ପୁଲିସ-ଆଇନଜୀବୀଙ୍କ ବିବାଦ ପରେ ଜିଲ୍ଲା କାରାଗାରରେ କଏଦୀଙ୍କ ପାଇଁ ଜାଗା ସଂକଟ

ପୁରୀ : ପୁଲିସ-ଆଇନଜୀବୀଙ୍କ ବିବାଦ ପରେ ମାସେରୁ ଅଧିକ ଦିନ ହେବ ଆଇନଜୀବୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି। ଫଳରେ ସମସ୍ତ କୋର୍ଟ, କଚେରି କାର୍ଯ୍ୟ ଠପ୍ ହୋଇଯାଇଛି। ଶହ ଶହ ମାମଲା ବିଚାର ନ ହୋଇ ପଡ଼ିରହିଛି। ତେବେ କୋର୍ଟ, କଚେରିଠାରୁ ସଙ୍ଗୀନ୍ ପରିସ୍ଥିତି ଦେଖିବାକୁ ମିଳିଛି କାରାଗାରରେ। ପୁରୀ ଜିଲ୍ଲା କାରାଗାର ଏହାର ନଗ୍ନ ଉଦାହରଣ ପାଲଟିଛି। ଦିନକୁ ଦିନ ଏଠାରେ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ କାରାଗାରରେ ସ୍ଥାନାଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ କାରାଗାର ଦାୟିତ୍ବରେ ଥିବା ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି। ବିକଳ୍ପ କଥା ଚିନ୍ତା କରା ନଗଲେ, ସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି କାରାଗାରର ଅଧିକାରୀମାନେ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ନିକଟରେ ପୁରୀରୁ ରାମଚଣ୍ଡୀ ନିକଟସ୍ଥ ବାଙ୍ଗରକୁ ସ୍ଥାନାନ୍ତର ହୋଇଥିବା ପୁରୀ ଜିଲ୍ଲା କାରାଗାରରେ କଏଦୀ ରହିବା ପାଇଁ ୨୯ଟି ୱାର୍ଡ ରହିଛି। ଯେଉଁଥିରେ ପୁରୁଷ କଏଦୀଙ୍କ ପାଇଁ ୨୪ଟି ୱାର୍ଡ ଓ ମହିଳା କଏଦୀଙ୍କ ପାଇଁ ୫ଟି ୱାର୍ଡ ରହିଛି। ସଂଖ୍ୟା ଉପରେ ନଜର ପକାଇଲେ, ଜିଲ୍ଲା କାରାଗାରର କଏଦୀ ରଖିବା କ୍ଷମତା ୪୭୦ ରହିଛି। କିନ୍ତୁ ଏ ଭିତରେ କଏଦୀ ସଂଖ୍ୟା ୭୪୬ରେ ପହଞ୍ଚିଲାଣି। ଯେଉଁଥିରେ ୧୬ଜଣ ମହିଳା ଓ ବାକି ପୁରୁଷ କଏଦୀ ରହିଛନ୍ତି। ଏହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ପୂର୍ବରୁ ପୁରୀରେ ଜିଲ୍ଲା କାରାଗାର ଥିବା ସମୟରେ କଏଦୀ ସଂକ୍ୟା ୩୦୦ ଭିତରେ ରହୁଥିଲା। କିନ୍ତୁ ଆଇନଜୀବୀଙ୍କ ଆନ୍ଦୋଳନ ଫଳରେ ଏହି ସଂଖ୍ୟା ପାଖାପାଖି ୨୦୦ ବଢ଼ିଯାଇଛି। କାରଣ ଯେଉଁମାନେ ଦିନେ ଦୁଇଦିନରେ ଜାମିନରେ ମୁକୁଳିବା କଥା ସେମାନେ ମାସ ମାସ ଧରି କାରାଗାରରେ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ଫଳସ୍ବରୂପ କଏଦୀ ସଂଖ୍ୟା କମିବା ବଦଳରେ ବଢ଼ି ବଢ଼ି ଚାଲିଛି।

ଜିଲ୍ଲା କାରାଗାରର ଏହି ଚିନ୍ତାକୁ ଦ୍ବିଗୁଣିତ କରିଛି ପୁରୀ ହିଂସାକାଣ୍ଡ। ପୁରୀ ହିଂସା ଘଟଣାରେ ପୁଲିସ ଏ ଭିତରେ ୭୪ଜଣଙ୍କୁ ଗିରଫ କରି ସାରିଲାଣି। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ। ଏପରି ପରିସ୍ଥିତିରେ ଜିଲ୍ଲା କାରାଗାରରେ କଏଦୀମାନେ କେଉଁଠି ରହିବେ, ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ବର୍ତମାନ ଗୋଟିଏ ୱାର୍ଡରେ କ୍ଷମତାଠାରୁ ବହୁ କଏଦୀ ରହୁଛନ୍ତି। ଯେଉଁଠି ସର୍ବାଧିକ ୨୬ରୁ ୨୭ କଏଦୀ ରହିବା କଥା, ସେଠି ଏବେ ୩୧ରୁ ୩୨ଜଣ କଏଦୀ ରହୁଛନ୍ତି। ଏପରି ପରିସ୍ଥିତି କଏଦୀଙ୍କ ପାଇଁ ସ୍ଥାନାଭାବ ସ୍ଥିତି ଉପୁଯିଥିବାବେଳେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଜଳଜଳ ହୋଇ ଦିଶୁଛି। କାରଣ ଆଇନଜୀବୀଙ୍କ ଆନ୍ଦୋଳନ ଆହୁରି ବହୁଦିନ ଧରି ଚାଲିବ। ଏ ଭିତରେ ପୁରୀ ହିଂସାକାଣ୍ଡ ସମେତ ଅନ୍ୟାନ୍ୟ ଘଟଣାରେ ଅଭିଯୁକ୍ତମାନେ ଗିରଫ ହେବେ। ଜନୈକ ଅଧିକାରୀଙ୍କ କହିବା ମୁତାବକ, ଏବେଠୁ କଏଦୀଙ୍କ ପାଇଁ ସ୍ଥାନାଭାବ ଦେଖାଦେଲାଣି। ତଥାପି ବର୍ତମାନ ସ୍ଥିତି ଚଳନୀୟ। ଯଦି କଏଦୀ ସଂଖ୍ୟା ଆହୁରି ୩୦ ଟପେ, ତେବେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ। କଏଦୀ ରଖିବା ସମ୍ଭବ ହେବନି।

ସମ୍ବନ୍ଧିତ ଖବର