ଚିନ୍ତା ବଢ଼ାଉଛି ପୂର୍ବ ରେଳମନ୍ତ୍ରୀଙ୍କ ପୁରୁଣା ପ୍ରତିକ୍ରିୟା: ରାଉରକେଲା ଡିଭିଜନ ପ୍ରତିଷ୍ଠା ପ୍ରସ୍ତାବ ନଥିବା ସଂସଦରେ କହିଥିଲେ

ରାଉରକେଲା: ରାଉରକେଲାରେ ରେଲୱେ ଡିଭିଜନ ସ୍ଥାପନ ଦାବି ଜୋର୍‌ ଧରିଛି। ଅଧିକ ରାଜସ୍ବ ଆଦାୟ, ଭିତ୍ତିଭୂମିର ବିକାଶ ପାଇଁ ପର୍ଯ୍ୟାପ୍ତ ସୁବିଧାର ଉପଲବ୍ଧତା, ସର୍ବୋପରି ଦକ୍ଷିଣପୂର୍ବ ରେଳବାଇର କ୍ରମାଗତ ଅବହେଳା ଆଦି ଏକାଧିକ କାରଣଯୋଗୁଁ ଦାବିର ଯଥାର୍ଥତା ବି ରହିଛି। ତେବେ ଏହି ଦାବି ପୂରଣ ହେବ ନା ନାହିଁ, ତାହା ସମୟ କହିବ। କିନ୍ତୁ ଏ ସଂକ୍ରାନ୍ତରେ ରେଳମନ୍ତ୍ରୀଙ୍କ ବର୍ଷେ ପୁରୁଣା ପ୍ରତିକ୍ରିୟା ଏବେ ଚର୍ଚ୍ଚାର ଶିରୋଣାମା ପାଲଟିଛି। ଗତ ବର୍ଷ ସଂସଦରେ ତତ୍କାଳୀନ ରେଳମନ୍ତ୍ରୀ ଏହି ନୂଆ ଡିଭିଜନ ସ୍ଥାପନ ନେଇ କୌଣସି ଯୋଜନା ଥିବା ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ। ତେବେ ବର୍ଷକ ଭିତରେ ରେଳ ମନ୍ତ୍ରାଳୟର ନିଷ୍ପତ୍ତି ବଦଳିଲାଣି କି? ଦାବିର ଯର୍ଥାର୍ଥତାକୁ ହୃଦୟଙ୍ଗମକରି ଏନେଇ ପୁନର୍ବିଚାର କରାଯିବ କି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି।

ଗତ ୨୦୨୦ ମସିହାରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଏନେଇ ପ୍ରଶ୍ନ ଉତ୍ଥାପନ କରିଥିଲେ। ପ୍ରଶ୍ନ କରିଥିଲେ, ପୂର୍ବତଟ ରେଳବାଇର ପରିସର ବୃଦ୍ଧି କରାଯିବ କି? ଝାରସୁଗୁଡ଼ା-ବରସୁଆଁ-କିରିବୁରୁ-ରାଉରକେଲା-ନୂଆଗାଁ-ହେମଗିର ସେକ୍ସନକୁ ପୂର୍ବତଟ ରେଳବାଇରେ ସାମିଲ କରି ରାଉରକେଲାରେ ନୂଆ ରେଳ ଡିଭିଜନ ସ୍ଥାପନ କରାଯିବାର ଯୋଜନା ଅଛି କି? ଏହାସହ ନୂଆ ଯାଜପୁର ଡିଭିଜନ ପ୍ରତିଷ୍ଠାର କରିବାର ପ୍ରସ୍ତାବ ଅଛି କି? ଏହାର ଉତ୍ତରରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋୟଲ ସିଧାସଳଖଭାବେ କୌଣସି ଯୋଜନା ନ ଥିବା ଉତ୍ତର ରଖିଥିଲେ। ଉତ୍ତରରେ କହିଥିଲେ, ସଂପ୍ରତି ରାଉରକେଲା ଓ ଯାଜପୁରରେ ନୂଆ ଡିଭିଜନ ସ୍ଥାପନ କରିବାର କୌଣସି ପ୍ରସ୍ତାବ ନାହିଁ। ପରିସୀମା, ଟ୍ରାଫିକ୍‌, ପରିଚାଳନାଗତ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସୁବିଧାସୁଯୋଗ, ଆର୍ଥିକ ଦିଗ ଆଦିକୁ ବିଚାରକୁ ନେଇ ନୂଆ ଡିଭିଜନ ପ୍ରତିଷ୍ଠା କରାଯାଇଥାଏବୋଲି ସେତେବେଳେ ରେଳମନ୍ତ୍ରୀ କହିଥିଲେ।

ଏଭଳି ପ୍ରତ୍ୟୁତ୍ତର ଜିଲ୍ଲାବାସୀଙ୍କୁ ବହୁମାତ୍ରାରେ ନିରାଶ କରିଥିଲା ସତ; କିନ୍ତୁ ରାଉରକେଲା ଏସବୁ ମାପଦଣ୍ଡ ପୂରଣ କରୁଥିବାରୁ ଆଶା ବି ବୃଦ୍ଧି ପାଇଥିଲା। ତେବେ ବର୍ଷକ ପୂର୍ବେ ରେଳ ମନ୍ତ୍ରୀ ସ୍ପଷ୍ଟଭାବେ ନାସ୍ତିବାଣୀ ଶୁଣାଦେଇଥିବାରୁ ଏବେ ବି ଏହି ଅନିଶ୍ଚିତତାରୁ ପରଦା ଉଠିନି। ଦାବି ହେଉଛି, କିନ୍ତୁ ରେଳମନ୍ତ୍ରାୟର ଉଦାସୀନ ମନୋଭାବ ବି ଚିନ୍ତା ବଢ଼ାଇଦେଇଛି। ରାଉରକେଲାବାସୀଙ୍କ ନାଯ୍ୟ ଦାବି ପଛରେ କାରଣ ଏକାଧିକ। ବନ୍ଧମୁଣ୍ଡାରେ ଦେଶର ତୃତୀୟ ବୃହତ୍ତମ ରେଲୱେ ୟାର୍ଡ୍‌ ଓ ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟାପ୍ତ ଅବ୍ୟବହୃତ ଜମି, ଜିଲ୍ଲାର ବାର୍ଷିକ ପ୍ରାୟ ୮ଶହ କୋଟିର ରାଜସ୍ବ ସୃଷ୍ଟି ଆଦି କାରଣ ସହ ବହୁ ପ୍ରତିଷ୍ଠିତ ଶିଳ୍ପ କାରଖାନାରେ ଭରପୁର ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାକୁ ପ୍ରସ୍ତାବିତ ରାଉରକେଲା ଡିଭିଜନରେ ସାମିଲ କରିବାକୁ ଦାବି ହେଉଛି। ତେବେ ଏହି ପ୍ରସ୍ତାବିତ ଡିଭିଜନକୁ ଦକ୍ଷିଣ ପୂର୍ବ ରେଳବାଇରୁ ଅଲଗା କରି ପୂର୍ବତଟ ରେଳବାଇରେ ସାମିଲ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର