ଭୁବନେଶ୍ୱର: ସାରା ରାଜ୍ୟରେ କମିଛି ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୧.୬ ମିମି ବର୍ଷା ରେକର୍ଡ କରାଯାଇଛି। ୨୩ଟି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଛି। ଯାଜପୁର ଜିଲ୍ଲାରେ ସର୍ବାଧିକ ୭.୨ ମିମି ବର୍ଷା ହୋଇଥିବା ବେଳେ ବୌଦ୍ଧ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଖୋର୍ଧା, ନୟାଗଡ଼, ନୂଆପଡ଼ା ପୁରୀରେ ଆଦୌ ବର୍ଷା ହୋଇ ନାହିଁ। ତେଣୁ ବନ୍ୟା ଆଶଙ୍କା ଟଳିଛି। ହୀରାକୁଦ ଜଳଭଣ୍ଡାରର ଗେଟ୍ ଆଜି ଖୋଲିଥିଲେ ମଧ୍ୟ ତାହାର ପ୍ରଭାବ ସେତେଟା ରହିବ ନାହିଁ। ଫଳରେ ୪ ଦିନ ହେଲା ଲାଗିରହିଥିବା ବନ୍ୟା ଆଶଙ୍କା ଏବେ ଦୂର ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସମସ୍ତ ନଦୀର ଜଳସ୍ତର ବିପଦସଙ୍କେତ ତଳେ ରହିଛି। ମୁଣ୍ଡଳିଠାରେ ମହାନଦୀରୁ ୪ ଲକ୍ଷ ୩୬ ହଜାର ୮୦୩ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଗତକାଲି ଏଠାରେ ୭ ଲକ୍ଷ କ୍ୟୁସେକ୍ରୁ ଅଧିକ ଜଳ ପ୍ରବାହିତ ହେଉଥିଲା। ଜଳସ୍ତର ହ୍ରାସ ପାଉଥିବାରୁ ମହାନଦୀର ତଳ ମୁଣ୍ଡରେ ବି ବନ୍ୟା ଆଶଙ୍କା ଟଳିଛି। ଜୁନ୍ ୧ରୁ ଜୁଲାଇ ୨୪ ମଧ୍ୟରେ ୧୪ଟି ଜିଲ୍ଲାରେ ସ୍ୱାଭାବିକ୍ଠାରୁ ଅଧିକ ବର୍ଷା ହୋଇଛି। ୧୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ସୁନ୍ଦରଗଡ଼ ଜିଲ୍ଲାରେ କମ୍ ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶାରେ ଆଉ ବଡ଼ ବର୍ଷା ନାହିଁ। ୨୯ ତାରିଖ ଯାଏ ପାଗ ଶୁଖିଲା ରହିବ। ଠାଏ ଠାଏ ଘଡ଼ଘଡ଼ି ସହ ହାଲକା ବର୍ଷା ହୋଇପାରେ। ଜୁଲାଇ ୨୯ ବେଳକୁ ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଯଦି ଏପରି କିଛି ହୁଏ ତେବେ ପୁଣିଥରେ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କିନ୍ତୁ ଅଲଗା କିଛି କହୁଛି। ବର୍ତମାନ ମୌସୁମୀ ଟ୍ରପ୍ ପଶ୍ଚିମ ଲାଇନ୍ର ଉପରି ଭାଗରେ ରହୁଛି। ୨୯ ତାରିଖ ବେଳକୁ ତାହା ପୂର୍ବ ଭାଗରେ ରହିବ। ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଜୁଲାଇ ୩୧ ଯାଏ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବାର ଦେଖାଯାଉନାହିଁ। ମୌସୁମୀ ପ୍ରଭାବରେ ସ୍ଥାନେ ସ୍ଥାନେ ସ୍ପଳ୍ପ ବର୍ଷା ହୋଇପାରେ। ଜୁଲାଇ ୨୬ ଓ ୨୭ରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୧୨ ଘଣ୍ଟାରେ ସୋନପୁରରେ ସର୍ବାଧିକ ୫ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରି ଓ ଭୁବନେଶ୍ୱରରେ ୨ ମିମି ଏବଂ ଝାରସୁଗୁଡ଼ାରେ ହାଲକା ବର୍ଷା ହୋଇଛି।
ଟଳିଲା ବନ୍ୟା ଆଶଙ୍କା
ସପ୍ତାହକ ଯାଏ ନାହିଁ ବଡ଼ ବର୍ଷା,ସବୁ ନଦୀର ଜଳସ୍ତର ବିପଦସଙ୍କେତ ତଳେ
/sambad/media/post_attachments/wp-content/uploads/2018/07/535049503-rainfinal_6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)