ସୁନ୍ଦରଗଡ଼ ଜିଲ୍ଲା ସଦରମହକୁମାକୁ ରେଳ ସଂଯୋଗ ନାହିଁ, ଝାରସୁଗୁଡ଼ା-ଅମ୍ବିକାପୁର ରେଳପଥ ଆଶା ପୂରା କରିବେ ଅଶ୍ବିନୀ

ସୁନ୍ଦରଗଡ଼: ସଡ଼କ, ରେଳ ଓ ଆକାଶପଥ ବିକାଶର ବାହକ। ଯେଉଁ ଅଞ୍ଚଳରେ ଏସବୁ ପଥ ଯେତେ ଉନ୍ନତ ଓ ସୁଦୃଢ଼, ସେ ଅଞ୍ଚଳ ସେତେ ବିକଶିତ। ହେଲେ ପଛୁଆ ଚେହେରାକୁ ନେଇ ଚର୍ଚ୍ଚାରେ ଥିବା ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ ଜିଲ୍ଲା ଏପରି ଉନ୍ନତ ଗମନାଗମନରେ ମଧ୍ୟ ପଛରେ। ଦେଶର ସ୍ବାଧୀନତାକୁ ୭୪ ବର୍ଷ ବିତିଗଲା ପରେ ବି ଜିଲ୍ଲା ସଦରମହକୁମାକୁ ରେଳ ସଂଯୋଗ ହୋଇପାରିନାହିଁ। ଯେଉଁଥିପାଇଁ ଜିଲ୍ଲାର ବିକାଶ ଧାରା ଆଗକୁ ଯାଇପାରୁନାହିଁ।

ଏହିକ୍ରମରେ ବହୁଦିନରୁ ପ୍ରସ୍ତାବିତ ସୁନ୍ଦରଗଡ଼ର ସ୍ବପ୍ନର ପ୍ରକଳ୍ପ ଝାରସୁଗୁଡ଼ା-ସୁନ୍ଦରଗଡ଼-ଅମ୍ବିକାପୁର ରେଳପଥ କେବଳ ପ୍ରସ୍ତାବରେ ଅଟକି ରହିଛି। ଛତିଶଗଡ଼ ରାଜ୍ୟ ଯଶପୁରର ତତ୍କାଳୀନ ରାଜା ତଥା ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ସ୍ବର୍ଗତ ଦୁଲୀପ ସିଂ ଜୁଦେବଙ୍କ ସମେତ ଉପା ସରକାରର ତତ୍କାଳୀନ ସାଂସଦ ହେମାନନ୍ଦ ବିଶ୍ବାଳ, ସାଂସଦ ଜୁଏଲ ଓରାମ, ରାଜ୍ୟସଭାଉ ସାଂସଦ ଦିଲୀପ ତିର୍କୀ ପ୍ରମୁଖ ଏହି ରେଳପଥ ସଂଯୋଗ ପାଇଁ ସଂସଦ ଓ କେନ୍ଦ୍ର ସରକାର ଆଗରେ ବହୁବାର ଦାବି ଉଠାଇଛନ୍ତି। କିନ୍ତୁ ବିଡ଼ମ୍ବନା, ସୁନ୍ଦରଗଡ଼ର ଆଶାକୁ କେନ୍ଦ୍ର ସରକାର ଏଯାଏ ଫାଇଲ ଭିତରେ ବନ୍ଦ ରଖିଛନ୍ତି।

ଏବେ ସୁନ୍ଦରଗଡ଼ର ପୂର୍ବତନ ପ୍ରଶାସକ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ଭାବେ କେନ୍ଦ୍ର ରେଳ ମନ୍ତ୍ରାଳୟ ଦାୟିତ୍ବ ନେବା ପରେ ଝାରସୁଗୁଡ଼ା-ଅମ୍ବିକାପୁର ରେଳପଥ ପ୍ରସ୍ତାବ କଥା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପୂର୍ବତନ ପ୍ରଶାସକ ଭାବେ ସୁନ୍ଦରଗଡ଼ର ଭୌଗୋଳିକସ୍ଥିତି ଓ ଗମନାଗମନ ଦୁରାବସ୍ଥା ସମ୍ପର୍କରେ ଅବଗତ ଥିବାରୁ ସୁନ୍ଦରଗଡ଼ର ସ୍ବପ୍ନ ନିଶ୍ଚୟ ପୂରା କରିବେ, ଦୀର୍ଘ ଦଶନ୍ଧୀ ପରେ ସୁନ୍ଦରଗଡ଼କୁ ରେଳ ସଂଯୋଗ ହେବ ବୋଲି ଏଠାକାର ଅଧିବାସୀ ଆଶା ବାନ୍ଧିଛନ୍ତି। ଏହିକ୍ରମରେ ନିକଟରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଚିଠି ଲେଖି ଏହି ସ୍ବପ୍ନର ରେଳପଥ ସଂଯୋଗ ପ୍ରତି ସୁଦୃଷ୍ଟି ପକାଇବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ବହୁଦିନରୁ ସୁନ୍ଦରଗଡ଼ ଜିଲ୍ଲା ସଦରମହକୁମାକୁ ରେଳପଥ ସଂଯୋଗ ପାଇଁ ଦାବି ହୋଇ ଆସୁଥିବା ବେଳେ ଝାରସୁଗୁଡ଼ା-ଅମ୍ବିକାପୁର ଭାୟା ସୁନ୍ଦରଗଡ଼ ରେଳପଥ ପ୍ରସ୍ତାବ ଆଣିଥିଲେ ଛତିଶଗଡ଼ ଯଶପୁରରର ରାଜା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସ୍ବର୍ଗତ ଦୁଲୀପ ସିଂ ଜୁଦେବ। ସୁନ୍ଦରଗଡ଼ ପାଇଁ ଏହା ସୁଖଦ ପ୍ରସ୍ତାବ ଥିଲା। ତାକୁ ପୂର୍ଣ୍ଣମତେ ସୁନ୍ଦରଗଡ଼ ସମର୍ଥନ କଲା। କେନ୍ଦ୍ରକୁ ଏ ନୂଆ ରେଳପଥର ପ୍ରସ୍ତାବ ପଠାଗଲା। ତତ୍କାଳୀନ ଲୋକସଭା ସଦସ୍ୟ ହେମାନନ୍ଦ ବିଶ୍ବାଳ ବଜେଟ ଆଲୋଚନା ବେଳେ ଉପା ସରକାରର ରେଳମନ୍ତ୍ରୀଙ୍କୁ ଝାରସୁଗୁଡ଼ା-ଅମ୍ବିକାପୁର ରେଳପଥରସ୍ଥିତି ସମ୍ପର୍କରେ ପଚାରିଥିଲେ। ସେ ସମୟରେ ରେଳମନ୍ତ୍ରୀ ରେଳପଥ ସର୍ଭେ ଲାଗି ଅର୍ଥ ଦିଆଯାଇଥିବା ଓ ୨୦୧୩ ସୁଦ୍ଧା ସର୍ଭେ କାମ ଶେଷ ହେବ ବୋଲି ଜଣାଇଥିଲେ।

୨୦୧୩ରେ ପ୍ରାଥମିକ ସର୍ଭେ କାମ ଶେଷ ହୋଇ ଯାଇଥିବା ସୂଚନା ରହିଛି। ପରବର୍ତ୍ତୀ ସମୟରେ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ରେଳ ବଜେଟରେ ଅର୍ଥ ମିଳିବ ବୋଲି ଆଶା କରାଯାଉଥିଲା। ୨୦୧୪ରେ ଉପା ସରକାର ପରାଜିତ ହୋଇ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଆସିବା ପରେ ଏ ଆଶା ଦ୍ବିଗୁଣିତ ହୋଇଥିଲା । କାରଣ ବିଜେପି ସାଂସଦ ଦୁଲୀପ ସିଂ ଜୁଦେବ ଏହି ରେଳପଥ ପାଇଁ ପ୍ରଥମେ ପ୍ରସ୍ତାବ ଆଣିଥିଲେ, ତେଣୁ ବିଜେପି ଏହାକୁ ଅଗ୍ରାଧିକାର ଦେଇ ନୂଆ ରେଳପଥ ନିର୍ମାଣକୁ ଆଗକୁ ନେବେ ବୋଲି ସୁନ୍ଦରଗଡ଼ବାସୀ ଭାବିଥିଲେ। କିନ୍ତୁ କେନ୍ଦ୍ର ସରକାର ଏ ରେଳପଥ ସମ୍ପର୍କରେ ପୂରା ନିରବ ରହିଲେ। ଏପରିକି ତତ୍କାଳୀନ ରାଜ୍ୟସଭା ସଦସ୍ୟ ଦିଲୀପ ତିର୍କୀ ବାରମ୍ବାର ରେଳ ମନ୍ତ୍ରାଳୟକୁ ପତ୍ର ଲେଖି ତୁରନ୍ତ ଏ ରେଳପଥ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ, କିନ୍ତୁ ରେଳ ମନ୍ତ୍ରାଳୟରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଏବେ ନୂଆ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆସିବା ପରେ ତାଙ୍କ ରେଳ ବିକାଶରେ ସୁନ୍ଦରଗଡ଼ ସଦରମହକୁମା ମଧ୍ୟ ଯୋଡ଼ି ହେବ ବୋଲି ସୁନ୍ଦରଗଡ଼ବାସୀ ଦୃଢ଼ ଆଶାପୋଷଣ କରିଛନ୍ତି।

ସମ୍ବନ୍ଧିତ ଖବର