ଶୀତଳାପଲ୍ଲୀରେ ହେବନି ଓ୍ଵାଗନ୍‌ କାରଖାନା

ଭୁବନେଶ୍ୱର/ବଲାଙ୍ଗୀର : ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ଠାରେ ପ୍ରସ୍ତାବିତ ଓ୍ଵାଗନ୍‌ କାରଖାନା ହେବ ନାହିଁ। ବର୍ତ୍ତମାନ ଦେଶରେ ଆବଶ୍ୟକତା ଠାରୁ ଅଧିକ ଓ୍ଵାଗନ୍‌ ନିର୍ମାଣ ହେଉଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ଏହି ସୂଚନା ଦେଇଥିଲେ। ରାଜ୍ୟ ସରକାର ଏହି ଚିଠି ସମ୍ପର୍କରେ କୌଣସି ସୂଚନା ଗଣମାଧ୍ୟମକୁ ଦେଇ ନ ଥିଲା ବେଳେ ଏବେ ସୂଚନା ଅଧିକାର ଆଇନ୍‌ ବଳରେ କେନ୍ଦ୍ରରୁ ତଥ୍ୟ ମିଳିଲା ପରେ ଘଟଣାଟି ପଦାକୁ ଆସିଛି।

ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କେନ୍ଦ୍ରରୁ ଏ ସମ୍ପର୍କିତ ସୂଚନା ମାଗିଥିଲେ। କେନ୍ଦ୍ରରୁ ମିଳିଥିବା ତଥ୍ୟ ଆଧାରରେ ଶ୍ରୀ ପଣ୍ଡା କହିଛନ୍ତି, ଓଡ଼ିଶାରେ ୨ଟି ରେଳ ଓ୍ଵାଗନ କାରଖାନା ପ୍ରତିଷ୍ଠା ପାଇଁ ରେଳ ବିଭାଗର ପ୍ରସ୍ତାବ ରହିଥିଲା। ଗୋଟିଏ କଲାହାଣ୍ଡି ଜିଲାର ନର୍ଲାରେ ଓ ଅନ୍ୟଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଶୀତଳାପଲ୍ଲୀଠାରେ ନିର୍ମାଣ ହେବ ବୋଲି ଘୋଷଣା ହୋଇଥିଲା। ତେବେ ରେଳ ମନ୍ତ୍ରଣାଳୟ ଗତବର୍ଷ ନର୍ଲାରେ ପ୍ରସ୍ତାବିତ ଓ୍ଵାଗନ୍‌ କାରଖାନା ବିଶାଖାପାଟଣାକୁ ସ୍ଥାନାନ୍ତରିତ କରିଦେଇଥିଲେ। ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟରୁ ଏହା ଜଣାପଡ଼ିଥିଲା। ଏ ନେଇ ଖବର ପ୍ରସାର ପରେ ବିଧାନ ସଭାରେ ହଟ୍ଟଗୋଳ ହୋଇଥିଲା। ଏହା ସହ ରାଜ୍ୟ ରାଜନୀତିରେ ବେଶ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଲୋକଙ୍କ କ୍ରୋଧ ଦେଖି ରେଳ ବିଭାଗ ସେତେବେଳେ ନର୍ଲାଠାରେ ବିଭାଗୀୟ ଓଭରହଲିଂ ସପ୍‌ ନିର୍ମାଣ କରିବାକୁ ଘୋଷଣା କରିଥିଲା। ଏଥି ସହ ଶୀତଳାପଲ୍ଲୀ ଠାରେ ପ୍ରସ୍ତାବିତ ଓ୍ଵାଗନ କାରଖାନା ବନ୍ଦ କରାଯିବ ନାହିଁ ବୋଲି ସେତେବେଳେ ଘୋଷଣା କରିଥିଲା। କିନ୍ତୁ ବର୍ତ୍ତମାନ ଶୀତଳାପଲ୍ଲୀର ଏହି ଓ୍ଵାଗନ କାରଖାନା ରାଜ୍ୟବାସୀଙ୍କ ହାତଛଡ଼ା ହୋଇଛି ବୋଲି ସେ କହିଛନ୍ତି।

ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଲେଖିଥିବା ଚିଠିରେ ଦର୍ଶାଇଥିଲେ ଯେ ଦେଶରେ ଓ୍ଵଗନ୍‌ ଆବଶ୍ୟକତା ଠାରୁ ଅଧିକ ଉତ୍ପାଦନ ହେଉଛି। ଦେଶରେ ଓ୍ଵଗନ୍‌ ଆବଶ୍ୟକତା ବର୍ଷକୁ ୧୯,୫୪୦ ରହିଛି। ୨୦୨୩-୨୪ ପର୍ଯ୍ୟନ୍ତ ଏହି ଆବଶ୍ୟକତା ବଳବତ୍ତର ରହିବ। କିନ୍ତୁ ବର୍ତ୍ତମାନ ଦେଶରେ ବର୍ଷକୁ ୩୭ ହଜାର ଓ୍ଵଗନ୍‌ ଉତ୍ପାଦନ କ୍ଷମତା ରହିଛି। ଏହା ମଧ୍ୟରୁ ସରକାରୀ କ୍ଷେତ୍ରରେ ୭ ହଜାର ଓ ଘରୋଇ କ୍ଷେତ୍ରରେ ୩୦ ହଜାର ଉତ୍ପାଦନ ହୋଇପାରୁଛି। ତେଣୁ ନିକଟ ଭବିଷ୍ୟତରେ ନୂଆ ଓ୍ଵାଗନ୍‌ କାରଖାନା ନିର୍ମାଣ କରିବା ସମ୍ଭବ ନୁହେଁ। ତେବେଳେ ରେଳ ବିଭାଗର ବ୍ୟବସାୟିକ ସ୍ଥିତିକୁ ଦେଇ ପରବର୍ତ୍ତୀ ସମୟରେ ଏହାର ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ।

ଶୀତଳାପଲ୍ଲୀରେ ଓ୍ଵାଗନ୍‌ କାରଖାନା ହେବ ନାହିଁ ବୋଲି ୧୦ ମାସ ତଳେ ରାଜ୍ୟ ସରକାର ସ୍ପଷ୍ଟ ଭାବେ ଅବଗତ ହୋଇଥିଲେ। କିନ୍ତୁ ଚିଠିକୁ ଚାପି ଦେଇଥିଲେ। ସବୁବେଳେ କେନ୍ଦ୍ରୀୟ ଅବହେଳା କଥା ଉଠାଇଥିବା ରାଜ୍ୟ ସରକାର ଚିଠିକୁ ଲୋକଲୋଚନକୁ ଆଣିବା ପାଇଁ କାହିଁକି ଚାହିଁଲେନି, ତାହା ସନ୍ଦେହ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର