ବିଶ୍ବଜିତ ଦାଶ
ଭୁବନେଶ୍ବର: ‘ଆମର ଏକର ଏକର ଜମି ଥିଲା। ବର୍ଷକୁ ତିନି ଫସଲି କରି ଖାଉଥିଲୁ। କିଛି ସମସ୍ୟା ନଥିଲା। ହେଲେ ସରକାର ଆମ ଭିଟା ମାଟି ଛଡ଼ାଇ ନେଲା। ଏକର ଏକର ଜମି ବଦଳରେ ଆମକୁ ନାବେରା କଲୋନିରେ ଥଇଥାନ କରି ୧୦ ଡିସିମିଲ ଜମି ଦେଲା, ୧୦ ଲକ୍ଷ ଟଙ୍କା ଆକାଉଣ୍ଟରେ ଜମା ହୋଇଛି ବୋଲି କହିଲେ। କିନ୍ତୁ ଏବେ ଟଙ୍କା ଉଠାଇବାକୁ ଗଲା ବେଳକୁ କହୁଛନ୍ତି ଉପଜିଲ୍ଲାପାଳ ଦସ୍ତଖତ ନକଲେ ଟଙ୍କା ଉଠାଇପାରିବନି। ଚାଷ ତ ନାହିଁ, ଆମ ଟଙ୍କା ଆମେ ଉଠାଇପାରିବୁନି। ଇଏ କେମିତିକା ନିୟମ। ଆମେ କାହିଁକି ଭୋଟ୍ ଦେବୁ, ଜମି ନାହିଁ ତ ଭାତ ନାହିଁ। ଭାତ ନାହିଁ ତ ଭୋଟ୍ ନାହିଁ।’ ଏହିଭଳି ନାରା ଦେଇ ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକର ଯମୁନାଗଡ଼ ଅଞ୍ଚଳର ଶତାଧିକ ଲୋକ ନିର୍ବାଚନରେ ଭୋଟ୍ ଦେଲେନି। କେବଳ ଜମି ନୁହେଁ, କେଉଁଠି ପିଇବାକୁ ପାଣି ନାହିଁ ତ କେଉଁଠି ଗାଁକୁ ଯିବାକୁ ରାସ୍ତା ନାହିଁ। ଜମି ଥାଇ ବି ପଟ୍ଟା ନାହିଁ। ବିଦ୍ୟୁତ୍ ସଂଯୋଗ ନାହିଁ, ପିଲା ପାଠ ପଢ଼ିବାକୁ ସ୍କୁଲ ନାହିଁ। ଏହିଭଳି ଅଭିଯୋଗ କରି ପ୍ରାୟ୧୦ହଜାର ଲୋକ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଭୋଟ୍ ଦେଇନାହାନ୍ତି।
ସ୍ବାଧୀନତାର ୭୭ବର୍ଷ ବିତିଗଲାଣି। ୨୪ ବର୍ଷ ଧରି ଏକ ସ୍ଥାୟୀ ସରକାର ରାଜ୍ୟରେ ଶାସନ କରୁଥିଲେ। ଏହା ସତ୍ତ୍ବେ ରାଜ୍ୟର ୧୧ଟି ବୁଥ୍ରେ ପ୍ରାୟ ୧୦ ହଜାର ଲୋକ ଭୋଟ୍ ବର୍ଜନ କରିବା ଘଟଣାକୁ ସାମାନ୍ୟ ବୋଲି କୁହାଯାଇପାରିବ ନାହିଁ। ଏତିକି ସଂଖ୍ୟକ ଲୋକ କେବଳ ଭୋଟ୍ ବର୍ଜନ କରିଛନ୍ତି ବୋଲି ସମସ୍ୟା କେବଳ ଏସବୁ ଅଞ୍ଚଳରେ ରହିଛି, ତାହା ନୁହେଁ। ରାଜ୍ୟର ଲକ୍ଷ ଲକ୍ଷ ଲୋକ ଏଭଳି ମୌଳିକ ଅଧିକାରଠାରୁ ଦୂରରେ। ନିଜର ଅସନ୍ତୋଷକୁ ନିଜ ଭିତରେ ଚାପି ରଖି କେହି କେହି ଗଣତନ୍ତ୍ରର ମହାପର୍ବରେ ସେମାନେ ସାମିଲ୍ ହୋଇଛନ୍ତି। ଆଉ କେଉଁଠି ସ୍ଥିତି ଅସହ୍ୟ ହେବାରୁ ଭୋଟ୍ ବର୍ଜନ ଭଳି ରାସ୍ତାକୁ ବାଛିଛନ୍ତି ଲୋକେ। ଏବେ ସରକାର ବଦଳିଛି। ବିଜେପି ରାଜ୍ୟ ଶାସନର ମଙ୍ଗ ଧରିଛି। ଅନୁଭବୀ ବିଧାୟକ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଓ ଦୁଇ ଜଣ
ଉପମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହଦେଓ ଏବଂ ପ୍ରଭାତୀ ପରି଼ଡ଼ା ଶାସନ ଆରମ୍ଭ କରିଛନ୍ତି। ପୂରା ବିଜେପି ଶିବିର ଖୁସିରେ ଗଦ୍ଗଦ୍। ଭୋଟ୍ ବର୍ଜନ କରି ଗଣତନ୍ତ୍ର ପାଇଁ ଆହ୍ବାନ ସୃଷ୍ଟି କରିଥିବା ଏହି ୧୦ହଜାର ଲୋକଙ୍କ ଭାତହାଣ୍ଡିରେ ଚାଉଳ ପଡ଼ିବ କି ନାହିଁ, ପିଇବାକୁ ଶୁଦ୍ଧ ପାଣି ମିଳିବ କି ନାହିଁ, ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ହସ୍ପିଟାଲକୁ ଆଣିବାକୁ ଗାଡ଼ି ଯାଇପାରିବା ଭଳି ରାସ୍ତାଟିଏ ହେବ ନା ନାହିଁ, ଡିବିରି ଆଲୁଅ ବଦଳରେ ଘରେ ବିଦ୍ୟୁତ୍ ବଲ୍ବ ଜଳିବ କି ନାହିଁ, ଏହାର ଗ୍ୟାରେଣ୍ଟି କିଏ ଦେବ? ନୂଆ ସରକାରରେ ଓଡ଼ିଶାର ଏହି ସ୍ଥିତି ବଦଳିବ ନା ନାହିଁ? ନା ଆସନ୍ତା ନିର୍ବାଚନ ଯାଏ ପୁଣି ଏଭଳି ହଜାର ହଜାର ଲୋକ ଭୋଟ୍ ବର୍ଜନ କରିବେ? ନୂଆ ସରକାର ଗଠନରେ ଏମାନଙ୍କର କୌଣସି ଅବଦାନ ନଥିବାରୁ ସେମାନଙ୍କୁ ପୁଣି ଥରେ ଅବହେଳା କରାଯିବ ନାହିଁ ତ? ଯେଉଁ ମୋହନ ମାଝୀ ବିରୋଧୀ ଦଳର ବିଧାୟକ ଭାବେ ବିଧାନସଭାରେ ଏବଂ ବାହାରେ ଯେଉଁ ସବୁ ପ୍ରସଙ୍ଗରେ ବିଜେଡି ସରକାରକୁ ଘେରିଥିଲେ ସେ ଏବେ ମୁଖ୍ୟମନ୍ତ୍ରୀ ଆସନରେ। ତାଙ୍କ ସରକାର ଏହି ସବୁ ସମସ୍ୟାର ସମାଧାନ କରିବ ତ?
ନିର୍ବାଚନ ପୂର୍ବରୁ ସାରା ରାଜ୍ୟରେ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଥିଲା। ଏମିତି ଏକ ବାତାବରଣ ସୃଷ୍ଟି ହୋଇଥିଲା, ମନେହେଉଥିଲା ଯେମିତି ପାଣି ସମସ୍ୟା ହିଁ ଏ ସରକାରକୁ ପାଣି ପିଆଇଦେବ। ୨୫ବର୍ଷର ସରକାର ଲୋକଙ୍କୁ ସାମାନ୍ୟ ପିଇବା ପାଣି ଯୋଗାଇ ନପାରିବାର ପ୍ରଭାବ ରାଜ୍ୟର ଅଧିକାଂଶ ସ୍ଥାନରେ ମତଦାନରେ ଦେଖିବାକୁ ମିଳିଥିଲା। ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ପାଣି ନମିଳିବାରୁ ସାନଖେମୁଣ୍ଡିର ଗୁଡ଼ିଆପାଟଣାର ୬୦୦ରୁ ଅଧିକ ମତଦାତା ବୁଥ୍ ଆଗରେ ଡେକ୍ଚି, ବାଲଟି, ଗରା ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭୋଟ୍ ବର୍ଜନ କଲେ। କେବଳ ସାନଖେମୁଣ୍ଡି ନୁହେଁ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର କହ୍ନେଇଟାଲ ଗାଁର ଲୋକ ତାଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ବହୁବାର ଦାବି କରିଥିଲେ। କିନ୍ତୁ ସରକାର ଜମିକୁ ପାଣି ଦେବାରେ ବିଫଳ ହେବାରୁ ଶତାଧିକ ଲୋକ ଭୋଟ୍ ବର୍ଜନ କଲେ। କେବଳ ପାଣି ନୁହେଁ, ଗାଁକୁ ଭଲ ରାସ୍ତାଟିଏ ନଥିବାରୁ, ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳୁନଥିବାରୁ ବହୁ ଲୋକ ଭୋଟ୍ ବର୍ଜନ କରିଛନ୍ତି। ଢେଙ୍କାନାଳ ଜିଲ୍ଲାର ବାଘମୁଣ୍ଡା ଗାଁର ଲୋକ ଗାଁକୁ ରାସ୍ତାଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ। ହେଲେ ସରକାର ନଶୁଣିବାରୁ ପ୍ରାୟ ୫୦୦ରୁ ଅଧିକ ଲୋକ ମତଦାନ କଲେନି।
ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନକ୍ସଲ ଅଧ୍ୟୁଷିତ ରାଇଘର ବ୍ଲକ ଖୁଡ଼ୁକୁ ପଞ୍ଚାୟତର ୧୦ଖଣ୍ଡ ଗାଁର ଲୋକ ଜଙ୍ଗଲ ଜମି ଅଧିକାର, ଏଫ୍ଆର୍ସି କମିଟି ଗଠନ, ଗାଁକୁ ରାସ୍ତା, ସ୍କୁଲ ଏବଂ ପିଇବା ପାଣି ଯୋଗାଣ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି ଏହାର ସମାଧାନ ନହେବାରୁ ଭୋଟ୍ ବର୍ଜନ କେଲ। ତେନ୍ତୁଳିଖୁଣ୍ଟି ବ୍ଲକ୍ ଖଣ୍ଡିଆଗୁଡ଼ା ଗାଁ ଲୋକ ବି ବିଜୁଳି, ଜଙ୍ଗଲ ଜମି ପଟ୍ଟା ଓ ସ୍କୁଲ ନଥିବାରୁ ଭୋଟ୍ ଦେଇନାହାନ୍ତି। ନଦୀ ଉପରେ ପୋଲ ନଥିବାରୁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଦେବଷଣ୍ଢଗୁଡ଼ା ଗାଁ ଲୋକ ଭୋଟ୍ ଦେଲେନି। ବାରିପଦା ନିର୍ବାଚନ ମଣ୍ଡଳୀର ବଡ଼ମାମୁଡ଼ି ଗାଁର ଲୋକ ମୁଖ୍ୟ ରାସ୍ତା ଠାରୁ ଅଢ଼େଇ କିମି ଦୂରରେ ରହୁଥିଲେ ହେଁ ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରିଲାନି। ଫଳରେ ବହୁ ଲୋକଙ୍କ ଜୀବନ ହସ୍ପିଟାଲକୁ ଆସିବା ରାସ୍ତାରେ ଚାଲିଯାଉଛି। ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ନେହୁରା ହୋଇଥିଲେ ହେଁ ଏହାର ସମାଧାନ ହୋଇପାରିଲାନି। ତେଣୁ ଭୋଟ୍ ଦେଲେନି। ଗଜପତି ଜିଲ୍ଲା ମୋହନାରେ ରାସ୍ତା, ପାଣି ଓ ମୋବାଇଲ ନେଟୱର୍କ ଦାବିରେ ୬ଖଣ୍ଡ ଗାଁର ଲୋକ ବି ଭୋଟ୍ ବର୍ଜନ କରିଛନ୍ତି। ଦିନେ ବିଜେପିର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସଂସଦରେ କହିଥିଲେ ‘କ୍ଷମତାର ଖେଳ ଚାଲିବ, ସରକାର ଆସିବ ଯିବ, ପାର୍ଟି ଗଢ଼ା ହେବ, ଭଙ୍ଗା ହେବ, କିନ୍ତୁ ଏ ଦେଶ ରହିବା ଦରକାର, ଏହି ଦେଶର ଗଣତନ୍ତ୍ର ଅମର ରହିବା ଦରକାର’। ସେହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଚାରଧାରାରେ କେନ୍ଦ୍ରରେ ଏବଂ ଓଡ଼ିଶାରେ ଏବେ ବିଜେପିର ଡବଲ୍ ଇଞ୍ଜିନ ସରକାର ଆସିଛି। ଯେଉଁ ଗଣତନ୍ତ୍ରକୁ ସମ୍ମାନ ଦେଇ ସମସ୍ୟାରେ ଥାଇ ବି ଲୋକ ମତଦାନ ଅଧିକାର ସାବ୍ୟସ୍ତ କଲେ ଏବଂ ସରକାର ବଦଳାଇ ଦେଲେ। ସେହି ଗଣତନ୍ତ୍ରକୁ ସମ୍ମାନ ଦେଇ ନୂଆ ସରକାର ଏ ସମସ୍ୟାର ଚିର ସମାଧାନ କରିବ ତ!