ପୁରୀ : ଚଳିତ ରଥଯାତ୍ରାରେ ବ୍ୟାପକ ବିଶୃଙ୍ଖଳା ହେଲା। ବହୁ ବର୍ଷର ବ୍ୟବଧାନ ପରେ ଦୁଇ ଦିନରେ ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା। ପହଣ୍ଡିଠାରୁ ଆରମ୍ଭ କରି ନୀତିକାନ୍ତି ଓ ବନକଲାଗିରେ ଚରମ ବିଶୃଙ୍ଖଳା ନଜରକୁ ଆସିଲା। ବହୁ ଅଣସେବକ ଓ ଅନଭିଜ୍ଞ ସେବକ ରଥରେ ଚଢ଼ି ଅଯଥା ଭିଡ଼ କରିବାରୁ ପହଣ୍ଡି ବେଳେ ଠାକୁର ଚାରମାଳ ଉପରେ ପଡ଼ିଗଲେ। କେହି ବ୍ୟବସ୍ଥାବଳୀକୁ ମାନିଲେନି। ଏହି ବିଶୃଙ୍ଖଳା ଉପରେ ଶ୍ରୀମନ୍ଦିର ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି, ସାରା ବିଶ୍ବର ଭକ୍ତଙ୍କ ନଜର ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ନା ଚଳିତ ରଥଯାତ୍ରାର ସମୀକ୍ଷା କରୁଛି ନା କାହା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଉଛି। ସ୍ନାନଯାତ୍ରା ସମୀକ୍ଷା ଅଟକିଥିବାରୁ ରଥଯାତ୍ରା ସମୀକ୍ଷା ବି ଝୁଲି ରହିଛି। ଶ୍ରୀମନ୍ଦିର ପ୍ରଶାସନର ଏଭଳି ଟାଳଟୁଳ ନୀତିକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କଲାଣି।

Advertisment

ଦୁଇ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା ରଥ
ଚଢ଼ିଥିଲେ ମାଳ ମାଳ ଅଣସେବକ
ଠାକୁରଙ୍କ ପହଣ୍ଡି, ନୀତିକାନ୍ତିରେ ହୋଇଥିଲା ବିଭ୍ରାଟ
ରଥଯାତ୍ରା ପାଇଁ ଝୁଲିଛି ସ୍ନାନଯାତ୍ରା ବିଶୃଙ୍ଖଳା କାର୍ଯ୍ୟାନୁଷ୍ଠାନ

ରଥଯାତ୍ରାର ପ୍ରଥମ ଦିନରୁ ହିଁ ବିଶୃଙ୍ଖଳା ଦେଖା ଦେଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ଠାକୁର ଚାରମାଳ ଉପରେ ଡାହାର ପାର୍ଶ୍ବକୁ ପଡ଼ିଯାଇଥିଲେ। ସେତେବେଳେ ଏତେ ସଂଖ୍ୟାରେ ସେବକ ଚାରମାଳ ଉପରେ ଥିଲେ ଯେ ଅନେକ ସେବକ ମଧ୍ୟ ଚାରମାଳ ଉପରୁ ତଳକୁ ଖସି ପଡ଼ିଥିଲେ। ଯାହାର ଭିଡିଓ ବି ସାମାଜିକ ଗଣମାଧ୍ୟମରେ ପ୍ରବଳ ମାତ୍ରାରେ ଭାଇରାଲ୍‌ ହେଉଛି। ୨୦୧୮ ମସିହାରେ ଶେଷ ଥର ବଳଗଣ୍ଡି ବିଦ୍ୟାଳୟଠାରେ ନନ୍ଦିଘୋଷ ରଥ ଗଛରେ ଲାଗି ଯିବାରୁ ତାଳଧ୍ବଜ ଓ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥିଲେ ବି ନନ୍ଦିଘୋଷ ରଥ ପହଞ୍ଚି ପାରିନଥିଲା। ସେବେଠୁ କେବେ ରଥଯାତ୍ରାରେ ରଥଟଣାରେ ବିଶୃଙ୍ଖଳା ଦେଖାଦେଇନି। ଯେଉଁଦିନ ରଥଟଣା ହୋଇଛି, ସେହି ଦିନ ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଛି। କିନ୍ତୁ ଚଳିତବର୍ଷ ତିନି ରଥ ବାରମ୍ବାର ଡାହାଣ କଡ଼ ମାଡ଼ି ଚାଲିବାରୁ କେବଳ ତାଳଧ୍ବଜ ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚି ପାରିଥିଲା। ଅନ୍ୟ ଦୁଇ ରଥ ଅଧାବାଟରେ ଅଟକି ରହିଥିଲେ।

publive-image
ଅଭିଯୋଗ ଉଠିଥିଲା, ରଥ ଉପରେ ଅଧିକ ସଂଖ୍ୟକ ସେବକ ଚଢ଼ିବା ଓ ରଥ ଟାଣିବା ନେଇ ରଥ ଉପରେ, ତଳେ ଥିବା ଜେଟିପି ଓ ପୁଲିସଙ୍କ ଭିତରେ ତାଳମେଳ ନ ରହିବାରୁ ରଥ ଟଣା ବିଳମ୍ବ ହୋଇଥିଲା। ସବୁ ମହାପ୍ରଭୁଙ୍କ ଇଚ୍ଛା କହି ଅର୍ଥାତ୍ ମହାପ୍ରଭୁଙ୍କୁ ଦୋଷ ଦେଇ ଖସିବାକୁ ଚେଷ୍ଟା କରିଛନ୍ତି ଉଭୟ ସେବକ ଓ ପ୍ରଶାସକ। କିନ୍ତୁ ଯେଉଁ ଦିନ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାରରେ ବିରାଜମାନ କଲେ, ସେଦିନ ନୀତିକାନ୍ତିରେ ଚରମ ବିଶୃଙ୍ଖଳା କରାଗଲା। ରଥ ପହଞ୍ଚିବାର ୪ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେଲା ଓ ମହାପ୍ରଭୁଙ୍କୁ ୪ ଘଣ୍ଟା ଭୋକରେ ରଖାଗଲା। ଗୋପଳବଲ୍ଲଭ ଓ ସକାଳଧୂପ ସଂଧ୍ୟାରେ ହେଲା। ତଥାପି ଚେତା ପଶିଲାନି ସେବକଙ୍କର। ଆଡ଼ପ ପହଣ୍ଡି ବେଳେ ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚାରମାଳ ଉପରେ ପକାଇଦେଲେ।

publive-image

ପହଣ୍ଡିରେ ଚାରମାଳରେ ଓହ୍ଲାଇବା ବେଳେ ଡାହାଣପାର୍ଶ୍ବକୁ ପଡ଼ିଗଲେ ଠାକୁର। ସେ ସମୟରେ ଅଧିକ ସଂଖ୍ୟକ ସେବକ ଅଯଥାରେ ରଥ ଉପରେ ଚଢ଼ିବାରୁ ଏଭଳି ବିଶୃଙ୍ଖଳା ହେଲା ବୋଲି ବରିଷ୍ଠ ଦଇତାପତିମାନେ ଅଭିଯୋଗ କରିଥିଲେ। ଆଡ଼ପମଣ୍ଡପ ବିଜେ ପରେ ବି ନୀତିକାନ୍ତିରେ ଶୃଙ୍ଖଳା ଦେଖାଦେଲାନି। ତିନି ରାତି ଠାକୁରଙ୍କୁ ଅନିଦ୍ରା ରଖାଗଲା। ବିନା ପହୁଡ଼ରେ ତିନି ଦିନ ନୀତିକାନ୍ତି କରାଗଲା। ବନକଲାଗି ଦିନ ସଅଳ ସର୍ବସାଧାରଣ ଦର୍ଶନ ବନ୍ଦ ହୋଇ ସାରିଥିଲେ ବି ବରିଷ୍ଠ ଦଇତାପତିମାନେ ନିଜ ପରିଚିତ ଲୋକଙ୍କୁ ଦର୍ଶନ ପାଇଁ ଗର୍ଭଗୃହରେ ଭର୍ତ୍ତି କରାଇବାରୁ ବନକଲାଗି ବିଳମ୍ବ ହୋଇଥିଲା। ଦତ୍ତ ମହାପାତ୍ର-ଦଇତାପତିଙ୍କ ଭିତରେ ଏହାକୁ ନେଇ କଥା କଟାକଟି ପରେ ଦତ୍ତ ମହାପାତ୍ର ସେବକ ବନକପେଡ଼ିରେ ତାଲା ପକାଇ ପଳାଇଥିଲେ। ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ରାତି ୮ଟାରୁ ଆରମ୍ଭ ହେବାକୁ ଥିବା ବନକଲାଗି ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଜରୁରୀ ବୈଠକ ଡାକି ନୀତିକାନ୍ତି, ବାହୁଡ଼ା ପହଣ୍ଡିରେ ଶୃଙ୍ଖଳା ଅଣାଗଲା ସତ, କିନ୍ତୁ ନୀଳାଦ୍ରି ବିଜେରେ ପୁଣିଥରେ ପହଣ୍ଡି ବେଳେ ବହୁ ସଂଖ୍ୟାରେ ସେବକ ଚଢ଼ି ବିଶୃଙ୍ଖଳା କଲେ।

ପ୍ରତିବର୍ଷ ରଥଯାତ୍ରା ଶେଷ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସେ। ରଥଯାତ୍ରା ଆୟୋଜନ ଉପରେ ବିସ୍ତୃତ ସମୀକ୍ଷା ହୁଏ। ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ବି ନିଆଯାଏ। କିନ୍ତୁ ଚଳିତବର୍ଷ ବୈଠକରେ ବହୁ ବିଳମ୍ବ କରାଯାଉଛି। ସେପଟେ ରଥଯାତ୍ରାରେ ବିଶୃଙ୍ଖଳା ଭୟରେ ସ୍ନାନଯାତ୍ରା ବିଶୃଙ୍ଖଳାକୁ ଚପାଇ ଦିଆଯାଇଥିଲା। ରଥଯାତ୍ରା ସମୀକ୍ଷା ବେଳେ ସ୍ନାନଯାତ୍ରା କଥା ଆଲୋଚନା ହେବ ବୋଲି କୁହାଯାଇଥିଲା। ଏଭଳି ସ୍ଥିତି କେବେ ଉଭୟ ସ୍ନାନଯାତ୍ରା ଓ ରଥଯାତ୍ରାର ସମୀକ୍ଷା ହେବ, ତା ଉପରେ ସମସ୍ତଙ୍କ ନଜର ରହିଛି।