ଜୟପୁର: ପୌରପାଳିକା ପକ୍ଷରୁ ବିକ୍ରମଦେବ ବିଶ୍ବବିଦ୍ୟାଳୟ ସମ୍ମୁଖରେ ମହାରାଜ ବିକ୍ରମ ଦେବ ବର୍ମା ଓ ପାରାବେଡ଼ା ଛକରେ ସମ୍ବିଧାନ ପ୍ରଣେତା ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଲୋ‌କାର୍ପଣ ହୋଇଛି। ତେବ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୌରପାଳିକାରେ ସ୍ଥାନ ମିଳି ପାରୁନି। ଅପରପକ୍ଷରେ ପ୍ରତିମୂର୍ତ୍ତି ଆସି ୬ମାସ ହେବ ପୌର କାର୍ଯ୍ୟାଳୟରେ ଖତ ଖାଉଛି।

Advertisment

ସହରର ବିଭିନ୍ନ ସଂଗଠନ ସହ ବିଜୁ ସ୍ମୃତି କମିଟି ପକ୍ଷରୁ ପୌରପାଳିକା ନିକଟରେ  ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବାରମ୍ବାର ଦାବି ହୋଇଥିଲା। ତେବେ ବର୍ଷକ ହେବ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପ୍ରୟାସରେ ପୌରପାଳିକା ଏଯାଏଁ ସଫଳ ହୋଇପାରିନି। ଥରେ ମୁକ୍ତା ଯୋଜନାରେ ଏକ ଲକ୍ଷ ୮୫ହଜାର ଟଙ୍କା ବିନିମୟରେ ଭୁବନଶ୍ବେରର ଏକ ସଂସ୍ଥା ନିକଟରୁ ଫାଇବର ରେନ୍ ଫୋର୍ସଡ ପଲିମରରେ ନିର୍ମିତ ପ୍ରତିମୂର୍ତ୍ତି ବରାଦ ଦେଇ ଆଣିଥିଲେ। ଆଚାନକ ଭାବେ ଏହାକୁ ଖୋଲି ଦେଖିବାରେ ମୂର୍ତ୍ତିର ଉଚ୍ଚତା ଅନୁଯାୟୀ ବିଜୁ ବାବୁଙ୍କ ମୁହଁ ଯେତେ ବଡ ହେବା କଥା ସେତେବଡ଼ ନଥିବା ଦେଖିଥିଲେ। ଏହା ପରେ ଏହି ମୂର୍ତ୍ତିରେ ରହିଥିବା ବ୍ୟାପକ ଭୁଲ ଭଟକାକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରି ଉଚ୍ଚତା ଅନୁଯାୟୀ ମୁହଁ ସବୁ ଯେଭଳି ରହିବ ସେଭଳି ମୂର୍ତ୍ତି ଅଣାଯାଇଥିଲା। ଏହି ମୂର୍ତ୍ତୀ ସହ ସମ୍ବିଧାନ ପ୍ରଣେତା ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତମୂର୍ତ୍ତି ଓ ଅଶୋକଚକ୍ର ଅଣାଯାଇଥିଲା। ପୌରପାଳିକା ପରିସରରେ ଶୌଚାଳୟ ନିକଟରେ ଏହାକୁ ରଖାଯାଇଥିଲା। ଏହାକୁ‌ ନେଇ ମତମନ୍ତବ୍ୟ ଲୋକେ ଦେବା ପରେ ଏହାକୁ ସ୍ଥାନାନ୍ତର କରି କାର୍ଯ୍ୟାଳୟର ସମ୍ମୁଖ ଗୋଟିଏ କୋଣରେ ଆଣି ରଖାଯାଇଥିଲା। ଏହାକୁ ଆଣିବା ପରେ ଏହାକୁ ଲୋକାର୍ପିତ କରାଯିବ ବୋଲି ଲୋକେ ଚିନ୍ତା କରୁଥିଲେ। ତେବେ ତାହା ଏଯାଏଁ ହୋଇ ପାରିନି। ଅପରପକ୍ଷରେ ପାରାବେଡ଼ା ଛକ‌ରେ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ  ଆଜି ହୋଇଯାଇଛି।

ଅପରପକ୍ଷରେ ପରିତ୍ୟକ୍ତ ଅବସ୍ଥାରେ ବିଜୁବାବୁ ଓଅଶୋକଚତକ୍ର ପଡ଼ି ରହିଛନ୍ତି। ଘୋଡାଯାଇଥିବା ସବୁ ପଲିଥିନ୍ ବାହାରି ପଡ଼ିଥିବା ବେଳେ କେବଳ ମୁହଁର ଘୋଡାଇ ରଖାଯାଇଛି। ଏହାରି ମଧ୍ୟରେ ଏହି ପ୍ରତିମୂର୍ତ୍ତିକୁ ମୁଖ୍ୟଟ୍ରାଫିକ ଛକ ପାର୍ଶ୍ବ ଜୟପୁର ଲେଖାହୋଇଥିବା ସ୍ଥାନରେ ସ୍ଥାପନ କରାଯିବାକୁ ଯୋଜନା କରାଯାଇଥିଲା। ତେବେ ଏହି ଅଂଚଳକୁ ନେଇ ହୋଇଥିବା ମାମଲା କୁଆଡେ ହାଇ‌କୋର୍ଟରେ ବିଚାରାଧୀନ ରହିଛି। ସେଭଳି ଅଶୋକଚକ୍ରକୁ ମୁଖ୍ୟଟ୍ରାଫିକ ଛକର ରୋଟରୀ ନିକଟରେ ସ୍ଥାପନ କରାଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଯେଉଁ ପୂଜ୍ୟପୂଜାକୁ ଚିନ୍ତା କରି ପ୍ରତିମୂର୍ତ୍ତି ଅଣାଯାଇଥିଲା ଗତ ୬ମାସ ହେବ ଖୋଲା ଆକାଶ ତଳେ ଏଭଳି ରଖିବା କେଉଁ ପୂଜ୍ୟପୂଜା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଯଦି ସ୍ଥାନ ଚୟନ କରାଯାଇଛି ତେବେ ମୂର୍ତ୍ତି ଗୁଡିକୁ ନେଇ ସେଠାରେ ସ୍ଥାପନ କରିବା ପାଇଁ କାହିଁକି ପୌରପାଳିକା ପଛଘୁଛାଂ ଦେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ପାରିଷଦ ବୈଠକରେ ଶୀଘ୍ର ନିଷ୍ପତି ନିଆଯାଇ ସହରର ପ୍ରମୁଖ ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଯୋଜନା ରହିଛି। ଅତିଶୀଘ୍ର ଏହା କରାଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ।