୫ ମାସ ହେଲା ମିଳିନି ଚାଉଳ; ବ୍ଲକ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ

ହାଟଡିହି: ୫ ମାସ ହେଲା ଚାଉଳ ନପାଇ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିଛନ୍ତି ହିତାଧିକାରୀ। ବ୍ଲକ୍‌ କାର୍ଯ୍ୟାଳୟରେ ପଶି ଯୋଗାଣ ଅଧିକାରୀଙ୍କ ନିକଟରେ ହୋହଲ୍ଲା କରିବା ସହ ତୁରନ୍ତ ଚାଉଳ ଦେବାକୁ ଦାବି ଜଣାଇଛନ୍ତି।

ହାଟଡିହି ବ୍ଲକ୍‌ କଳିଗାଁ ପଞ୍ଚାୟତର ତାମ୍ପଳା, ରଘୁନାଥପୁର, ଦଶରଥପୁର, ଭାକିଡି, କନକମ୍ପା ଗ୍ରାମର ହିତାଧିକାରୀମାନେ ତାମ୍ପଳା ଏସଏଚ୍‌ଜି ଗ୍ରୁପଠାରୁ ଚାଉଳ ପାଉଥିଲେ। ହିତାଧିକାରୀମାନେ ଦୁଇ ମାସର କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ଓ ତିନିମାସର ଟଙ୍କାକିଆ ଚାଉଳ ପାଇନାହାନ୍ତି। ଅଧିକାଂଶ ପରିବାର ମୂଲ ଲାଗି ଚଳୁଥିବାରୁ ସେମାନେ ଚାଉଳ ନ ପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଏନେଇ ରିଟେଲର୍‌ଙ୍କୁ ଜଣାଇବା ସହ ଯୋଗାଣ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନାହିଁ। କଳିଗାଁ ସରପଞ୍ଚ ହେମଲତା ଯେନା ଗତ ପଞ୍ଚାୟତ ସମିତି ବୈଠକରେ ଏନେଇ ଆଲୋଚନା କରିଥିଲେ। ଦୁଇତିନି ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ଯୋଗାଣ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଗତକାଲି ଯୋଗାଣ ଅଧିକାରୀ ଦିଲୀପ କୁମାର ସାହୁ ତାମ୍ପଳା ଗାଁକୁ ଯାଇଥିଲେ। ରିଟେଲର୍‌ଙ୍କ ସମ୍ପର୍କୀୟଙ୍କୁ ରାସ୍ତାରେ ଭେଟି ଚାଉଳ ପାଇଛ କି ନାହିଁ ପଚାରି ପଳାଇ ଆସିଥିଲେ। ଏହାକୁ କେନ୍ଦ୍ରକରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଆଜି ସଂଯୁକ୍ତା ଯେନା, ମାମିନା ଯେନା, ପାନ ଯେନା, ନରହରି ଯେନା, ଲିପା ଯେନା, ବାସନ୍ତୀ ଯେନା, ସୌଦାମିନୀ ଯେନା, ନୃସିଂହ ମହାପାତ୍ର, ମଙ୍ଗଳ ରାଉଳ, ବିଜୟ ଯେନା, ସୁଲୋଚନା ସ୍ୱାଇଁ, ଊର୍ମୀ ସ୍ୱାଇଁ, ଜୟନ୍ତ ସ୍ୱାଇଁ, ନନ୍ଦିନୀ ଯେନା, ଅଭୟ ପାତ୍ର, କୈଳାସ ରାଉତ, ବିଜୁଳି ପାଣିଗ୍ରାହୀ, ବେଣୁଧର ସା, ସନାତନ ଶଙ୍ଖୁଆ, ବାପିନା ସ୍ୱାଇଁଙ୍କ ସମେତ ଶତାଧିକ ହିତାଧିକାରୀ ବ୍ଲକ୍‌ କାର୍ଯ୍ୟାଳୟକୁ ଆସି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ। ବିଡିଓ ନଥିବାରୁ ଯୋଗାଣ ଅଧିକାରୀଙ୍କ ନିକଟକୁ ଯାଇ ପଚାରିଥିଲେ। ଏହାକୁ ନେଇ କାର୍ଯ୍ୟାଳୟରେ ପ୍ରବଳ ହୋହଲ୍ଲା ହୋଇଥିଲା। ଏ ସମ୍ପର୍କରେ ଚାଉଳ ବାଣ୍ଟୁଥିବା ଏସ୍‌ଏଚ୍‌ଜିର ସଭାନେତ୍ରୀ ଭାନୁମତୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗର କୌଣସି ସତ୍ୟତା ନାହିଁ। ଠିକ୍‌ରେ ଚାଉଳ ବଣ୍ଟା ଯାଉଛି। କିଛି ହିତାଧିକାରୀ ଚାଉଳ ନେବାକୁ ନ ଆସି ମିଛରେ ଅଭିଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ସେହିପରି ଯୋଗାଣ ଅଧିକାରୀ ଦିଲୀପ କୁମାର ସାହୁ କହିଛନ୍ତି, ସେ ନୂଆକରି ଆସିଛନ୍ତି। ସମସ୍ୟା ସମାଧାନ କରିବାକୁ କିଛିଦିନ ସମୟ ଲାଗିବ। ୩ ତାରିଖ ସୁଦ୍ଧା​ ଚାଉଳ ପାଇ ନଥିବା ହିତାଧିକାରୀଙ୍କୁ ଚାଉଳ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର