ମିଳୁନି ପର୍‌ମିଟ୍‌, ବରଗଡ଼-ଆହ୍ଲାବାଦ୍‌ ବସ୍‌ସେବା ମୂଳରୁ ଠପ୍‌

ବରଗଡ଼: ବରଗଡ଼ରୁ ଆହ୍ଲାବାଦକୁ ଖୁବ ଶୀଘ୍ର ସିଧାସଳଖ ବସ୍‌ ସେବା ଆରମ୍ଭ ହେବ ବୋଲି ଗତବର୍ଷ ସେପ୍ଟେମ୍ବର ମାସରୁ ଘୋଷଣା ହୋଇଥିଲା। ଏହି ନିଷ୍ପତ୍ତି ପରେ ଜିଲ୍ଲାବାସୀଙ୍କ ମହଲରେ ଆନନ୍ଦ ଖେଳି ଯାଇଥିଲା। କିନ୍ତୁ ଏହି ବସ୍‌ ସେବା କେବଳ ଘୋଷଣାରେ ସୀମିତ ରହିଛି। ପୂର୍ବରୁ ନିର୍ଦ୍ଧାରିତ ବସ୍‌ସେବା ପାଇଁ ଦୁଇଟି ଭଲ୍‌ବୋ ବସ୍‌ ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ପହଂଚିଥିଲା। ଏହି ବସ୍‌ ବରଗଡ଼ରୁ ଭାୟା ବିଲାସପୁର ଦେଇ ଆାହ୍ଲାବଦ୍‌କୁ ପ୍ରାୟ ୭୮୦ କିଲୋମିଟର ପଥ ୧୬ ଘଣ୍ଟାରେ ଅତିକ୍ରମ କରିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏଥିରେ କିଛି କାର୍ଯ୍ୟକାରୀ ହୋଇନାହିଁ।

ଜିଲ୍ଲାରୁ ଆନ୍ତଃରାଜ୍ୟ ବସ୍‌ସେବା ଜାରି ରହିଛି। ଆହ୍ଲାବାଦ ଯିବାକୁ  ପାଖାପାଖି ଦୁଇ କୋଟି ଟଙ୍କାର ଏହି ବସ୍‌ ଦୁଇଟି ୟାର୍ଡରେ ପଡ଼ି ଖତ ଖାଉଛି। ଏଣେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯିଏ ଆତ୍ମୀୟଙ୍କ ଅସ୍ଥି ବିସର୍ଜନ ପାଇଁ ଆହ୍ଲାବାଦ ଯିବାକୁ ଚାହୁଁଛି, ସେ ନାନାଦି ଅସୁବିଧା ଭୋଗୁଛି। ବରଗଡ଼ରୁ ପାହାନ୍ତା ଏବଂ ଦିନବେଳା ଦୁଇଟି ବସ୍‌ ବିଲାସପୁର ପହଂଚୁଛି। ସେଠାରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁଣି ଅନ୍ୟ ବସ୍‌ରେ ଆହ୍ଲାବାଦ ଯିବାକୁ ପଡ଼ୁଛି। ଫଳରେ ଲୋକଙ୍କୁ ଗୋଟିଏ ଦିନ ଏଥିପାଇଁ ବିନିଯୋଗ କରିବାକୁ ପଡ଼ୁଛି। ଶୀଘ୍ର ବରଗଡ଼-ଆହ୍ଲାବାଦ୍‌ ବସ୍‌ସେବା ଆରମ୍ଭ କରିବାକୁ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ଜିଲ୍ଲା ସାଧାରଣ ସମ୍ପାଦକ ରାମ ନାରାୟଣ ଭୋଇ, ଜିଲ୍ଲା ସଭାପତି ରାଜୁ ଘିବେଲା, ପ୍ରଦୀପ ଥପା, ରାଧେ ପୋଡ଼, ଅଶ୍ବିନୀଷାଣ୍ଢ, ଆଶିଷ ନିଆଲ, ଶୁଭେନ୍ଦୁ ବଗାର ଏବଂ ଅନ୍ୟ ବୁଦ୍ଧିଜୀବୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର