ଭୁବନେଶ୍ବର/କଟକ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ଗିରଫଦାରୀ ସହ ‘ରସଗୋଲା’ ପ୍ରସଙ୍ଗର କୌଣସି ସଂପର୍କ ନାହିଁ। କିନ୍ତୁ ଗଣମାଧ୍ୟମରେ କିଛି ଲୋକେ ଅଭିଜିତ୍ଙ୍କ ଗିରଫ ସହ ‘ରସଗୋଲା’ ପ୍ରସଙ୍ଗକୁ ଯୋଡ଼ି ଅଯଥାରେ ନାଁ ନେବାକୁ ଚେଷ୍ଟା କରୁଛନ୍ତି। ଫଳରେ ଅଭିଜିତ୍ଙ୍କୁ ଗିରଫ କରାଯିବାର ପ୍ରକୃତ କାରଣ ଲୁଚି ଯାଉଛି ବୋଲି ଓଡ଼ିଶା ପୁଲିସ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି। ପୁଲିସ ପକ୍ଷରୁ ଏକଥା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଅଭିଜିତ୍ ଟୁଇଟର୍ ଜରିଆରେ ରସଗୋଲା ଉପରେ ଦେଇଥିବା ମତ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଭଳି ପରିସ୍ଥିତି ସୃଷ୍ଟି କରିନାହିଁ।
ତାଙ୍କ ନାମରେ ହୋଇଥିବା ମାମଲା ଦୁଇଟି ଏତଲା ବଳରେ ହୋଇଛି। କୋଣାର୍କ ମନ୍ଦିର ସଂପର୍କରେ ଅଶାଳୀନ ମନ୍ତବ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥ, ପୁରୀ ଶ୍ରୀମନ୍ଦିରର ନିର୍ମାତା ଏବଂ ଓଡ଼ିଶା ସଂପର୍କରେ ଭିତ୍ତିହୀନ ମନ୍ତବ୍ୟ ଦେଇଥିବା ନେଇ ତାଙ୍କ ନାମରେ କୋଣାର୍କ ଓ ଭୁବନେଶ୍ୱର ସହିଦ୍ ନଗର ଥାନାରେ ଏତଲା ହୋଇଥିଲା। ଏତଲାକୁ ଭିତ୍ତି କରି ଦୁଇ ଥାନାର ପୁଲିସ ମାମଲା ରୁଜୁ କରିଥିଲେ। ଏହି ମାମଲା ବଳରେ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ ସ୍ପଷ୍ଟ କରିଛି।
ଆଇପିସିର ଏକାଧିକ ଦଫା ସହ ଆନ୍ସିଏଣ୍ଟ ମନୁମେଣ୍ଟ ଆଣ୍ଡ ଆର୍କୋଲୋଜିକାଲ ସାଇଟ୍ସ୍ ଆଣ୍ଡ ରିମେନ୍ସ୍ ଆକ୍ଟ ଓ ଆଇଟି ଆକ୍ଟ ବଳରେ ମାମଲା ରୁଜୁ ହୋଇଛି। ଆୟାର ଓଡ଼ିଆଙ୍କର ଧାର୍ମିକ ଭାବନାକୁ ଉଦ୍ଦେଶ୍ୟମୂଳକ ଭାବେ ଆଘାତ କରିଛନ୍ତି। ଅନ୍ୟପକ୍ଷେ ସେ ସୁପ୍ରିମକୋର୍ଟଙ୍କୁ ସୁରକ୍ଷା ମାଗିଥିଲେ କୋର୍ଟ ତାଙ୍କୁ ତୀବ୍ର ଭର୍ତ୍ସନା କରି ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇ ୧୪ ଦିନିଆ ଜେଲ ହାଜତ୍କୁ ପଠାଯାଇଛି। ତଦନ୍ତକାରୀ ଅଧିକାରୀଙ୍କ ଆବେଦନ ଆଧାରରେ ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନିଆଯାଇଛି। ଏତଲା ଦେବାଠାରୁ ରିମାଣ୍ଡ ପର୍ଯ୍ୟନ୍ତ କେଉଁଠାରେ ହେଲେ ରସଗୋଲା ପ୍ରସଙ୍ଗ ଆସି ନାହିଁ। ଏଣୁ ଅଭିଜିତ ଗିରଫ ସହ ରସଗୋଲା ପ୍ରସଙ୍ଗ ଯୋଡ଼ିବା ଉଦ୍ଦେଶ୍ୟ ପ୍ରଣୋଦିତ ଓ ଏହା ପଛରେ ପୁଲିସ୍କୁ ନିରୁତ୍ସାହିତ କରିବା ଷଡଯନ୍ତ୍ର ରହିଛି ବୋଲି ପୁଲିସ୍ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Abhijit-Iyer-Mitra-1-1.jpg)