ମଧ୍ୟାହ୍ନଭୋଜନରୁ ବଞ୍ଚିତ ଶତାଧିକ ଛାତ୍ରଛାତ୍ରୀ, ୨ଦିନ ହେଲା ସରିଗଲା ଚାଉଳ

କୋଷାଗୁମୁଡା: ପିଲାଙ୍କୁ ଶିକ୍ଷାଭିମୁଖୀ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ, ମାଗଣା ପାଠ୍ୟ ଉପକରଣ ଓ ପୋଷାକ ସହିତ ହଷ୍ଟେଲର ମଧ୍ୟ ବ୍ୟବସ୍ଥା କରାଯାଇଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଦୁଇ ଦିନ ହେଲା ଶତାଧିକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ନପାଇ ଭୋକରେ ଘରକୁ ଫେରୁଛନ୍ତି। ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଆଟିଗାଁ ପଞ୍ଚାୟତର ଗୋଟିବେଡା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏଭଳି କିଛି ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ପ୍ରଥମରୁ ‌ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୫୪ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ଚାଉଳ ନଥିବାରୁ ପ୍ରାୟ ୧ମାସ ହେଲା ଗ୍ରାମର ଏକ ଦୋକାନରୁ ଚାଉଳ ଧାର ଆଣି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ଅନ୍ୟପଟେ ଧାର ଟଙ୍କା ବୃଦ୍ଧି ପାଇବାରୁ ଚାଉଳ ଦେବାରୁ ଦୋକାନୀ ମନା କରିଦେବା ପରେ ଶିକ୍ଷକ ମାନେ ଚିନ୍ତାରେ ପଡିଥିଲେ। ସ୍କୁଲରେ ଚାଉଳ ନଥିବା ଓ ଧାରରେ ଚାଉଳ ଆଣି ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ଗତ ୯ତାରିଖରେ ପ୍ରଧାନ ଶିକ୍ଷକ ଧିରୋଜ ନାୟକ କୋଷାଗୁମୁଡା ବିଇଓଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି। କିନ୍ତୁ ଏହାପରେ ମଧ୍ୟ ଚାଉଳ ଯୋଗାଇ ଦିଆଯାଇନଥିଲା। ଧାର ଆଣିଥିବା ଚାଉଳ ସରିଯିବାରୁ ଗତକାଲି ଠାରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋ‌ଷେଇ ହୋଇପାରୁନି। ଏଥିଯୋଗୁଁ ଛାତ୍ରଛାତ୍ରୀ ମାନେ ଭୋକରେ ଘରକୁ ଫେରୁଛନ୍ତି। ଏନେଇ ଜଣାପଡିବା ପରେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ସ୍କୁଲ ପରିଚାଳନା କମିଟି ସଭାପତି ବିକ୍ରମ ମାଝୀଙ୍କୁ ପଚାରିବରୁ ଶିକ୍ଷକ ମାନେ ମାସ ମାସ ଧରି ଚାଉଳ ଧାର ଆଣି ମଧ୍ୟାହ୍ନ ଭୋଜନ ପରିଚାଳନା କରୁଥିଲେ। କିନ୍ତୁ ଧାର ଟଙ୍କା ଅଧିକା ହେବାରୁ ଦୋକାନୀ ଚାଉଳ ଦେବାକୁ ମନା କରିଦେବା ସହ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଦେଖାଦେଇଥିବା କହିଛନ୍ତି। ଏନେଇ ସ୍ଥାନୀୟ ବିଆରସିସି ସୌମେନ୍ଦ୍ର ଭୌମିକଙ୍କ ସହ ଯୋଗାଯୋଗ କରିବାରୁ ବିଦ୍ୟାଳୟରେ ଚାଉଳ ନଥିବା ନେଇ ଅଭିଯୋଗ ମିଳିଥିବା ସ୍ବୀକାର କରିବା ସହ ଆମ ହାତରେ କିଛି ନାହିଁ ବୋଲି କହିଛନ୍ତି। ଏସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି ସେମା‌ନେ ଯାହା ପଦକ୍ଷେପ ନେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଶୀଘ୍ର ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର