୧୦ ଦିନରେ ୧୦% ବଢ଼ିଲା ନିଅଣ୍ଟିଆ ବର୍ଷା, ଅଗଷ୍ଟ ୧୫ ଯାଏ ବିଶେଷ ବର୍ଷାର ସମ୍ଭାବନା ନାହିଁ

ଭୁବନେଶ୍ବର: ରାଜ୍ୟରେ ଚଳିତ ବର୍ଷ ଠିକ୍‌ ସମୟରେ ମୌସୁମୀ ପ୍ରବେଶ କରିବ ଓ ସ୍ବାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ଏହି ଆକଳନ ସତ ହେଲା ଓ ଠିକ୍‌ ସମୟରେ ଅର୍ଥାତ୍‌ ଜୁନ୍‌ ୧୦ ତାରିଖ ଆଡ଼କୁ ମୌସୁମୀ ଓଡ଼ିଶା ଛୁଇଁଥିଲା। ପ୍ରଥମ କେଇ ଦିନ ଭଲ ବର୍ଷା ହେଲା। ଜୁନ୍‌ ମାସର ୩% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲେ ବି ଏହାକୁ ସ୍ବାଭାବିକ କୁହାଗଲା। କିନ୍ତୁ ଜୁଲାଇ ସରୁ ସରୁ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାକୁ ଲାଗିଲା। ଜୁଲାଇ ୩୧ ତାରିଖ ସୁଦ୍ଧା ରାଜ୍ୟରେ ୧୯ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହେଲା। ଆଉ ଆଜି ଅଗଷ୍ଟର ପ୍ରଥମ ୧୦ ଦିନରେ ନିଅଣ୍ଟିଆ ବର୍ଷା ସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ରାଜ୍ୟର ଅନେକ ସ୍ଥାନରେ ମୌସୁମୀ ବର୍ଷା ଉଭାନ ହୋଇ ଯାଇଥିବାରୁ ଅଭାବୀ ବର୍ଷା ପରିମାଣ ୧୯%ରୁ ବଢ଼ି ୨୯%ରେ ପହଞ୍ଚିଛି। ବର୍ଷା ଅଭାବରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ବେଶ୍ କେତୋଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉପୁଜିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ୧ ଜୁନ୍‌ରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ୪୮୮.୪ ମିମି ବର୍ଷା ହୋଇଛି।। ଏହି ସମୟ ପରିଧି ମଧ୍ୟରେ ସ୍ବାଭାବିକ ଭାବେ ରାଜ୍ୟରେ ୬୮୮.୧ ମିମି ବର୍ଷା ହୋଇଥାଏ। ଅର୍ଥାତ ରାଜ୍ୟରେ ଏବେ ୨୯% ନିଅଣ୍ଟିଆ ବର୍ଷା ହୋଇଯାଇଛି। ଭଦ୍ରକ, ବଲାଙ୍ଗୀର, ଗଜପତି ଓ ଯାଜପୁର ଆଦି ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉଦବେଗଜନକ ରହିଛି। ଏହି ୪ ଜିଲ୍ଲାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ରାଜ୍ୟର ୨୦ ଜିଲ୍ଲା ନିଅଣ୍ଟିଆ ବର୍ଷା ହୋଇଥିବା ଜିଲ୍ଲାର ତାଲିକାଭୁକ୍ତ। ମାତ୍ର ୧୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା କେନ୍ଦ୍ର ସୂଚନା ଦେଇଛି। ଅନ୍ୟପଟେ ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ବି ଉତ୍ତରାଭିମୁଖୀ ରହିଛି। ଫଳରେ ରାଜ୍ୟରେ ଅଗଷ୍ଟ ୧୫ ଯାଏ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। କିଛି କିଛି ଜିଲ୍ଲାରେ ପରିଚଳନଜନିତ ବର୍ଷା ଅପରାହ୍ନ ଆଡ଼କୁ ହେବାର ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର