ଭୁବନେଶ୍ବର: ରାଜ୍ୟ ବିଜୁଳି ବଳକା। ମୁଲତବୀ ଆଲୋଚନା ବେଳେ ଏହା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ୨୦୨୨ରେ ୧୦ରୁ ୧୨ଦିନ ସାମୟିକ ଭାବେ ଅଧ ଘଣ୍ଟାଏରୁ ଘଣ୍ଟାଏ ବିଦ୍ୟୁତ୍ କାଟ ହେଉଥିଲା ପିକ ସମୟରେ। ଅନ୍ୟ ରାଜ୍ୟ ତୁଳନାରେ କମ ବିଦ୍ୟୁତ୍ କାଟ ହେଉଥିଲା। ଏପ୍ରିଲ ୨୫ ତାରିଖରୁ ଆଉ ବିଦ୍ୟୁତ୍ କାଟ ହେଉନି। ଅତ୍ୟନ୍ତ ଜରୁରୀ ନଥିଲେ ମରାମତି କାମ ପାଇଁ ବିଦ୍ୟୁତ୍ ନ କାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଶକ୍ତିମନ୍ତ୍ରୀ ଆହୁରି କହିଛନ୍ତି, ସାରା ଭାରତରେ ବିଦ୍ୟୁତ୍ ଯୋଗାଣ ଦର ଓଡ଼ିଶାରେ କମ୍ ରହିଛି। ରାଜ୍ୟରେ ଗ୍ରାହକଙ୍କ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ପାଇ ୯୬ ଲକ୍ଷ ହୋଇଛି। ଗତ ୩ମାସ ଏପ୍ରିଲରୁ ଜୁନ ଭିତରେ ବିଦ୍ୟୁତ୍ ଚାହିଦା ୨୩ ପ୍ରତିଶତ ବଢିଛି। ଏସବୁ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉତ୍ତମ ପରିଚାଳନା ଯୋଗୁଁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ଯୋଗାଇ ଦେଇ ଆସୁଛନ୍ତି।
ଏହି ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ରାଜ୍ୟରେ ବିଜୁଳି ସମସ୍ୟା ଲାଗି ରହିଛି । ଛତିଶଗଡ଼, ଦିଲ୍ଲୀ ଟିକେ ବୁଲିକି ଦେଖନ୍ତୁ ସରକାର ସେଠି କେମିତି ବିଜୁଳି ବିଲ୍ ଆଦାୟ କରାଯାଉଛି। ଦିଲ୍ଲୀ ଓ ପଞ୍ଜାବରେ ମାଗଣା ବିଜୁଳି ଦିଆଯାଉଛି। ଆମର ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ୟୁନିଟ ପିଛା ଅଧିକ ଟଙ୍କା ନିଆଯାଉଛି।