ଅତାବିରା: ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନସ୍ଥ ଗୌରଟିକ୍ରା ମାର୍କେଟ୍ ୟାର୍ଡରେ ଚାଷୀଙ୍କ ଧାନ ବିକ୍ରି ହେଉ ନଥିବାରୁ ୟାର୍ଡ ଅଫିସ୍ରେ ଚାଷୀମାନେ ଧାନ ପୂରାଇବା ଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଏହି ମଣ୍ଡିରେ ମିଲରଙ୍କ ଟାର୍ଗେଟ ଅଛି, ଚାଷୀଙ୍କ ଟୋକନ ଅଛି; ହେଲେ ମିଲର ଧାନ ଉଠାଇବା ପାଇଁ ନାରାଜ ଅଛନ୍ତି। ମଣ୍ଡିରେ ୧୦ ହଜାରରୁ ଊର୍ଦ୍ଧ୍ବ ବସ୍ତା ଧାନ ପଡ଼ି ରହିଛି।
ଏପରିସ୍ଥଳେ ଏହି ମଣ୍ଡି ଅଧୀନସ୍ଥ ୩ ଜଣ ଚାଷୀଙ୍କ ଟୋକନ ଉଡ଼ିଯାଇଥିବା ଅଭିଯୋଗ ଆସିଛି। ଯେଉଁ ମିଲ୍କୁ ଟାର୍ଗେଟ ଦିଆଯାଇଛି ସେ ମିଲ୍ ନାମକୁ ମାତ୍ର ୧/୨ ଗାଡ଼ି ଧାନ ଉଠାଇ ଚୁପ୍ ବସୁଛି। ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ଅଧିକାରୀଙ୍କ ତତ୍ପରତା ପ୍ରକାଶ ପାଉନି କି ସେମାନଙ୍କ ଦେଖା ଦର୍ଶନ ମିଳୁନାହିଁ। ଫଳରେ ମଂଗଳବାର ଗୌରଟିକ୍ରା ମଣ୍ଡିର ଚାଷୀମାନେ ଅଫିସ୍ ଗୃହରେ ଧାନ ରଖି ପ୍ରତିବାଦ କରିଛନ୍ତି। ଧାନ ନ ଉଠିବା ପର୍ଯ୍ୟନ୍ତ ଏପରି ପ୍ରତିବାଦ ଚାଲିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ପୂର୍ବତନ ବିଧାୟକ ନିହାର ମହାନନ୍ଦ ଯାଇ ଚାଷୀଙ୍କ ପ୍ରତିବାଦରେ ସାମିଲ ହୋଇଛନ୍ତି। ୩/୪ ହଜାର ବସ୍ତାର ମିଲର ଟାର୍ଗେଟ ଅଛି, ଟୋକନ ଥିବା ଚାଷୀ ଧାନ ବିକ୍ରି କରିବାକୁ ପ୍ରସ୍ତୁତ ଥିବାବେଳେ ମିଲରମାନେ ଧାନ ଉଠାଉ ନାହାନ୍ତି। ଚିଫ୍ ସିଏସ୍ଓ, ଯୋଗାଣ ଅଧିକାରୀଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଠାରେ ଅଭିଯୋଗ କଲେ ମଧ୍ୟ କେହିଁ ଶୁଣୁ ନାହାନ୍ତି। ଚାଷୀଙ୍କ ଟୋକନ ଉଡ଼ିବାରେ ବସିଲାଣି। ଜିଲ୍ଲାରେ ପ୍ରଶାସନ ମିଲରଙ୍କ ଏଜେଣ୍ଟ ପାଲଟିଛି ବୋଲି ଶ୍ରୀ ମହାନନ୍ଦ ଅଭିଯୋଗ କରିଛନ୍ତି।