ବିଜୁବାବୁଙ୍କ ପାଇଁ ମିଳିଳାନି ସ୍ଥାନ: ୬ ମାସ ପ୍ରତିମୂର୍ତ୍ତି ପୌରପାଳିକାରେ ଖୋଳା ଆକାଶ ତଳେ ରହିବା ପରେ ଗାୟବ

ଜୟପୁର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୌରପାଳିକାରେ ସ୍ଥାନ ମିଳି ପାରୁନି। ଅପରପକ୍ଷରେ ପ୍ରତିମୂର୍ତ୍ତି ଆସି ୬ମାସ କାଳ ପୌରପାଳିକାରେ ଖତ ଖାଇ  ଗୋଟିଏ କୋଣରେ ପଡ଼ି ରହିଥିଲା। ତେବେ ଏହା ଏବେ ଗାୟବ ହୋଇ ଯାଇଛି। ଏହାରି ମଧ୍ୟରେ ରାଜ୍ୟରେ ବିଜେପି ଶାସନଭାରକୁ ଆସିଛି। ରାଜ୍ୟରେ ବିଜେଡି ଶାସନରେ ଥିବା ସମୟରେ ଯଦି ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନ ମିଳି ପାରିନଥିଲା ଏବେ ବିଜେପି ଶାସନ ସମୟରେ ସ୍ଥାନ ମିଳିବ କି ବୋଲି ପ୍ରଶ୍ନ ଉଠିଛି। ସେହିପରି ପୌରପାଳିକା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତମୂର୍ତ୍ତି ଅଚାନକ କେଉଁ ଆଡେ ଗାୟବ ହୋଇଗଲା ବୋଲି ଚର୍ଚ୍ଚା ଜୋର ଧରିଛି।

ସହରର ବିଭିନ୍ନ ସଂଗଠନ ସହ ବିଜୁ ସ୍ମୃତି କମିଟି ପକ୍ଷରୁ ପୌରପାଳିକା ନିକଟରେ  ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବାରମ୍ବାର ଦାବି ହୋଇଥିଲା। ତେବେ ବର୍ଷକ ହେବ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପ୍ରୟାସରେ ପୌରପାଳିକା ଏଯାଏଁ ସଫଳ ହୋଇପାରିନି। ଥରେ ମୁକ୍ତା ଯୋଜନାରେ ଏକ ଲକ୍ଷ ୮୫ହଜାର ଟଙ୍କା ବିନିମୟରେ ଭୁବନଶ୍ବେରର ଏକ ସଂସ୍ଥା ନିକଟରୁ ଫାଇବର ରେନ୍ ଫୋର୍ସଡ ପଲିମରରେ ନିର୍ମିତ ପ୍ରତିମୂର୍ତ୍ତି ବରାଦ ଦେଇ ଆଣିଥିଲେ। ଆଚାନକ ଭାବେ ଏହାକୁ ଖୋଲି ଦେଖିବାରେ ମୂର୍ତ୍ତିର ଉଚ୍ଚତା ଅନୁଯାୟୀ ବିଜୁ ବାବୁଙ୍କ ମୁହଁ ଯେତେ ବଡ ହେବା କଥା ସେତେବଡ଼ ନଥିବା ଦେଖିଥିଲେ। ଏହା ପରେ ଏହି ମୂର୍ତ୍ତିରେ ରହିଥିବା ବ୍ୟାପକ ଭୁଲ ଭଟକାକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରି ଉଚ୍ଚତା ଅନୁଯାୟୀ ମୁହଁ ସବୁ ଯେଭଳି ରହିବ ସେଭଳି ମୂର୍ତ୍ତି ଅଣାଯାଇଥିଲା। ଏହି ମୂର୍ତ୍ତି ସହ ସମ୍ବିଧାନ ପ୍ରଣେତା ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତମୂର୍ତ୍ତି ଓ ଅଶୋକଚକ୍ର ଅଣାଯାଇଥିଲା। ପୌରପାଳିକା ପରିସରରେ ଶୌଚାଳୟ ନିକଟରେ ଏହାକୁ ରଖାଯାଇଥିଲା। ଏହାକୁ‌ ନେଇ ମତମନ୍ତବ୍ୟ ଲୋକେ ଦେବା ପରେ ଏହାକୁ ସ୍ଥାନାନ୍ତର କରି କାର୍ଯ୍ୟାଳୟର ସମ୍ମୁଖ ଗୋଟିଏ କୋଣରେ ଆଣି ରଖାଯାଇଥିଲା। ଏହାକୁ ଆଣିବା ପରେ ଏହାକୁ ଲୋକାର୍ପିତ କରାଯିବ ବୋଲି ଲୋକେ ଚିନ୍ତା କରୁଥିଲେ।

ତେବେ ତାହା ହୋଇ ପାରିନଥିଲା। ଏହାରି ମଧ୍ୟରେ ଏହି ପ୍ରତିମୂର୍ତ୍ତିକୁ ମୁଖ୍ୟଟ୍ରାଫିକ ଛକ ପାର୍ଶ୍ବ ଜୟପୁର ଲେଖାହୋଇଥିବା ସ୍ଥାନରେ ସ୍ଥାପନ କରାଯିବାକୁ ଯୋଜନା କରାଯାଇଥିଲା। ତେବେ ଏହି ଅଂଚଳକୁ ନେଇ ହୋଇଥିବା ମାମଲା କୁଆଡେ ହାଇ‌କୋର୍ଟରେ ବିଚାରାଧୀନ ରହିଛି। ଏହି ସ୍ଥିତିରେ ଏହା ସ୍ଥାପନ ହୋଇ ପାରି ନଥିଲା। ଯେଉଁ ପୂଜ୍ୟପୂଜାକୁ ଚିନ୍ତା କରି ପ୍ରତିମୂର୍ତ୍ତି ଅଣାଯାଇଥିଲା ତାହା  ୬ମାସ ଧରି ଖୋଲା ଆକାଶ ତଳେ ରହିବା ପରେ ଏବେ ଗାୟବ। ଯଦି ସ୍ଥାନ ଚୟନ କରାଯାଇଛି ତେବେ ମୂର୍ତ୍ତିକୁ ନେଇ ସେଠାରେ ସ୍ଥାପନ କରିବା ପାଇଁ କାହିଁକି ପୌରପାଳିକା ପଛଘୁଛାଂ ଦେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

 

 

ସମ୍ବନ୍ଧିତ ଖବର