ଆଜି ମାଥିଲି ଗୁଳିକାଣ୍ଡ ଦିବସ: ବିକାଶଠାରୁ ବହୁ ଦୂରରେ ସହିଦ ଲକ୍ଷ୍ମଣ ନାୟକଙ୍କ ଗ୍ରାମ

ମାଲକାନଗିରି (ପ୍ରମେନ୍ଦ୍ର ପରିଛା): ୧୯୪୩ ମସିହା ପର୍ଯ୍ୟନ୍ତ ସହିଦ ଲକ୍ଷ୍ମଣ ନାୟକଙ୍କ ପରିବାର ଲଢୁଥିଲେ ଦେଶର ସ୍ୱାଧୀନତା ପାଇଁ। ଏବେ କିନ୍ତୁ ତାଙ୍କର ଦାୟାଦମାନେ ସାଧାରଣ ଜୀବିକା ପାଇଁ ଲଢେଇ କରୁଛନ୍ତି। ସ୍ୱାଧୀନତାର ସ୍ୱାଦ ତାଂକ ନିକଟରେ ଅପହଞ୍ଚ।

ଓଡିଶାରେ ଭାରତ ଛାଡ଼ ଆନ୍ଦୋଳନର ଅନ୍ୟତମ ସାରଥୀ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ନେତା ଲକ୍ଷ୍ମଣ ନାୟକ ଗାନ୍ଧୀଙ୍କ ଜଣେ ସଚ୍ଚା ଭକ୍ତ ଭାବେ ଜଣାଶୁଣା। ଲକ୍ଷ୍ମଣ ନାୟକ ଜୀବନରେ କେବେ ବି ସାଲିସ କରିବା ଶିଖି ନଥିଲେ। କୋରାପୁଟ ଜିଲ୍ଲାର ଏକ ଅଖ୍ୟାତ ଆଦିବାସୀ ପଲ୍ଲୀ ତେନ୍ତୁଳିଗୁମ୍ମାରେ ଜନ୍ମ ନେଇଥିବା ଏହି ଆଦିବାସୀ ନେତାଙ୍କ ବଳିଦାନ ଓ ତ୍ୟାଗ ଚିରସ୍ମରଣୀୟ।

ତେନ୍ତୁଳିଗୁମ୍ମାର ମୁସ୍ତାଦାର ତଥା ଭୂମିଆ ମୁଖିଆ ପଦଲାମ ନାୟକଙ୍କ ସନ୍ତାନ ରୂପେ ୧୮୯୯ ମସିହା ନଭେମ୍ବର ମାସ ୨୨ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମଣ। ପିଲାଟି ଦିନୁ ସେ ଥିଲେ ବିପ୍ଲବୀ ଏବଂ ଅନ୍ୟାୟକୁ କେବେ ବି ସେ ବରଦାସ୍ତ କରୁନଥିଲେ। ଆଦିବାସୀ ଅଂଚଳରେ ଇଂରେଜ କର୍ମଚାରୀଙ୍କ ଜୁଲମ ଏବଂ ବେଠି ବେକାରି ବିରୋଧରେ ପ୍ରତିବାଦ କରିବା ସହ ଅନ୍ୟାୟ ଏବଂ ଅତ୍ୟାଚାରର ସାମ୍ନା କରିବା ପାଇଁ ସମସ୍ତ ଆଦିବାସୀଙ୍କୁ ଏତକ୍ରିତ କରିଥିଲେ।

ଗାନ୍ଧୀଙ୍କ ଭାରତ ଛାଡ ଆନଦୋଳର ବାର୍ତ୍ତା ସେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପହଞ୍ଚିବା ପରେ ରାଧାକୃଷ୍ଣ ବିଶ୍ୱାସରାୟ, ରାଧାମୋହନ ସାହୁ, ସଦାଶିବ ତ୍ରିପାଠୀ, ନୀଳକଣ୍ଠ ପାତ୍ର ପ୍ରମୁଖ ସକ୍ରିୟ ହୋଇଉଠିଥିଲେ। ଏତିକି ବେଳକୁ ଯୁବକ ଲକ୍ଷ୍ମଣ ନାୟକ ମଧ୍ୟ ଗାନ୍ଧୀଙ୍କ ଏହି ଡାକରା ଦ୍ଵାରା ପ୍ରଭାବିତ ହୋଇଥିଲେ। ନିଜର ଘନିଷ୍ଠ ସହଯୋଗୀ ବଳରାମ ପୂଜାରୀଙ୍କ ସହ ସମସ୍ତ ଆଦିବାସୀ ଭାଇଭଉଣୀଙ୍କୁ ଏକାଠି କରି ଇରଂଜେ ଶାସନ ବିରୋଧରେ ବିଦ୍ରୋହ ଘୋଷଣା କରିଦେଲେ ଲକ୍ଷ୍ମଣ।

୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ସମଗ୍ର ଓଡିଶା ପାଇଁ ଏକ ସ୍ମରଣୀୟ ଦିବସ ଏହି ଦିନ ଲକ୍ଷ୍ମଣ ନାୟକଙ୍କ ଡାକରାରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ବାହାରି ପଡିଲେ ମାଥିଲି ଅଭିମୁଖେ। ଉଦେଶ୍ୟ ଥିଲା ମାଥିଲି ଥାନା ଘେରାଉ କରିବା। ଶ୍ରାବଣ ମାସର ଘୋର ବର୍ଷା ଏବଂ ପାହାଡି ନଦୀମାନଙ୍କ ପ୍ରଖର ସୁଅକୁ ଖାତିରି ନକରି ସମସ୍ତେ ପହଞ୍ଚିଥିଲେ ମାଥିଲି ଠାରେ। ସୂର୍ଯ୍ୟ ଉଦୟ ହେବା ବେଳକୁ ମାଥିଲି ଲୋକାରଣ୍ୟ ହୋପଡିଥିଲା। ସେଦିନ ମାଥିଲି ଠାରେ ସାପ୍ତାହିକ ହାଟପାଳି ଥିବାରୁ ସମସ୍ତେଏକତ୍ରିତ ହୋଇ ଥାନା ଅଭିମୁଖେ ଶୋଭାଯାତ୍ରା ଆରମ୍ଭ କରିଦେଲେ। ସମସ୍ତଙ୍କ ହାତରେ ପତାକା ଏବଂ ମୁହଁରେ ଭାରତ ଛାଡ ହୁଙ୍କାର। ଏଭଳି ଏକ ବିଶାଳ ଆଦିବାସୀ ସେନାର ଥାନା ଘେରାଉ ସୂଚନା ପାଇ ଯଥେଷ୍ଟ ପୂର୍ବରୁ ହିଁ ପୁଲିସ ନିଜକୁ ପ୍ରସ୍ତୁତ କରିନେଲା। ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ମାଥିଲି ଥାନା ସମ୍ମୁଖରେ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା।

ଏଭଳି ଏକ ବିଶାଳ ସମାବେଶକୁ ଦେଖି ଭୟ ପାଇଯାଇଥିବା ଇଂରେଜ ପୁଲିସ ଆଖିବୁଜା ଗୁଳିଚାଳନା କରିବା ସହିତ ଲାଠି ମାଡ କରିଥିଲା। ପୁଲିସର ଲାଠିମାଡରେ ଲକ୍ଷ୍ମଣ ନାୟକ ଗୁରୁତର ଭାବରେ ଆହତ ହୋଇଥିଲେ। ଇଂରେଜ ପୁଲିସ ଗୁଳିରେ ଜି.ରାମାରାଓ ନାମକ ଜଣେ ଫରେଷ୍ଟ ଗାର୍ଡ ମୃତ୍ୟୁବରଣ କରିଥିଲେ ହେଁ ପୁଲିସ ଲକ୍ଷ୍ଣଣ ନାୟକଙ୍କୁ ମିଥ୍ୟ ହତ୍ୟା ମାମଲାରେ ଗିରଫ କଲା। ମିଥ୍ୟା ସାକ୍ଷ ପ୍ରମାଣକୁ ଭିତ୍ତିକରି ତତ୍କାଳୀନ କୋରାପୁଟ ସେସନ ଜଜ ଭି.ରାମାନାମନ ଲକ୍ଷ୍ଣଣ ନାୟକଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଣି କରିଥିଲେ। ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ଜେଲକୁ ପଠାଇ ଦେଇଥିଲେ। ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖ ଦିନ ଭୋର ସକାଳୁ ଲକ୍ଷ୍ମଣ ନାୟକଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଦେଶ ପାଇଁ ସହିଦ ହୋଇଯାଇଥିଲେ ଲକ୍ଷ୍ମଣ ନାୟକ।

ସହିଦ ଲକ୍ଷ୍ମଣ ନାୟକଙ୍କକ ଦୟାଦମାନେ ଅତ୍ୟନ୍ତ ଅଭାବ ଅନାଟନରେ ଚଳୁଥିଲେ। ମାତ୍ର ଅଳ୍ପ କିଛି ଚାଷ ଜମି ଥିଲା ସେମାନଙ୍କର ସମ୍ବଳଯଏବେ ତାଂକ ପୋଷ୍ୟପୁତ୍ର ହିଁ ଦୟାଦ ଭାବେ ରହିଥିଲେ। ଏବେ ତାଂକର ବନ୍ଧୁବାନ୍ଧବ ନିକଟରେ ମଧ୍ୟ ସେଭଳି କୌଣସି ବିଶେଷ ଜମିବାଡି ନାହିଁ। ଅନ୍ୟଦିଗରେ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମା ମଧ୍ୟ ଆଜି ବି ଅବହେଳିତ ହୋଇ ରହିଛି। ସହିଦଙ୍କ ଜନ୍ମଭୁମି ବିକାଶ ଠାରୁ ବହୁ ଦୁରରେ। ସେଠାରେ ପାଣି ଠାରୁ ଆରମ୍ଭ କରି ରାସ୍ତାଘାଟ, ସ୍ୱାସ୍ଥ୍ୟ ସେବା ଆଜି ବି ଅପହଞ୍ଚ। କେବଳ ସହିଦଙ୍କ ଜୟନ୍ତୀ ଏବଂ ଶ୍ରାଦ୍ଧ ଦିବସରେ ହିଁ ସରକାରୀ ବାବୁମାନଙ୍କ ପାଦ ପଡେ।

ସମ୍ବନ୍ଧିତ ଖବର