ଝାରସୁଗୁଡ଼ା: ଦୀର୍ଘ ୪ ଦଶନ୍ଧି ଧରି ଝାରସୁଗୁଡ଼ା ସହରର ମନମୋହନ ଏମ୍ଇ ସ୍କୁଲ ପଡ଼ିଆରେ ଆୟୋଜନ ହୋଇ ଆସୁଥିବା ରାବଣ ପୋଡ଼ି ମହୋତ୍ସବ ଏଥର ଆଉ ଦେଖିବାକୁ ମିଳିବ ନାହିଁ। ରାବଣ ପୋଡ଼ି ଉତ୍ସବର ଆୟୋଜନ ନେଇ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଘନେଇବା ପରେ ଜିଲ୍ଲା ପ୍ରଶାସନ କୌଣସି ବି ପକ୍ଷକୁ ଏହି ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ପାଇଁ ଅନୁମତି ପ୍ରଦାନ କରି ନାହିଁ। ପ୍ରଥମତଃ ବିଦ୍ୟାଳୟ ପରିସରରେ ଏହି ଉତ୍ସବ ହେବାକୁ ଯାଉଥିବା ବେଳେ ଦ୍ବିତୀୟତଃ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ମନମୋହନ ଏମଇ ସ୍କୁଲ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଉଭୟ ରାବଣପୋଡ଼ି କମିଟିକୁ ଅନୁମତି ପ୍ରଦାନ କରି ନାହିଁ।
ଝାରସୁଗୁଡ଼ା ମନମୋହନ ଏମ୍ଇ ସ୍କୁଲ ପଡ଼ିଆରେ ଆୟୋଜନ ହେବାକୁ ଥିବା ରାବଣ ପୋଡ଼ି ନେଇ ବିବାଦ ଉପୁଜିବା ପରେ ମାମଲା ଥାନାରେ ପହଞ୍ଚିଛି। ଏହି କାରଣରୁ ପ୍ରଶାସନ ଏଠାରେ ରାବଣପାଡ଼ି ପୋଡ଼ି ପାଇଁ କୌଣସି ପୂଜାକମିଟିକୁ ଅନୁମତି ଦେଇନାହିଁ।
ଝାରସୁଗୁଡ଼ା ସହରାଞ୍ଚଳରେ ମୁଖ୍ୟତଃ ଦୁଇଟି ସ୍ଥାନରେ ରାବଣ ପୋଡ଼ି ହୋଇଥାଏ। ତନ୍ମଧ୍ୟରୁ ମନମୋହନ ଏମ୍ଇ ସ୍କୁଲ ପଡ଼ିଆ ଅନ୍ୟତମ। ଏଠାରେ ଆୟୋଜନ ହେବଉଥିବା ରାବଣ ପୋଡ଼ି ଭିନ୍ନଭିନ୍ନ କାରଣରୁ ଚର୍ଚ୍ଚାର ଶୀର୍ଷରେ ରହିଛି। ପୂର୍ବରୁ ଏହାକୁ ନେଇ ପୋଷ୍ଟର, ହୋର୍ଡିଂ ୱାରରେ କଥା ସୀମିତ ଥିଲା। ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଫଟୋ ଥିବା ପୋଷ୍ଟର ଓ ହୋର୍ଡିଂ ପ୍ରଦର୍ଶିତ କରାଯାଇଥିଲା। ମନମୋହନ ଏମଇସ୍କୁଲ ପଡ଼ିଆରେ ବିଜୟା ଦଶମୀରେ ରାବଣ ପୋଡ଼ି କରିବା ପାଇଁ ଦୁଇ ଜଣ ବିଧାୟିକା ଭିନ୍ନଭିନ୍ନ ସମୟରେ ଆସିବେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିଲା। ସନ୍ଧ୍ୟା ୭ଟା ଓ ସାଢ଼େ ୬ଟାରେ ଦୁଇ ଜଣ ବିଧାୟିକା ଉପସ୍ଥିତ ରହି ରାବଣ ପୋଡି କରିବେ ବୋଲି ଉଳ୍ଲେଖ କରାଯାଇଥିଲା। ଏହାକୁ ନେଇ ବିବାଦ ଦାନା ବାନ୍ଧୁଥିବା ବେଳେ ରାବଣପୋଡ଼ି ପାଇଁ ଅନୁମତି ପ୍ରଦାନ କରିନାହିଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ।
ତାରିଖ ଗୋଟିଏ, ପଡ଼ିଆ ବି ଗୋଟିଏ। ଫରକ୍ କେବଳ ଅଧ ଘଣ୍ଟାର। ରାବଣପୋଡ଼ି ଦିନ ଝାରସୁଗୁଡ଼ା ସହର ଦେଖିବ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଦିବଙ୍ଗତ ନବ କିଶୋର ଦାସ ଓ ଦିବଙ୍ଗତ କିଶୋର ମହାନ୍ତିଙ୍କ ପରପିଢିର ଦମ୍। ଗୋଟିଏ ପଟେ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଝାରସୁଗୁଡ଼ା ମୁହାଁ ହୋଇ ଏଠାରେ ନିଜର ଦମ୍ ଦେଖାଇବାକୁ ପ୍ରୟାସ ଆରମ୍ଭ କରିଦେଇଥିବା ବେଳେ ଆଉ ଗୋଟିଏ ପଟେ ଦୀପାଳି ଦାସ ବି ନିଜ ନିର୍ବାଚନମଣ୍ଡଳୀରେ ଅନ୍ୟ କାହାର ପ୍ରବେଶକୁ କଡ଼ା ବିରୋଧ କରୁଥିବା ଜଣାପଡ଼ିଛି। ଯାହାକୁ ନେଇ ଉଭୟ ଦୀପାଳି ଓ ଅଳକା ସମର୍ଥକଙ୍କ ମଧ୍ୟରେ ଏବେ ଆରମ୍ଭ ହୋଇଯାଇଛି ବ୍ୟାନର, ପୋଷ୍ଟର ୱାର୍। ଜଣଙ୍କର ବ୍ୟାନର କୌଣସି ସ୍ଥାନରେ ଲାଗିଲେ ସେହି ସ୍ଥାନରେ ଅନ୍ୟ ଗୋଷ୍ଠୀ ଯାଇ ତୁରନ୍ତ ଆଉ ଏକ ବ୍ୟାନର ମାରି ଆସୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଝାରସୁଗୁଡ଼ାରେ ଗୋଟିଏ ଦଳର ଏହି ୨ ନେତ୍ରୀଙ୍କ ଲଢେଇ ଦଳର ଅନ୍ତଃ କନ୍ଦଳକୁ ପଦାରେ ପକାଇଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/e90920f7-dfc1-41d2-92d7-17db0b5cb8c6.jpeg)