ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସକାଳେ ଅନଲକ୍ ୬.୦ ଗାଇଡ୍ଲାଇନ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ରାଜ୍ୟରେ ସମସ୍ତ ପ୍ରକାରର ସାମାଜିକ, ରାଜନୈତିକ, କ୍ରୀଡ଼ା, ଶୈକ୍ଷିକ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ସମେତ ଏହି ଧରଣର ଅନ୍ୟ ସବୁ ସମାବେଶ ଉପରେ ଜାରିଥିବା ନିଷେଧାଦେଶକୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି।
ତେବେ, ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ପ୍ରଦାନ କରାଯାଇଥିବା ରାଜନୈତିକ ବା ନିର୍ବାଚନୀ ସମାବେଶ ପାଇଁ ସର୍ତ୍ତମୂଳକ ଅନୁମତିକୁ ନିର୍ବାଚନ ପ୍ରଚାର ଶେଷ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର। ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରା ଯାଇଥିବା ସର୍ତ୍ତ ଅନୁଯାୟୀ କୌଣସି ନିର୍ବାଚନୀ ସମାବେଶରେ ଏକକାଳୀନ ୧୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକତ୍ରିତ ହୋଇ ପାରିବେ ନାହିଁ। ନିର୍ବାଚନୀ ସମାବେଶ ଆୟୋଜନ କରୁଥିବା ରାଜନୈତିକ ଦଳ ବା ପ୍ରାର୍ଥୀଙ୍କୁ ପ୍ରସ୍ତାବିତ ସମାବେଶ ପାଇଁ ନିର୍ବାଚନ କମିଶନ/ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କିମ୍ବା ସେମାନଙ୍କ ଦ୍ୱାରା ଅଧିକୃତ ହୋଇଥିବା ଅଧିକାରୀଙ୍କ ଠାରୁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ। ବିନା ଅନୁମତିରେ କୌଣସି ପ୍ରକାରର ନିର୍ବାଚନୀ ସମାବେଶର ଆୟୋଜନ ହୋଇପାରିବ ନାହିଁ।
ଅନ୍ୟ ପକ୍ଷରେ ବିବାହ ସମାରୋହରେ ସର୍ବାଧିକ ୨୦୦ ଲୋକ ଉପସ୍ଥିତ ରହିପାରିବେ ଓ ପାରଲୌକିକ କ୍ରିୟାରେ ସର୍ବାଧିକ ୫୦ ଜଣ ଏକତ୍ରୀତ ହେବାକୁ ଅନୁମତି ମିଳିବ। ସେହିପରି ସମବେଶ ସ୍ଥଳୀରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପାଇଁ ଥର୍ମାଲ ସ୍କିନିଂ, ମାସ୍କ ପରିଧାନ ସହ ସାମାଜିକ ଓ ଶାରୀରିକ ଦୂରତା (ପରସ୍ପର ମଧ୍ୟରେ ୬ ଫୁଟର ବ୍ୟବଧାନ) ଓ ହାତ ଧୋଇବା ବା ସାନିଟାଇଜ୍ କରିବାକୁ ବାଧ୍ୟତାମୂଳକ କରାଯିବା ସହ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଯଦି କୌଣସି ହଲ, ଅଡିଟୋରିୟମ ବା ରୁଦ୍ଧ କଠୋରିରେ ଏହି ସମାବେଶ ଆୟୋଜିତ ହେଉଥାଏ ତେବେ ସେଠାରେ ଥିବା କ୍ଷମତାର ମାତ୍ର ୫୦ ପ୍ରତିଶତ ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁମତି ମଳିବ।