ଗାଁ’କୁ ରାସ୍ତା କି ପୋଲ ନାହିଁ, ଭେଳାରେ ନଈ ପାର୍‌ ହୋଇ ଭୋଟ୍‌ ଦେଲେ ଗ୍ରାମବାସୀ

ବାହାନଗା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ତାଳପଦା ପଞ୍ଚାୟତକୁ ଆଜି ଭୋଟ୍‌ ଦେବା ଲାଗି ବିପଦସଙ୍କୁଳ ଅବସ୍ଥାରେ ଭେଳାରେ ନଈ ପାର ହୋଇ ଶହ ଶହ ଭୋଟର ଆସିଥିଲେ। ଏହି ଦୃଶ୍ୟ ନିର୍ବାଚିତ ଜନ ପ୍ରତିନିଧିଙ୍କ ଉଚ୍ଚାରଣ ଓ ଆଚରଣରେ କେତେ ପାର୍ଥକ୍ୟ ତାହା ବୟାନ କରୁଛି।

ଗୁରୁବାର ଦିନ ପଞ୍ଚମ ପର୍ଯ୍ୟାୟରେ ରେମୁଣା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ତାଳପଦା ପଞ୍ଚାୟତ କଳମ ଗଡ଼ିଆପାହି ଗ୍ରାମକୁ ରାସ୍ତା ନଥିବାରୁ ଭେଳାରେ ବିପଦପୂର୍ଣ୍ଣ ଭାବେ କଣ୍ଟିଆଚିରା ନଈ ପାର ହୋଇ ଶତାଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଆସିଥିଲେ। କେବଳ ଭୋଟ୍ ପାଇଁ ନୁହେଁ, ଗ୍ରାମବାସୀ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ତାଳପଦା ଉପରେ ନିର୍ଭରଶୀଳ। ତେବେ ରାସ୍ତା କିମ୍ବା ପୋଲ ନଥିବାରୁ ଲୋକେ ପ୍ରତିଦିନ ହାତ ତିଆରି ଭେଳା ସାହାଯ୍ୟରେ ତାଳପଦା ଆସିଥାନ୍ତି।

କିଛି ଦିନ ପୂର୍ବରୁ ସ୍ଥାନୀୟ ବିଧାୟକ ଗ୍ରାମରେ ପହଞ୍ଚି ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ପୋଲ ନିର୍ମାଣ ନେଇ ଏଯାବତ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିବା କ୍ଷୋଭର ସହ ଗ୍ରାମବାସୀ ପ୍ରକାଶ କରିଛନ୍ତି। ନେତାମାନେ ସିନା ସେମାନଙ୍କ ପ୍ରତିଶ୍ରୁତି ଭୁଲି ଯାଇଛନ୍ତି, ହେଲେ ଗ୍ରାମର ମତଦାତା ନିଜ ଦାୟିତ୍ବ ଭୁଲିନାହାନ୍ତି। ଆଜି ଜୀବନକୁ ବାଜି ଲଗାଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଭୋଟର ଭେଳାରେ ନଈ ପାର ହୋଇ ପଞ୍ଚାୟତର ବୁଢ଼ିକାଳନ୍ଦ୍ରୀ ପ୍ରାଇମେରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର