କୋର୍ଟ କଚେରିରେ ରହୁନି କଟକଣା, କାର୍ଯ୍ୟ ବନ୍ଦ ସହ ଧାରଣାରେ ବସି‌‌ଲେ ଓକିଲ

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି ମନୋଜ ନାୟକ ଏବଂ ସମ୍ପାଦକ ସମ୍ବିତ କୁମାର ନନ୍ଦୀଙ୍କ ନେତୃତ୍ବରେ ସୋମବାର ବିଭିନ୍ନ ଦାବି ନେଇ ଓକିଲମାନେ ଜିଲ୍ଲା ଅଦାଲତ ସମ୍ମୁଖରେ ଧାରଣା ଦେଇଥିଲେ।

ସଂଘର ଅଭିଯୋଗ ଅନୁସାରେ, ବାଲେଶ୍ୱର ଜିଲ୍ଲା ସମେତ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବିଚାର ବିଭାଗ ପକ୍ଷରୁ କୌଣସି ସତର୍କତାମୂଳକ ପଦକ୍ଷେପ ନିଆ ଯାଉନାହିଁ। ବାଲେଶ୍ୱର କଚେରୀ ହତାରେ ଥିବା କୋର୍ଟଗୁଡ଼ିକ ପାର୍ଶ୍ୱରେ ସଦର ତହସିଲ, ଅବକାରୀ ବିଭାଗ କାର୍ଯ୍ୟାଳୟ, ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଏମିତିକି ଯୋଗାଣ ବିଭାଗ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ବହୁ ସରକାରୀ ଦପ୍ତର ରହିଛି। ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକେ ବିଭିନ୍ନ କାର୍ଯ୍ୟରେ କଚେରି ହତାକୁ ଆସୁଛନ୍ତି। କେଉଁଠି ବିି ସାମାଜିକ ଦୂରତା ନିୟମ ପାଳନ ହେଉନାହିଁ। ଏଭଳି ସ୍ଥିତିରେ ଆଇନଜୀବୀମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି।

ଅନ୍ୟପକ୍ଷରେ ପୂର୍ବରୁ ସଂଘର ପ୍ରାକ୍ତନ ସଭାପତିଙ୍କ ସମେତ ବିଚାର ବିଭାଗର ଏକାଧିକ କର୍ମଚାରୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ‌ହୋଇଛି। କରୋନାରେ ମୃତ ଆଇନଜୀବୀଙ୍କ ପ୍ରତି ସରକାରଙ୍କ ପକ୍ଷରୁ କିଛି ସହାୟତା ଘୋଷଣା କରାଯାଇ ନାହିଁ। ଦିନକୁଦିନ ଏହି ମାରାତ୍ମକ ରୋଗର ପ୍ରଭାବ ବଢ଼ି ଚାଲିଥିବା ବେଳେ କଚେରି ସମେତ କୋର୍ଟ ଭିତର ଓ ବାହାରକୁ ବିଶୋଧନ କରାଯାଉନାହିଁ। ବିଚାର ବିଭାଗର ଉଦାସୀନତା ବିରୋଧରେ ସଂଘ ଶେଷରେ ଆନ୍ଦୋଳନାତ୍ମକ ପନ୍ଥାକୁ ଆପଣେଇଥିବା କର୍ମକର୍ତ୍ତାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏନେଇ ସଂଘ ପକ୍ଷରୁ ଏକ ଦାବି ପତ୍ର ଜିଲ୍ଲ ଓ ଦୌରାଜଜଙ୍କୁ ପ୍ରଦାନ କରାଯାଇଥିଲା। ତେବେ ଏ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଓ ଦୌରାଜଜ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗଣଧାରଣା ଓ କୋର୍ଟ କାର୍ଯ୍ୟ ବନ୍ଦରେ ସଂଘର କର୍ମକର୍ତ୍ତା ଓ ସଦସ୍ୟ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର