ଦାମଙ୍କୁ ପୁଣି ବିବାଦକୁ ଟାଣିଲା ବିଜେପି, କଂଗ୍ରେସର ସମାଲୋଚନା

ଭୁବନେଶ୍ୱର : ଯେଉଁ ଚାଷୀମାନେ ଧାନ ବିଲରେ ନିଆଁ ଲଗାଇ ଦେଇଛନ୍ତି, ସେମାନଙ୍କ ଜମି କିଭଳି ଆକଳନ କରାଯିବ? ଏମିତି ଏକ ମନ୍ତବ୍ୟ ଦେଇ ଆଜି ପୁଣି ବିବାଦରେ ଫସିଛନ୍ତି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପି ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବରଖାସ୍ତ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା। ସେପଟେ କଂଗ୍ରେସ ବି ସରକାରଙ୍କୁ ଘେରିଛି ଓ ଚାଷୀ ବିରୋଧୀ ବୋଲି ଆଖ୍ୟା ଦେଇ ବରଗଡରେ ବଡ଼ ଧରଣର ଆନ୍ଦୋଳନ ଲାଗି ପାଗ ଭିଡିଛି। ଆଜି ପିିସିସି ସଭାପତି ପ୍ରସାଦ ହରିଚନ୍ଦନ ଏ ନେଇ ଗଣମାଧ୍ୟମକୁ କହିଛନ୍ତି।

Advertisment

ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ, ଆତ୍ମହତ୍ୟା କରୁଥିବା ଚାଷୀ ଯେ ଋଣ ନ ସୁଝିନପାରି ମରୁଛି, ଏକଥା କହିହେବ ନାହିଁ। କାରଣ ଏବେ ଖରିଫ ଋଣ ଆଦାୟ ହେଉନି, ଓଲଟା ରବି ପାଇଁ ୫ହଜାର କୋଟି ଟଙ୍କା ଋଣ ବଣ୍ଟା ପାଇଁ ସରକାର ଘୋଷଣା କରିଛନ୍ତି। ଆଜିସୁଦ୍ଧା ୬୦ କୋଟି ଟଙ୍କା ରବି ଋଣ ବଣ୍ଟା ସରିଲାଣି। ଏଣୁ ଚାଷୀ ଉପରେ ଋଣ ଚାପ ପଡିଲା କେମିତି?

ମନ୍ତ୍ରୀ କହିଥିଲେ, ଯେଉଁ ଜମିରେ ପୋକ ଆକ୍ରମଣରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ଘଟିଥିବ, ତାକୁ ନିଶ୍ଚିତ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ। ହେଲେ ଯେଉଁଠାରେ ଚାଷୀ ଜମିରେ ନିଆଁ ଲଗାଇ ଦେଉଛନ୍ତି, ସେଠାରେ ଅଧିକାରୀମାନେ କାହାକୁ ଦେଖି ଜମି ଆକଳନ କରିବେ। ଏଥିସହିତ ଜମିରେ ନିଆଁ ଲଗାଇବା ଦ୍ୱାରା ଜମିର ଉତ୍ପାଦିକା ଶକ୍ତି କମିବ ବୋଲି ମଧ୍ୟ ମନ୍ତ୍ରୀ ସତର୍କ କରାଇଥିଲେ।

ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଏବେ ଚାଷୀ କୂଳକୁ ବିସ୍ମିତ କରିଛି। ଅର୍ଥାତ୍‌ ଆତ୍ମହତ୍ୟା କରିଥିବା ବୃନ୍ଦାବନ ସାହୁ ସମେତ ଯେଉଁସବୁ ଅଞ୍ଚଳରେ ଚାଷୀ ଜମି ପୋଡିଦେଇଛି, ସେମାନଙ୍କୁ କ୍ଷତିପୂରଣ ନ ମିଳିବା ଆଶଙ୍କା ଅଧିକ। ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ବିଚଳିତ ହୋଇପଡିଛନ୍ତି। ବର୍ତମାନ ସମୟରେ ଏଭଳି ବିବୃତି ସରକାରଙ୍କ ପାଇଁ ଘାତକ ହୋଇପାରେ ବୋଲି ଅନୁମାନ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ଟେଲିଫୋନ୍‌ ଯୋଗେ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି। ପରେ ମନ୍ତ୍ରୀ ଏଥିରେ ସଂଶୋଧନ କରିବାକୁ ଯାଇ କ୍ଷତିପୂରଣ ନିଷ୍ପତ୍ତି ରାଜସ୍ୱ ବିଭାଗର ବୋଲି କହିଥିଲେ ହେଁ, ବିବାଦ କିନ୍ତୁ ପିଛା ଛାଡିନି।

ଆଜି ବିଜେପି ରାଜ୍ୟ ସଭାପତି ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଥିଲେ, କୃଷିମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରନ୍ତୁ। ଜିଲ୍ଲାପାଳଙ୍କ ରିପୋର୍ଟ ପଢିବା ପୂର୍ବରୁ ବୃନ୍ଦାଙ୍କ ଆତ୍ମହତ୍ୟା ଋଣଜନିତ ନୁହେଁ ବୋଲି କହି ଦାମ ବାବୁ ନବୀନ ସରକାର ଓଡ଼ିଶା ଚାଷୀଙ୍କ ବିରୋଧୀ ବୋଲି ପୁଣି ପ୍ରମାଣ ଦେଇଛନ୍ତି। ବୃନ୍ଦାବନଙ୍କ କଲେକ୍ଟରଙ୍କୁ ଗୁହାରି କରିଥିଲେ ଓ ଫସଲ ପୋଡି ପ୍ରତିବାଦ ପରେ ଆତ୍ମହତ୍ୟା କରିବା ଘଟଣା ଦେଶରେ ବିରଳ। ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମେ ଚାଷୀ ସହିତ ଅଛୁ ବୋଲି ବୟାନ ଦେଇ ସେମାନଙ୍କ କଟା ଘାରେ ଲୁଣ ଛିଟା ମାରିଛନ୍ତି।

ଓଡିଶାରେ ଫସଲ ହାନି ଓ ଋଣ ବୋଝ ଯୋଗୁ ଚାଷୀ ଆତ୍ମହତ୍ୟା କରୁ ନାହାନ୍ତି ବୋଲି ସରକାରଙ୍କର ରିପୋର୍ଟ ଦୋଷ ତ୍ରୁଟି ଘୋଡାଇବା ପାଇଁ ମିଥ୍ୟା ଦଲିଲ ବୋଲି ବିଜେପି ଅଭିଯୋଗ କରିବା ସହିତ ଗତ କିଛି ବର୍ଷ ଧରି ଚାଷୀ ଆତ୍ମହତ୍ୟାକୁ ପାରିବାରିକ କଳହ ତଥା ପ୍ରେମଜନିତ କହି ଚାଷୀ ଆତ୍ମହତ୍ୟାକୁ କରିବାର ପାଇଁ ଅପମାନର ରୂପ ଦିଆ ଯାଉଛି ବୋଲି ବିଜେପି ଅଭିଯୋଗ କରିଛି। ଏହି ସମସ୍ତ ମାମଲାକୁ ଏକ ବିଚାର ବିଭାଗୀୟ ତଦନ୍ତ କରି ପ୍ରତିଟି ଆତ୍ମହତ୍ୟା ମାମଲା ପଛର କାରଣକୁ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦଳ ଦାବି କରିଛି।

ସେହିଭଳି କୀଟନାଶକ କେଳେଙ୍କାରି ଅଭିଯୋଗ ଆଣି ଦଳ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓ ଏବେ ଯେତିକି ଫସଲ ବଂଚିଛି, ତାର ସୁରକ୍ଷା ଦୃଷ୍ଟିରୁ ଆକାଶ ମାର୍ଗରୁ କୀଟନାଶକ ସିଂଚନ କରିବାର ବ୍ୟବସ୍ଥା ତୁରନ୍ତ କରାଯିବା ଲାଗି ଦଳ ଦାବି ରଖିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥ୍ଵୀରାଜ ହରିଚନ୍ଦନ, ମୁଖପାତ୍ର ସଜ୍ଜନ ଶର୍ମା, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।