କରୋନା ମାଡ଼ରେ ବଢ଼ିଲାନି ବିଦ୍ୟୁତ୍‌ ଦର

ବର୍ଷ ମଝିରେ ବଢ଼ିପାରେ ବିଦ୍ୟୁତ୍‌ ଶୁଳ୍କ

ଗ୍ରିଡ୍‌କୋ ମୁଣ୍ଡରେ ବଢ଼ିଲା ୬୬୦କୋଟିର କ୍ଷତି
ଶିଳ୍ପସଂସ୍ଥା, ଅନ୍‌ଲାଇନ୍ ଦେୟ ପୈଠ ପାଇଁ ରିହାତି
ପ୍ରିପେଡ୍ ମିଟର ବ୍ୟବହାର କଲେ ବି ୨% ରିହାତି
ମେ’ ପହିଲାରୁ ଲାଗୁ ହେବ ଓଇଆର୍‌ସି ଆଦେଶ

ଭୁବନେଶ୍ବର : କରୋନା ସଂକ୍ରମଣକୁ ନେଇ ଅର୍ଥନୀତି ଦୋହଲିଗଲାଣି। ସାଧାରଣ ଉପଭୋକ୍ତାଙ୍କ ସ୍ଥିତି ନ କହିବା ଭଲ। ଶିଳ୍ପସଂସ୍ଥା ଦୁଃସ୍ଥିତି ଭିତରକୁ ଠେଲି ହୋଇଯାଇଥିବା ନେଇ ରାଜ୍ୟ ସରକାରଙ୍କ ନିକଟରେ ଆପତ୍ତି କରିଛନ୍ତି। ଏମିତି ସ୍ଥିତିରେ ପାଖାପାଖି ମାସେ ବିଳମ୍ବରେ ଆଜି ୨୦୨୦-୨୧ ବର୍ଷ ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଯେଉଁ ବିଦ୍ୟୁତ ଦର ଧାର୍ଯ୍ୟ କରିଛନ୍ତି, ସେଥିରେ ଖାଉଟିଙ୍କୁ ଟିେକ ଆଶ୍ବସ୍ତି ମିଳିଛି। ଏଥର ବିଦ୍ୟୁତ ଶୁଳ୍‌କ ପରିବର୍ତନ କରାଯାଇନାହିଁ। ଅର୍ଥାତ୍ ଏବର୍ଷ କୌଣସି ବର୍ଗର ଉପଭୋକ୍ତାଙ୍କ ଲାଗି ବିଦ୍ୟୁତ ଶୁଳ୍‌କ ବୃଦ୍ଧି କରାଯିବ ନାହିଁ। ଗତବର୍ଷର ଧାର୍ଯ୍ୟ ଶୁଳ୍‌କ ଆଧାରରେ ଏବର୍ଷ ସମସ୍ତେ ବିଦ୍ୟୁତ ଦେୟ ପୈଠ କରିବେ।

ହେଲେ ଦେୟ ବୃଦ୍ଧି ନ କରାଯିବା କାରଣରୁ ଗ୍ରିଡ୍‌କୋ ଉପରେ ଯେଉଁ ଅସମ୍ଭବ ଆର୍ଥିକ ଚାପ ସୃଷ୍ଟି ହୋଇଛି, ସେଥିରେ ଯଦି ସୁଧାର ନ ଆସିଲା, ତେବେ ଆୟୋଗ ବର୍ଷ ମଝିରେ ଦେୟ ବୃଦ୍ଧି କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଆୟୋଗ ତାଙ୍କ ନିର୍ଦେଶରେ ଏ ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ଦେଇଛନ୍ତି। ଏଥିସହିତ ପ୍ରିପେଡ୍ ମିଟର, ଅନ୍‌ଲାଇନ୍ ଦେୟ ପୈଠ, ଶିଳ୍ପସଂସ୍ଥାକୁ ଉତ୍ସାହିତ କରିବା ଲାଗି ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି।

୨୦୨୦-୨୧ ବର୍ଷ ପାଇଁ ଓଇଆର‌୍‌ସି ଆଜି ବିଦ୍ୟୁତ ଦର ଘୋଷଣା କରିଛନ୍ତି। ଆସନ୍ତା ମେ’ ପହିଲାରୁ ଆୟୋଗଙ୍କ ଏହି ନିର୍ଦେଶନାମା କାର୍ଯ୍ୟକାରୀ ହେବ। ଏବର୍ଷ ସାଧାରଣ ଉପଭୋକ୍ତା ୫୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କଲେ ୨ଟଙ୍କା ୫୦ ପଇସା ଦେବେ। ୫୦ରୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବ୍ୟବହାର କଲେ ୪ ଟଙ୍କା ୩୦, ୨ଶହ ୟୁନିଟ୍‌ରୁ ଅଧିକ ୪ଶହ ୟୁନିଟ୍‌ରୁ କମ୍‌ ବ୍ୟବହାର କଲେ ୫ ଟଙ୍କା ୩୦ ଓ ୪ଶହ ୟୁନିଟ୍‌ରୁ ଅଧିକ ବ୍ୟବହାର କଲେ ୟୁନିଟ୍‌ ପିଛା ୫ଟଙ୍କା ୭୦ ପଇସା ଦେବାକୁ ପଡିବ।

ହାରାହାରି ହିସାବରେ ପ୍ରତି ୧୦୦ ୟୁନିଟ୍‌ ପାଇଁ ୩ଟଙ୍କା ୪୦ ପଇସା, ୨୦୦ ୟୁନିଟ୍‌ ପାଇଁ ୩ଟଙ୍କା ୮୫ ପଇସା, ୩୦୦ ୟୁନିଟ୍‌ ପାଇଁ ୪ଟଙ୍କା ୩୩ ପଇସା, ୪ଶହ ୟୁନିଟ୍‌ ପାଇଁ ୪ଟଙ୍କା ୫୮ ପଇସା, ୫୦୦ ୟୁନିଟ୍‌ ପାଇଁ ୪ଟଙ୍କା ୮୦ ପଇସା, ୬୦୦ ୟୁନିଟ୍‌ ପାଇଁ ୪ଟଙ୍କା ୯୫ ପଇସା ଓ ୭୦୦ ୟୁନିଟ୍‌ ପାଇଁ ୫ଟଙ୍କା ୦୬ ପଇସା ଦରରେ ଦେୟ ପୈଠ କରିବେ।

ଆୟୋଗ ଦର୍ଶାଇଛନ୍ତି ଯେ ଯଦିଓ ବିଦ୍ୟୁତ ଯୋଗାଣ ପାଇଁ ହାରାହାରି ୟୁନିଟ୍ ପିଛା ୫୦୩.୩୮ ପଇସା ଆବଶ୍ୟକ ପଡୁଛି, ତଥାପି ଏହାଠାରୁ ୨୧ ପଇସା କମ୍‌ରେ ଅର୍ଥାତ୍ ହାରାହାରି ୟୁନିଟ୍ ପିଛା ୪୮୨.୨୬ ପଇସା ବିଦ୍ୟୁତ ଦର ଧାର୍ଯ୍ୟ ହୋଇଛି। ବିଦ୍ୟୁତ ପରିବହନ ଦେୟ (ୟୁନିଟ୍‌ ପିଛା ୨୫ ପଇସା) ଅପରିବର୍ତିତ ରହିଛି। ତେବେ ଜଳବିଦ୍ୟୁତ ଦର ୟୁନିଟ୍ ପିଛା ୮୬.୧୦ ପଇସାରୁ ୯୦.୧୧ ପଇସା ବୃଦ୍ଧି କରାଯାଇଛି। ଓପିଜିସି ଦରରେ ବି।

ରିପୋର୍ଟରେ କୁହାଯାଇଛି ଯେ ୨୦୨୦-୨୧ ବର୍ଷରେ ଗ୍ରିଡ୍‌କୋ ୨୯୦୧୮.୭୬ ନିୟୁତ ୟୁନିଟ୍ ବିଦ୍ୟୁତ କିଣିବ। ବିଭିନ୍ନ ବଣ୍ଟନ କଂପାନିକୁ ୨୮୦୯୦ ନିୟୁତ ୟୁନିଟ୍ ବିକ୍ରି କରିବ। ଏ କ୍ଷେତ୍ରରେ ହାରାହାରି ବିଦ୍ୟୁତ କିଣା ମୂଲ୍ୟ ୨୭୮.୫୭ ପଇସା ରହିବ, ଯାହା ୨୦୧୯-୨୦ (୨୫୯.୮୮) ଠାରୁ ଅଧିକ। ଏସବୁ କାରଣରୁ ଗ୍ରି଼ଡ୍‌କୋ ଉପରେ ୬୬୦କୋଟି ୧୫ଲକ୍ଷ ଟଙ୍କାର ଏକ ବଡ଼ ଧରଣର ଆର୍ଥିକ ଚାପ ରହିବ। ପୂର୍ବବର୍ଷ ଏହା ୧୭୨.୯୪ କୋଟି ଟଙ୍କା ଥିଲା। ଆୟୋଗ ପରାମର୍ଶ ଦେଇଛନ୍ତି ଯେ ରାଜ୍ୟ ସରକାରଙ୍କ ସୂତ୍ରରୁ କିମ୍ବା ଧାର କରି ଗ୍ରିଡ୍‌କୋ ଏହାକୁ ଭରଣା କରିପାରେ। ବଳକା ବିଦ୍ୟୁତ ବି ବିକ୍ରି କରିପାରେ। ଯଦି ପରିସ୍ଥିତିରେ କୌଣସି ସୁଧାର ନ ଆସିଲା ଏବଂ କରୋନାକୁ ନେଇ ବିଗିଡ଼ିଯାଇଥିବା ଅର୍ଥନୀତିରେ ଉନ୍ନତି ପରିଲକ୍ଷିତ ହେଲା, ତେବେ ଆୟୋଗ ଆଉଥରେ ଶୁଣାଣି କରିବେ ଏବଂ ବିଦ୍ୟୁତ ଶୁଳ୍‌କରେ ପରିବର୍ତନ ଅଣାଯାଇପାରେ। ସେସୁ ଏବଂ ନେସ୍କୋ, ୱେସ୍କୋ ଓ ସାଉଥ୍‌କୋ ଭଳି ୟୁଟିଲିଟି କ୍ଷେତ୍ରରେ ବିଦ୍ୟୁତ କିଣାରେ କୌଣସି ପରିବର୍ତନ ଅଣାଯାଇନାହିଁ।

ଆୟୋଗ ତାଙ୍କ ରାୟରେ କେତେକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କୁହାଯାଇଛି ଯେ ଯଦି ଉପଭୋକ୍ତା ଡିଜିଟାଲ ମୋଡରେ ବା ଅନ୍‌ଲାଇନ୍‌ରେ ବିଦ୍ୟୁତ ଦେୟ ପୈଠ କରନ୍ତି, ତେବେ ୨% ରିହାତି ମିଳିବ। ସେହିଭଳି ପ୍ରି-ପ୍ରେଡ୍ ମିଟର ବ୍ୟବସ୍ଥାକୁ ଉତ୍ସାହିତ କରିବା ଲାଗି ସେ କ୍ଷେତ୍ରରେ ବି ୨% ରିହାତି ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ଆୟୋଗ ସିଙ୍ଗଲ ଫେଜ୍ ଗ୍ରାହକ ଅର୍ଥାତ୍ ଦୋକାନୀ ଆଦିଙ୍କ ଲାଗି ଅନଲାଇନ୍ ଦେୟ ପୈଠ ଯୋଜନା କରି ୨% ରିହାତି କଥା କହିଛନ୍ତି। ସେହିଭଳି ଯେଉଁମାନେ ବିଦ୍ୟୁତ ଚାଳିତ ଗାଡ଼ି ବ୍ୟବହାର କରୁଛନ୍ତି, େସମାନଙ୍କ ଚାର୍ଜିଂ କ୍ଷେତ୍ରରେ ବାଣିଜ୍ୟିକ ହାରରେ ଦେୟ ଲାଗୁ ହେବ।

ଶିଳ୍ପାୟନକୁ ବଳ ଦେବା ଲାଗି ଆୟୋଗ କହିଛନ୍ତି ଯେ ଯେଉଁ ସଂସ୍ଥା ୭୦%ରୁ ଅଧିକ ବିଦ୍ୟୁତ ବ୍ୟବହାର କରିବେ, ସେମାନଙ୍କୁ ୟୁନିଟ୍ ପିଛା ୧୦ ପଇସା ଓ ଯେଉଁମାନେ ୮୦% ରୁ ଅଧିକ ବ୍ୟବହାର କରିବେ, ସେମାନଙ୍କୁ ୨୦ ପଇସା ରିହାତି ପ୍ରଦାନ କରାଯିବ। ବଡ଼ ବଡ଼ ଶିଳ୍ପସଂସ୍ଥା କ୍ଷେତ୍ରରେ ଆୟୋଗ କହିଛନ୍ତି, ସେମାନେ ୮୦ ପ୍ରତିଶତ ବିଦ୍ୟୁତ ବ୍ୟବହାର କଲେ ୧୦ପଇସା ରିହାତି ମିଳିବ।

ସମ୍ବନ୍ଧିତ ଖବର