ରାଉରକେଲା: ସହର ଭିତରେ ଯାତ୍ରିବାହୀ ବସ୍‌, ଭାରୀଯାନ ଚଳାଚଳ ଏବେ ବିପଦପୂର୍ଣ୍ଣ ହେଲାଣି। ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଟ୍ରାଫିକ ସମସ୍ୟା ଏକ ପ୍ରକାର ଫେଲ୍‌ ହୋଇଥିବାବେଳେ ନିୟମିତ ବ୍ୟବଧାନରେ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ହେଉଛି। ବିଶେଷକରି ଯାତ୍ରିବାହୀ ବସ୍‌ ସରକାରୀ ନିୟମର ଖୋଲା ଉଲ୍ଲଂଘନକରି ଗଡ଼ୁଛି। ଅପରପକ୍ଷରେ ଅନ୍ୟରାଜ୍ୟ ଯାଉଥିବା ଦୂରଗାମୀ ବସ୍‌ରେ ଯାତ୍ରୀ ଶୋଷଣ ସୀମା ଟପିଥିବା ଅଭିଯୋଗ ହୁଏ।
Advertisment
ରାଉରକେଲାରୁ ରାଞ୍ଚି (ଝାଡ଼ଖଣ୍ଡ), ରାୟପୁର, ବିଳାଶପୁର, ଅମ୍ବିକାପୁର(ଛତିଶଗଡ଼), ପାଟନା(ବିହାର) ଆଦି ସହରକୁ ପାଖାପାଖି ୨୫ଟି ଚଳାଚଳ କରୁଛି। ତେବେ ସର୍ବାଧିକସଂଖ୍ୟକ ବସ୍‌ ରାଞ୍ଚିକୁ ଚଳାଚଳ କରୁଛି। ଏଡି ଦୂରଗାମୀ ବସ୍‌ର ଭଡ଼ାରେ କିଛି ତାଳମେଳ ରହୁନଥିବାବେଳେ ଭିନ୍ନ ଭିନ୍ ବସ୍‌ରେ ୧୦୦/୧୫୦ ଟଙ୍କା ଫରକ୍‌ ଆସୁଛି। ରାଞ୍ଚିକୁ ଭଡ଼ା ୫୦୦ ରୁ ୬୫୦ ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ରାୟପୁରକୁ ୬୦୦ରୁ ୭୦୦ ଶହରୁ ଓ ପାଟନାକୁ ୯୦୦ରୁ ୧୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଫଳରେ ଯାତ୍ରୀ ଖର୍ଚ୍ଚାନ୍ତ ହେଉଛନ୍ତି। ବିଭିନ୍ନ ସମୟରେ ରୁଟ୍‌ ପର୍‌ମିଟ୍‌ ହିସାବରେ ବସ୍‌ ଗଡ଼ୁନଥିବା ଅଭିଯୋଗ ହୁଏ। ଝାଡ଼ଖଣ୍ଡ-ବିହାରକୁ ଯାଉଥିବା ବସ୍‌କୁ ରାଉରକେଲା-ବୀରମିତ୍ରପୁର-ସିମଡେଗା ଦେଇ ରାଞ୍ଚି ଯିବାକୁ ଅନୁମତି ମିଳିଛି। ତେବେ ସମ୍ଭବତଃ କମ୍‌ ତେଲ ବ୍ୟୟ କରିବା ଲୋଭରେ ଏମାନେ ପଥ ବଦଳାଇ ଯାଉଥିବାର ଏକାଧିକ ନଜିର ରହିଛି। ଗତ କୋଭିଡ୍‌ ସମୟରେ ଏହି ବସ୍‌ଗୁଡ଼ିକ ରାଉରକେଲା-ବନ୍ଧମୁଣ୍ଡା-ବିଶ୍ରା-ଜରୈକେଲା-ମନୋହରପୁର ଦେଇ ଯାଉଥିଲା। ଏମାନେ ଭଡ଼ା ଅଧିକ ନେଉଛନ୍ତି; କିନ୍ତୁ ନିୟମାନୁଯାୟୀ ଟିକଟ୍‌ ବି ଦେଉନାହାନ୍ତି। ଏନେଇ ପରିବହନ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।