ଜୟପୁର: ଗତ ୧୨ବର୍ଷ ହେବ ଜୟପୁର ପୌରପାଳିକାରେ ନାହାନ୍ତି ନିୟମିତ ସ୍ବାସ୍ଥ୍ୟ ଅଧିକାରୀ। ଫାଇଲ ଗୁଡିକରେ ଦସ୍ତଖତ ପାଇଁ ଗତ ୮ ବର୍ଷ ହେବ ଜଣେ ଡାକ୍ତରଙ୍କୁ ଦିଆଯାଇଛି ଅତିରିକ୍ତ ଦାୟିତ୍ଵ। ସହରର ପରିମଳ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା ପାଇଁ ବେସରକାରୀ ସଂସ୍ଥାକୁ ସଫେଇ ଦାୟିତ୍ୱ ଦିଆଯାଇଛି। ସ୍ଥାୟୀ ସ୍ବାସ୍ଥ୍ୟ ଅଧିକାରୀ ନଥିବାରୁ ସଠିକ ଭାବେ ତଦାରଖ ହୋଇ ପାରୁନଥିବାରୁ ସହରରେ କୁଢ଼ କୁଢ଼ ଅବର୍ଜନା ଜମା ହୋଇ ରହୁଥିବା ଅଭିଯୋଗ ହୋଇଛି।

Advertisment

ଜୟପୁର ପୌରପାଳିକାରେ ୨୮ଟି ୱାର୍ଡ, ୪୦ଟି ବସ୍ତି ଓ୨୦୦ରୁ ଊର୍ଦ୍ଧ୍ବ ଗଳି ରହିଛି। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ତା ସାଙ୍ଗକୁ ନୂଆ ନୂଆ କଲୋନୀ ଓ ନୂଆ ଘରବି ବୃଦ୍ଧି ପାଇବାରେ ଲାଗିଛି। ଏହାସାଙ୍ଗକୁ ଶହ ଶହ ଉଠା ଦୋକାନ, ହୋଟେଲ, ଜଳଖିଆ ଦୋକାନ, ସହରରେ ଶତାଧିକ ମାଛ, ଛେଳି ଓ କୁକୁଡା ମାଂସର ଦୋକାନ ସଂଖ୍ୟାରେ ବି ବୃଦ୍ଧି ପାଇଛି। ବିଦ୍ୟାଧର ସିଂ ଦୈନିକ ବଜାର, ଦ୍ବିତୀୟ ଦୈନିକ ବଜାର ସହ ଏବେ ମୁଖ୍ୟରାସ୍ତା ସହ ଓଏସଆରଟିସି ଗ୍ୟାରେଜ ପାର୍ଶ୍ବରେ ବି ପନି ପରିବା ବଜାର ଆରମ୍ଭ ହୋଇଛି। ଏତେ ବଡ ସହରର ପରିମଳ, ପରିଚ୍ଛନ୍ନତା, ସଫେଇ, ସ୍ବେରେଜ ବ୍ୟବସ୍ଥା ସହ ଉପରୋକ୍ତ ଦୋକାନ, ହୋଟେଲ ଓ ଅମିଷ ବଜାର, ପନିପରିବା ବଜାରର ସଂପୁର୍ଣ୍ଣ ଯାଂଚ ଓ ତଦାରଖର ଦାୟିତ୍ବ ପୌର ସ୍ବାସ୍ଥ୍ୟ ଅଧିକାରୀଙ୍କର।

୨୦୧୨ମସିହାରେ ଡ.କେ.କେ ସରକାରଙ୍କ ବଦଳି ପରେ ଆଉ ନିୟମିତ ପୌରସ୍ବାସ୍ଥ୍ୟ ଅଧିକାରୀଙ୍କୁ ସରକାର ନିଯୁକ୍ତି ଦେଇ ନାହାନ୍ତି। ଡ.ସରକାରଙ୍କ ବଦଳି ପରେ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଡ.ଗୋପାଳ ନାୟକ ଭାରପ୍ରାପ୍ତ ଦାୟିତ୍ବରେ ଡିସେମ୍ବର ୨୦୧୨ ମେ ୩ରୁ ୨୦୧୬ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ ରହିଥିଲେ। ଏହା ପରେ ଡ .ଅରୁଣ ପାଢ଼ୀ ଜିଲ୍ଲାସ୍ତରରେ ବିଭିନ୍ନ ପଦବୀରେ ରହିବା ସହ ଭାରପ୍ରାପ୍ତ ଭାବେ ଦାୟିତ୍ବରେ ରହି ଆସିଛନ୍ତି। ତାଙ୍କ ବଦଳି ବାହାରକୁ ହେଲେ ଏହି ପଦବୀରେ ଜଣେ ଭରାପ୍ରାପ୍ତ ଡାକ୍ତରଙ୍କୁ ଦିଆଯାଉଛି। ପୁଣି ଜିଲ୍ଲାକୁ ଫେରି ଆସିଲେ ସେ ଏହି ପଦବୀରେ ରହି ଆସୁଥିଲେ। ଏହି ସ୍ଥିତିରେ ଗତ ୮ବର୍ଷ ହେବ ଏହି ପଦବୀରେ କେହି ସ୍ଥାୟୀ ଅଧିକାରୀ ନାହାନ୍ତି। ଗତ ଫେବୃଆରୀରେ ଡା.ଅରୁଣ ପାଢ଼ୀ ଅବସରଗ୍ରହଣ ପରେ ଉକ୍ତ ପଦବୀକୁ ପୁଣି ଅତିରିକ୍ତ ଭାବେ ଡାକ୍ତର ଐଶରୀୟ ପୃଷ୍ଟିଙ୍କୁ ଦାୟିତ୍ଵ ଦିଆଯାଇଛି। ଡାକ୍ତର ପୃଷ୍ଟି ଜୟପୁରସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ରହିଛନ୍ତି।

ଅନ୍ୟପକ୍ଷରେ ଏବେ ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ତାଙ୍କ ଦସ୍ତଖତର ଡିଜିଟାଇଜେସନ୍ ହୋଇଥିବାରୁ ଦସ୍ତଖତ ଆବଶ୍ୟକତା ପଡୁ ନଥିବା ସୂଚନା ମିଳିଛି। ଯେ ହେତୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ୟାନସର ୱାର୍ଡରେ ଡ.ପୃଷ୍ଟି କାମ କରିବା ସହ କମ୍ ସଂଖ୍ୟକ ଡାକ୍ତରଥିବାରୁ ବର୍ହିଃବିଭାଗରେ ବସି ଡ୍ୟୁଟି ବି କରୁଛନ୍ତି। ଏହି ସ୍ଥିତିରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସିଟ୍ ସବୁ ସମୟରେ ପାଙ୍କା ପଡୁଥିବା ଦେଖିବାକୁ ମିଳିଛି। ଜୟପୁର ପରି ଗୁରୁତ୍ବପୁର୍ଣ୍ଣ ତଥା ପ୍ରମୁଖ ସହରରେ ସ୍ଥାୟୀ ତଥା ନିୟମିତ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିଯୁକ୍ତି ଦେବାକୁ ଦାବି ହୋଇଛି।