ଚାକିରି କଲେଣି ୨୧ ବର୍ଷ, ହେଲେ ଥରୁଟିଏ ବି ପଦୋନ୍ନତି ପାଇନାହାନ୍ତି ସ୍ଥାନୀୟ ପାଣ୍ଠି ସମୀକ୍ଷକ

ଚୂଡାନ୍ତ ତାଲିକା ପ୍ରସ୍ତୁତି ନାଁରେ ସମୟ ଗଡ଼ାଇଚାଲିଛି ଅର୍ଥ ବିଭାଗ, ବର୍ଷେ ହେଲାଣି ସ୍ଥାୟୀ ନିର୍ଦ୍ଦେଶକ ପଦବି ବି ଖାଲି ପଡ଼ିଛି

ଭୁବନେଶ୍ବର: ଚାକିରି କରିବା ହେଲାଣି ୨୧ ବର୍ଷ। ନିୟମ ଅନୁଯାୟୀ ଦୁଇ ଥର ପଦୋନ୍ନତି ମିଳିବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ଥରୁଟିଏ ବି ପଦୋନ୍ନତି ମିଳିନାହିଁ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ ଥିବା ସ୍ଥାନୀୟ ପାଣ୍ଠି ନିର୍ଦ୍ଦେଶାଳୟରେ ଚାକିରି କରିଥିବା ୧୦୦ରୁ ଅଧିକ ସମୀକ୍ଷକ ଏପରି ପାତର ଅନ୍ତର ନୀତିର ଶିକାର ହେଉଛନ୍ତି । ବିଭିନ୍ନ ସ୍ବାୟତ୍ତ ସଂସ୍ଥା ଓ ଶିକ୍ଷାନୁଷ୍ଠାନକୁ ପ୍ରଦତ୍ତ ରାଜକୋଷ ଅର୍ଥ ସଠିକ୍‌ ବିନିଯୋଗ ହେଉଛି କି ନାହିଁ, ସେସବୁ ତଦାରଖ ଦାୟିତ୍ବ ଯାହା ଉପରେ ସରକାର ନ୍ୟସ୍ତ କରିଛନ୍ତି ଏବଂ ଯେଉଁମାନେ ସରକାରଙ୍କ ଆଖି ଓ କାନ ଭଳି କାମ କରନ୍ତି ସେହି ଚାକିରିଆଙ୍କୁ ସେମାନଙ୍କ ନ୍ୟାଯ୍ୟ ହକ୍‌ ଦେବାରେ ନିର୍ଦ୍ଦେଶାଳୟ ଓ ଅର୍ଥ ବିଭାଗ ଟାଳୁଟୁଳ ନୀତି ଆପଣାଉଛି। ଖାଲିସେତିକି ନୁହେଁ, ବର୍ଷେ ହେଲାଣି ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦ୍ଦେଶକ ପଦବି ଖାଲି ପଡ଼ିଛି। ଅଥଚ ନିଯୁକ୍ତି ଦିଆନଯାଇ କା’ରେ ଚାଲିଛି।

ଖବର ନେବାରେ ଜଣାପଡ଼ିଛି ଯେ ତଳୁ ଯେଉଁ ସ୍ଥାନୀୟ ପାଣ୍ଠି ସମୀକ୍ଷକମାନେ ଚାକିରିରେ ଯୋଗ ଦେଇଥିଲେ ସେମାନଙ୍କୁ ୧୦ ବର୍ଷ ପରେ ଗୋଟିଏ ପଦୋନ୍ନତି ଓ ୨୦ ବର୍ଷରେ ଆଉ ଗୋଟିଏ ପଦୋନ୍ନତି ପାଇ ସମୀକ୍ଷା ତତ୍ତ୍ବାବଧାରକ ପଦବିକୁ ଉନ୍ନୀତ ହେବା କଥା। କିନ୍ତୁ ସ୍ଥାନୀୟ ପାଣ୍ଠି ନିର୍ଦ୍ଦେଶାଳୟରେ ଚାକିରି କରିଥିବା ପାଣ୍ଠି ସମୀକ୍ଷକମାନଙ୍କୁ ଏ ଯାଏ ଥରୁଟିଏ ବି ପଦୋନ୍ନତି ଦିଆଯାଇନି। ନିୟମ ରହିଛି ପଦୋନ୍ନତି ଦିଆଯାଇ ନଥିବା ସ୍ଥଳେ ପ୍ରତିବର୍ଷ ମୋଡିଫାଏଡ଼୍‌ ଆସ୍ୟୋର୍ଡ଼୍‌ କ୍ୟାରିଅର୍‌ ପ୍ରୋଗ୍ରେସନ୍‌ (ଏମ୍‌ଏସିପି) ଆଧାରରେ ବାର୍ଷିକ ଇନ୍‌କ୍ରିମେଣ୍ଟ୍‌ ମିଳିଥାଏ। କିନ୍ତୁ ତାହା ବି ଗତବର୍ଷରୁ ବନ୍ଦ ହୋଇଯାଇଛି। ବିଭିନ୍ନ ଜିଲ୍ଲାରେ ଥିବା ସ୍ଥାନୀୟ ପାଣ୍ଠି ସମୀକ୍ଷା କାର୍ଯ୍ୟାଳୟରୁ ୨୦୨୦ ମାର୍ଚ୍ଚରୁ ଆସିଥିବା ଏମ୍‌ଏସିପି ପ୍ରସ୍ତାବଗୁଡ଼ିକ ମଞ୍ଜୁରି ପାଇଁ ନିର୍ଦ୍ଦେଶାଳୟରେ ପଡ଼ିରହିଛି। ପଦୋନ୍ନତି ନାହିଁ କି ବାର୍ଷିକ ଇନ୍‌କ୍ରିମେଣ୍ଟ ମିଳୁନି। ଯାହାକୁ ନେଇ ସ୍ଥାନୀୟ ପାଣ୍ଠି ସମୀକ୍ଷକମାନଙ୍କ ଭିତରେ ଘୋର ଅସନ୍ତୋଷ ଦେଖାଦେଲାଣି।

ଏ ନେଇ ଦାବି ହେବା ପରେ ଗତବର୍ଷ ଅକ୍ଟୋବରରେ ନିର୍ଦ୍ଦେଶାଳୟ ପକ୍ଷରୁ ପଦୋନ୍ନତି ପାଇଁ ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବୈଠକ ଡାକିବା ପାଇଁ ପ୍ରକ୍ରିଆ ଆରମ୍ଭ କରାଗଲା। ସେହି ଅନୁଯାୟୀ ୨୦୨୦ ନଭେମ୍ବରରେ ୧୨୩ ଜଣ ସମୀକ୍ଷକମାନଙ୍କ ଗୋଟିଏ ପ୍ରାଥମିକ ଗ୍ରେଡେସନ୍‌ ତାଲିକା ପ୍ରସ୍ତୁତ କରାଗଲା। ପରେ ସେହିମାସ ୨୩ ତାରିଖରେ ଗ୍ରେଡେସନ୍‌ ତାଲିକାକୁ ଦୁର୍ନୀତି ନିବାରଣ ବିଭାଗର ଯାଞ୍ଚ ପାଇଁ ପଠାଗଲା। ଆଉ ୨୦୨୦ ଡିସେମ୍ବର ୨୯ ତାରିଖରେ ଡିପିସି ବୈଠକ ଡାକିବାକୁ ଧାର୍ଯ୍ୟ କରାଯାଇଥିଲା। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ନୀତି ନିବାରଣ ବିଭାଗ ଯାଞ୍ଚ କରି ଗତ ଡିସେମ୍ବର ୨୨ ତାରିଖରେ ଫେରାଇଥିବା ତାଲିକାକୁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଗ୍ରହଣ କଲେନାହିଁ। ସାନି ତାଲିକା ପ୍ରସ୍ତୁତ କରି ପୁଣି ଥରେ ଦୁର୍ନୀତି ନିବାରଣ ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦେଲେ। ଅର୍ଥ ବିଭାଗର ଜନୈକ ଅଧିକାରୀଙ୍କ କହିବାନୁଯାୟୀ, ପୁଣି ଥରେ ଗ୍ରେଡେସନ୍‌ ତାଲିକା ଦୁର୍ନୀତି ନିବାରଣ ବିଭାଗକୁ ପଠାଯାଇଛି। ଦୁର୍ନୀତି ନିବାରଣ ବିଭାଗର କ୍ଲିୟରାନ୍‌ସ୍‌ ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ। ତେବେ ନିୟମ ଅନୁଯାୟୀ ଚଳିତବର୍ଷ ପ୍ରାୟ ୩୮ ଜଣ ସମୀକ୍ଷକ ପଦୋନ୍ନତି ପାଇବେ ବୋଲି ସେ କହିଛନ୍ତି। ସେପଟେ ୨୦୧୯ ଡିସେମ୍ବର ୩୧ ତାରିଖରୁ ସ୍ଥାୟୀ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସରିଥିଲେ ବି ଏଯାଏ ସ୍ଥାୟୀ ଭାବେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ଏବେ ଅର୍ଥ ବିଭାଗର ଜଣେ ଅତିରିକ୍ତ ଶାସନ ସଚିବ ସ୍ଥାନୀୟ ପାଣ୍ଠି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି।

ସମ୍ବନ୍ଧିତ ଖବର