର ନିର୍ବାଚନ ମଣ୍ତଳୀର ଜନସାଧାରଣ। ନିରାକାରପୁର ସମେତ ବିଭିନ୍ନ ଅଞ୍ଚଳରୁ ଦୈନିକ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ବସ ଏହି ରୁଟ୍‌ରେ ଚଳାଚଳ କରିଥାଏ। ହେଲେ ଦୁଃଖର ବିଷୟ ନିରାକାରପୁର ଠାରୁ ପୁରୀ ଯିବା ଉଦ୍ଦେଶ୍ୟରେ ଆସୁଥିବା ଶହଶହ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ପାଇଁ ନିରାକାରପୁର ବସ୍‌ଷ୍ଟାଣ୍ତରେ ବିଶ୍ରାମାଗାରଟିଏ ନାହିଁ। ଫଳରେ ସକାଳୁ ସଞ୍ଜ ଯାଏଁ ଖୋଲା ଆକାଶ ତଳେ ଖରା,ବର୍ଷା ଶୀତକାକର ସହି ଯାତ୍ରୀମାନେ ବସ୍‌ ପାଇଁ ଅପେକ୍ଷା କରିବାକୁ ବାଧ୍ୟ ହୋଇଥାନ୍ତି। ବିଶେଷକରି ମହିଳା ଯାତ୍ରୀମାନଙ୍କ ପାଇଁ ଶୌଚାଳୟଟିଏ ନ ଥିବାରୁ ସେମାନେ ବିଶେଭୋବେ ହଇରାଣହରକତ ହୋଇଥାନ୍ତି। ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର