କଞ୍ଚାମାଲ ମିଳୁନି, ବଜାର ବ୍ୟବସ୍ଥା ନାହିଁ, ସମସ୍ୟାରେ ଦେବକୁମାରର ୨୬ ସବାଇଘାସ କାରିଗର

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ପଶ୍ଚିମବାଡ଼ ପଞ୍ଚାୟତ ଦେବକୁମାର ଗାଁର ୨୬ ଜଣ ସବାଇଘାସ ମହିଳା କାରିଗରଙ୍କୁ ଆବଶ୍ୟକ ସରକାରୀ ସୁବିଧା ଓ ପ୍ରୋତ୍ସାହନ ମିଳୁ ନଥିବାରୁ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଦେଖାଯାଇଛି।

ଦେବକୁମାର ଗାଁର ମୀନତି ଜେନା। ୨୦୦୫ ମସିହାରେ ମୀନତି ବାଲିଆପାଳର ରାହା ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ୟରେ ସବାଇଘାସ କାରିଗରୀ ଶିଖିଥିଲେ। ସେହି ଅଭିଜ୍ଞତାକୁ ପାଥେୟ କରି ଗାଁର ୭ଟି ସ୍ବୟଂ ସହାୟକ ଗୋଷ୍ଠୀର ୨୬ ଜଣ ମହିଳାଙ୍କୁ ନେଇ  ୨୦୧୮ ମସିହାରେ ମୀନତି ଆରମ୍ଭ କରିଥିଲେ ଶିବଶକ୍ତି ପ୍ରଡ୍ୟୁସର ଗ୍ରୁପ୍। ଏହି ଗ୍ରୁପ୍ ସବାଇଘାସରୁ ବିଭିନ୍ନ ଘରୋଇ ଆସବାବପତ୍ର ଓ ସୌନ୍ଦର୍ଯ୍ୟକରଣ ସାମଗ୍ରୀ ପ୍ରସ୍ତୁତ କରି ଆସୁଛନ୍ତି। ଏଥିପାଇଁ ସରକାର ମଧ୍ୟ ପ୍ରାରମ୍ଭିକ ଭାବେ ଦୁଇଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମାତ୍ର ଦିନ କେଇଟା ମଧ୍ୟରେ ଶିବଶକ୍ତି ପ୍ରଡ୍ୟୁସର ଗ୍ରୁପ ଦ୍ବାରା ସବାଇଘାସରେ ନିର୍ମିତ ସାମଗ୍ରୀର ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ଆଦର ବଢ଼ିଲା।

କୁହାଯାଉଛି କରୋନା ପୂର୍ବରୁ ଶିବଶକ୍ତି ପିଜି ମାସକୁ ଅତିକମରେ ୭ରୁ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ପ୍ରସ୍ତୁତ କରି ଓଡ଼ିଶାର କୋଣଅନୁକୋଣ ସମେତ କୋଲକାତା, ହାଇଦ୍ରାବାଦ, ବିଜୟୱାଡ଼ା, ଗୌହାଟୀ ଓ ଅନ୍ୟ ରାଜ୍ୟକୁ ପଠାଉଥିଲା। ଗ୍ରୁପ୍‌ ମୁଖ୍ୟତଃ ୫୦ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରୁଥିଲା। ସେଗୁଡ଼ିକ ମଧ୍ୟରୁ ଡଷ୍ଟବିନ୍‌, ବ୍ୟାଗ୍‌, ପଙ୍ଖା (ବିଞ୍ଚଣା), ମେଟ୍, କୁଷ୍ଟର, ଟ୍ରେ, ଫୁଲ, ଚାଙ୍ଗୁଡି, ଟୋପି, ହଟ୍‌କେସ୍‌, ପାଛିଆ, ପେନ୍‌ଷ୍ଟାଣ୍ଡ, ଡବା, ଟ୍ରେ ଅନ୍ୟତମ। ଏସବୁ ସାମଗ୍ରୀର ମୂଲ୍ୟ ୨୦ ଟଙ୍କାଠାରୁ ଆରମ୍ଭ କରି ୧ ହଜାର ଟଙ୍କା ଯାଏ ରହିଥିଲା। ତେବେ କରୋନା ଆସିବା ପରେ ପିଜିର ଆର୍ଥିକ ସ୍ଥିତି ଦୋହଲି ଯାଇଛି। କରୋନା ସମୟରେ ବାରମ୍ବାର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁ ସବାଇଘାସ ନିର୍ମିତ ସାମଗ୍ରୀ ଅନ୍ୟତ୍ର ଯାଇ ପାରିଲା ନାହିଁ। ଯାହାଦ୍ୱାରା ପ୍ରଡ୍ୟୁସର ଗ୍ରୁପ୍‌ କରୋନା ପୂର୍ବରୁ ଓ କରୋନା କାଳରେ ତିଆରି କରିଥିବା ସାମଗ୍ରୀଗୁଡ଼ିକୁ ସାଇତି ରଖିବା ପାଇଁ ସ୍ଥାନ ନପାଇ ଏଣେତେଣେ ରଖିବାକୁ ବାଧ୍ୟ ହେଲା।

ଫଳରେ ଦୀର୍ଘ ଦୁଇବର୍ଷ ଧରି ସବାଇଘାସ ନିର୍ମିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏଠିସେଠି ପଡ଼ି ନଷ୍ଟ ହୋଇଗଲା। କଟକଣା ହଟିବା ପରେ ଗ୍ରୁପ୍‌ ଏବେ ପୁଣି କାମ ଆରମ୍ଭ କରିଛି। ନିଜସ୍ବ ସମ୍ବଳରୁ କାରିଗରୀ କାମ ପାଇଁ ଗ୍ରୁପ୍‌ ନିଜ ନାମରେ ଏକ ଜମି ମଧ୍ୟ କିଣିଛି। ତେବେ ସବାଇଘାସ ସାମଗ୍ରୀ ପାଇଁ ଆବଶ୍ୟକ ପଡୁଥିବା କଞ୍ଚାମାଲ ଯଥା ସ୍ବାଇଁ ଘାସ, ଖଜୁରୀପତ୍ରର ମୂଲ୍ୟ ଦୁଇଗୁଣା ବୃଦ୍ଧି ହୋଇଥିବାରୁ କାରିଗରମାନଙ୍କ ଉପରେ ତାହା ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ୨୬ ଜଣିଆ ଏହି ପ୍ରଡ୍ୟୁସର ଗ୍ରୁପ୍‌ ମାସକୁ ଅତିକମ୍‌ରେ ଦୁଇଲକ୍ଷ ଟଙ୍କାର ସାମଗ୍ରୀ ପ୍ରସ୍ତୁତ କରିବାକୁ ସାମର୍ଥ୍ୟ ରଖିଥିବା ବେଳେ କଞ୍ଚାମାଲର ମୂଲ୍ୟବୃଦ୍ଧି ଓ ସାମଗ୍ରୀ ବିକ୍ରି ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ସଭ୍ୟାମାନେ ପାଳି କରି କାମ କରୁଥିବା ମୀନତି ପ୍ରକାଶ କରିଛନ୍ତି।

ଉତ୍ପନ୍ନ ସାମଗ୍ରୀ ବିକ୍ରି ପାଇଁ ବଜାର ବ୍ୟବସ୍ଥା, କଞ୍ଚାମାଲକୁ ରିହାତି ଦରରେ ଯୋଗାଇବା ଓ ଆଧୁନିକ ଜ୍ଞାନକୌଶଳରେ ସବାଇଘାସ ସାମଗ୍ରୀ ପ୍ରସ୍ତୁତ ପାଇଁ ଉପଯୁକ୍ତ ତାଲିମ ଏବଂ ବିଭିନ୍ନ ସହାୟକ ଯନ୍ତ୍ର ବା ଉପକରଣ ଯୋଗାଇବାକୁ ମୀନତିଙ୍କ ସମେତ ଗୋଷ୍ଠୀର ବାସନ୍ତୀ ଜେନା, ରାଧାମଣି ରାଉଳ, ଲିଲିରାଣୀ ଜେନା, ଝିଲିମିଲି ପଣ୍ଡା, ସୁମିତା ଜେନା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର