ମହାନଦୀକୁ ନେଇ କୌଣସି ବିବାଦ ନାହିଁ: ରମଣ ସିଂହ

ନୂଆପଡ଼ା: ମହାନଦୀ ବିବାଦ ଜାତୀୟ ସ୍ତରକୁ ପହଞ୍ଚିଛି। ଛତିଶଗଡ଼ରେ ବହୁ ସଂଖ୍ୟାରେ ବ୍ୟାରେଜ୍‌ ନିର୍ମାଣ କରି ମହାନଦୀ ପାଣିକୁ ଅଟକାଇବା ତଳ ମୁଣ୍ଡକୁ ଜଳ ସ୍ରୋତ ହ୍ରାସ ପାଉଥିବା ନେଇ ଓଡ଼ିଶା ସରକାର ଆଶଂକା ମଧ୍ୟରେ ରହିଛନ୍ତି। ଓଡ଼ିଶାର ଜୀବନ ରେଖା ମହାନଦୀ ପାଇଁ ଚାଷୀ ଆନ୍ଦୋଳନ, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସତ୍ୟାଗ୍ରହ ହୋଇଥିଲାବେଳେ ତୁରନ୍ତ ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଦାବି ହୋଇ ଆସୁଛି। ହେଲେ ଓଡ଼ିଶାବାସୀଙ୍କ ନୈତିକ ଦାବିକୁ ତାଚ୍ଛଲ୍ୟ କଲା ପରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହ ପବନରେ ଉଡ଼େଇ ଦେଇଛନ୍ତି। ନୂଆପଡ଼ା ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ମହାନଦୀକୁ ନେଇ କୌଣସି ବିବାଦ ନାହିଁ ବୋଲି କହିଛନ୍ତି।
ସୋମବାର ନୂଆପଡ଼ା ଆମସେନା ଗୁରୁକୁଳ ଆଶ୍ରମର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ସିଂହ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧି ମାନେ ତାଙ୍କୁ ଭେଟିଥିଲେ। ମହାନଦୀ ବିବାଦକୁ ନେଇ ତାଙ୍କ ସରକାରଙ୍କ କ’ଣ ଅଭିମୁଖ୍ୟ ରହିଛି ବୋଲି ପଚାରିବାରୁ ସେ କହିଥିଲେ ‘ମହାନଦୀକୁ ନେଇ କୌଣସି ବିବାଦ ନାହିଁ’। ମୁଖ୍ୟମନ୍ତ୍ରୀ ସିଂହ ଏତିକି କହି ଗଣମାଧ୍ୟମର ପ୍ରଶ୍ନକୁ ଏଡ଼େଇ ଦେଇଥିଲେ।
ଗୁରୁକୁଳର ସଂସ୍ଥାପକ ସ୍ୱାମୀ ଧର୍ମାନନ୍ଦ ଜୀ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ପତଞ୍ଜଳି ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଗୁରୁକୁଳ ଆଶ୍ରମ ଆମସେନା ଭାରତ ବର୍ଷରେ ଏକ ପରିଚୟ ସୃଷ୍ଟି କରିଛି ବୋଲି କହିବା ସହ ଏଠାରେ ଆୟୁର୍ବେଦ ଚିକିତ୍ସା ପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର