ଅନ୍ନପୂର୍ଣ୍ଣା ହିତାଧିକାରୀଙ୍କୁ ଚାଉଳ ନା: ଅନ୍ନ ବିହୁନେ ହଂସହାନି

ସମ୍ବଲପୁର: ଅନ୍ନ ପାଇଁ ହନ୍ତସନ୍ତ ହେଉଛନ୍ତି ଏବେ ରାଜ୍ୟର ଅନ୍ନପୂର୍ଣ୍ଣା ହିତାଧିକାରୀ। ସରକାରୀ ଅବହେଳା ଯୋଗୁ ପ୍ରାୟ ଏକ ବର୍ଷ ହେଲା ମିଳୁନାହିଁ ମାଗଣା ଚାଉଳ। ‌ପରିଣତ ବୟସରେ ବଡ଼ କଷ୍ଟରେ ବିତୁଛି ଜୀବନ। ପ୍ରାପ୍ତ ସୂଚନା ଅନୁସାରେ, ରାଜ୍ୟରେ ବହୁ ଗରିବ, ଅସହାୟ ବ୍ୟକ୍ତି ପରିଣତ ବୟସରେ ଉପନୀତ ହୋଇଥିଲେ ମଧ୍ୟ ଜାତୀୟ ତଥା ରାଜ୍ୟ ବୃଦ୍ଧାବସ୍ଥା ଭତ୍ତାରୁ ବଞ୍ଚିତ ରହିଛନ୍ତି। ସେମାନଙ୍କୁ ଭତ୍ତା ମିଳିନାହିଁ କି ଅନ୍ୟ କୌଣସି ଯୋଜନାରୁ ମାଗଣା ଚାଉଳ ବି ଦିଆଯାଉନାହିଁ। ଏଭଳି ସ୍ଥିତିରେ ସେମାନଙ୍କୁ ଦୁଇ ଓଳି ଖାଇବା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି।

ନିୟମ ଅନୁସାରେ, ୬୫ ବର୍ଷ କିମ୍ବା ଏହା ଠାରୁ ଅଧିକ ବୟସ୍କ ଅସହାୟ ବ୍ୟକ୍ତି ରାଜ୍ୟ କିମ୍ବା ଜାତୀୟ ଯୋଜନାରୁ ଭତ୍ତା ପାଉନଥିବା ବ୍ୟକ୍ତିଙ୍କୁ ମାଗଣା ୧୦ କିଲୋଗ୍ରାମ ଚାଉଳ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରିଥିଲେ। ତେବେ, ଏହା କାର୍ଯ୍ୟକାରୀ କରିବା ଦାୟିତ୍ବ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର। ଜିଲ୍ଲା ପ୍ରଶାସନ ଉପରେ ଏହି ଦାୟିତ୍ବ ରାଜ୍ୟ ସରକାର ନ୍ୟସ୍ତ କରିଥିଲେ। ଆବଶ୍ୟକ ତଦାରଖ ପରେ ଏଭଳି ଅସହାୟ ବ୍ୟକ୍ତିଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣା ଚାଉଳ ଯୋଗାଣ ଆରମ୍ଭ ହୋଇଥିଲା। ଓଡ଼ିଶାର ୨୦,୭୨୩ ଜଣ ହିତାଧିକାରୀ ଏହି ଯୋଜନା‌ରେ ଲାଭାନ୍ବିତ ହେଉଥିଲେ। ସେଥିରୁ ସମ୍ବଲପୁର ଜିଲ୍ଲାର ୫୨୬ ଜଣ, ଅନୁଗୁଳର ୩୫୦ ଜଣ, ବାଲେଶ୍ବରର ୫୪୮ ଜଣ, ବରଗଡ଼ର ୮୯୪ ଜଣ, ଭଦ୍ରକର ୪୬୦ ଜଣ, ବଲାଙ୍ଗୀରର୧୩୮୯ ଜଣ, ବୌଦ୍ଧର ୧୭୧ ଜଣ, କଟକର ୮୭୮ ଜଣ, ଦେବଗଡ଼ର ୧୧୧ ଜଣ, ଢେଙ୍କାନାଳର ୩୭୨ ଜଣ, ଗଜପତିର ୩୭୦ ଜଣ, ଗଞ୍ଜାମର ୧୯୧୯ ଜଣ, ଜଗତସିଂହପୁରର ୫୧୧ ଜଣ, ଯାଜପୁରର ୬୨୨ ଜଣ, ଝାରସୁଗୁଡ଼ାର ୬୭ ଜଣ, କଳାହାଣ୍ଡିର ୧୯୪୫ ଜଣ, କନ୍ଧମାଳର ୭୮୦ ଜଣ, କେନ୍ଦ୍ରାପଡ଼ାର ୧୬ ଜଣ, କେନ୍ଦୁଝରର ୧୨୦୯ ଜଣ, ‌ଖୋର୍ଦ୍ଧାର ୨୬୯ ଜଣ, କୋରାପୁଟର ୧୦୭୮ ଜଣ, ମାଳକାନଗିରିର ୪୫୪ ଜଣ, ମୟୁରଭଂଜର ୧୩୩୩ ଜଣ, ନବରଙ୍ଗପୁରର ୭୭୦ ଜଣ, ନୟାଗଡ଼ର ୩୧୨ ଜଣ, ନୂଆପଡ଼ାର ୫୮୯ ଜଣ, ପୁରୀର ୩୮୭ ଜଣ, ରାୟଗଡ଼ାର ୧୦୧୫ ଜଣ, ସୁବର୍ଣ୍ଣପୁରର ୨୬୬ ଜଣ ଏବଂ ସୁନ୍ଦରଗଡ଼ର ୧୧୧୨ ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେଉଥିଲେ।

ହେଲେ ଗତ ଫେବ୍ରୁଆରି ୨୦୨୩ରୁ କେନ୍ଦ୍ରୀୟ ‌ଯୋଜନାରୁ ଚାଉଳ ଯୋଗାଣ ବନ୍ଦ କରିଦିଆଯାଇଛି। ହେଲେ ଏହି ଯୋଜନାରେ ଥିବା ହିତାଧିକାରୀଙ୍କ ହିତକୁ ଦୃଷ୍ଟ‌ିରେ ରଖି କେହି ବି ଆବଶ୍ୟକ ପ‌ଦକ୍ଷେପ ନେଉନାହାନ୍ତି। ଅନ୍ୟପକ୍ଷରେ ସେମାନେ ଚାଉଳ ପାଇବା ଲାଗି ସରକାରୀ ଦପ୍ତରକୁ ବାରମ୍ବାର ଦୌଡ଼ୁଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁଙ୍କୁ ପଚାରିବାରୁ ପ୍ରାୟ ଏକ ବର୍ଷ ହେଲା ଏହି ଯୋଜନା ବନ୍ଦ ରହିଛି, ନୂଆ ବ୍ୟବସ୍ଥା ହେଲେ ସେମାନଙ୍କୁ ପୁଣି ଅନ୍ୟ କୌଣସି ଯୋଜନାରେ ସାମିଲ କରାଯାଇ ଚାଉଳ ଯୋଗାଇଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର