ରାଇରଙ୍ଗପୁର: ଦୀର୍ଘ ୨୪ବର୍ଷର ବିଜେଡି ଶାସନ କାଳରେ ମିଳି ପାରିଲାନି ପକ୍କା ରାସ୍ତା କିମ୍ବା ବିଶୁଦ୍ଧ ପାନୀୟ ଜଳ। ଗ୍ରାମବାସୀଙ୍କ ପାଇଁ ବାଟ ଚାଲିବାକୁ ଭଲ ରାସ୍ତା ଏବଂ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଦୀର୍ଘ ଦୁଇବର୍ଷ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଜୀବନ ଅତିବାହିତ କରିବାକୁ ବୁନ୍ଦାଏ ଜଳ ମିଳୁନି। ଗ୍ରାମବାସୀ ଅଭିଯୋଗ କରି କରି ନୟାନ୍ତ ହେଉଛନ୍ତି ତଥାପି ପ୍ରଶାସନର ନିଦ ଭାଙ୍ଗୁନି। ଶେଷରେ ନୂତନ ସରକାରର ଉପରେ କରିଲେ ଆସ୍ଥା ପ୍ରକଟ। ଟୋପାଏ ବିଶୁଦ୍ଧ ପାଣି ଓ ପକ୍କା ରାସ୍ତା ଟିଏ ଯୋଗାଇବାକୁ ଗଣମାଧ୍ୟମଙ୍କୁ ଅନୁରୋଧ କରିଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ହେଁସଡା ଗ୍ରାମପଞ୍ଚାୟତ ଚାନ୍ଦିଖମଣ ଗ୍ରାମର ଡୁଙ୍ଗୁରିସାହିଠାରେ।
Advertisment
ତେବେ ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ରାସ୍ତା ହେଉଛି ଗ୍ରାମର ମୁଖ୍ୟ ରାସ୍ତା। ଦୁଃଖ ଏବଂ ପରିତାପର ବିଷୟ ଦେଶ ସ୍ବାଧୀନ ହୋଇଛି ସତ କିନ୍ତୁ ଏବେ ମଧ୍ୟ ସ୍ବାଧୀନତାର ସ୍ଵାଦ ଚାଖି ପାରିଲେନି ନିରୀହ ଗ୍ରାମବାସୀ। ଏହି ରାସ୍ତା ଗ୍ରାମର ମୁଖ୍ୟ ରାସ୍ତା ହୋଇ ଥିବା ବେଳେ ଅଦିନିଆ ବର୍ଷାରେ ରାସ୍ତାରେ ଆଣ୍ଠୁଏ ଗାତ ଏବଂ କାଦୁଅ ପଚପଚ। ଲୋକେ କୋଉଠି ବାହାରି ଯିବା ଦୂରର କଥା ଏଠି ପାଦେ ବାଟ ଚାଲିବାକୁ ଅସମର୍ଥ। ତେବେ ଗ୍ରାମବାସୀ, ବୃଦ୍ଧବୃଦ୍ଧା, ଛୋଟ ଛୋଟ ଅଙ୍ଗନବାଡ଼ି ଯାଉଥିବା ଶିଶୁ ଏହି ରାସ୍ତାରେ ପଡ଼ି ହାତଗୋଡ ଭାଙ୍ଗିଯିବା ଭଳି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ତଥା ବିଦ୍ୟାଳୟ, ମହାବିଦ୍ୟାଳୟକୁ ଯିବାକୁ ଛାତ୍ରଛାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରି ଥିଲେ ସୁଦ୍ଧା ନା ଏହି ଗରିବ ଆଦିବାସୀଙ୍କ କଥା ପ୍ରଶାସନ ଶୁଣୁ ନାହାନ୍ତି।
ସେତିକିରେ ସରିନାହିଁ ନିରୀହ ଆଦିବାସୀଙ୍କ ଦୁଃଖ ଏଠି ବୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ମଧ୍ୟ ଗ୍ରାମବାସୀ ହେଉଛନ୍ତି ଡହଳ ବିକଳ। ଯଦିଓ  ଜାମଦା ଜଳ ଯୋଗାଣ ପକ୍ଷରୁ ଗ୍ରାମବାସୀଙ୍କ ଜଳ କଷ୍ଟ ଦୂର କରିବା ପାଇଁ ଏକ ପ୍ରଧାନମନ୍ତ୍ରୀ ଜଳ ଜୀବନ ମିସନ ଦ୍ୱାରା ୧୩ ଲକ୍ଷ ୬୪ ହଜାର ଅଟକଳ ବ୍ୟୟରେ ଗତ ଡିସେମ୍ବର ୨୦୨୧ ମସିହାରେ ପ୍ରକଳ୍ପ କାମ ଆରମ୍ଭ ହୋଇ ମାର୍ଚ୍ଚ ମାସରେ ଶେଷ ହୋଇଛି ପ୍ରତ୍ୟେକ ଘର ସମ୍ମୁଖରେ ପାଇପ ଝୁଲେଇ ଦେଇଛନ୍ତି ଜଳଯୋଗାଣ ବିଭାଗ କିନ୍ତୁ ବର୍ତ୍ତମାନ ସୁଦ୍ଧା ଗ୍ରାମବାସୀଙ୍କୁ ମିଳି ପାରିନାହିଁ ଟୋପାଏ ବିଶୁଦ୍ଧ ଜଳ। ବର୍ତ୍ତମାନ ମଧ୍ୟ ସେମାନଙ୍କ ଶୋଷ ମେଣ୍ଟୁଛି ପୋଖରୀ ପାଣିରେ।
ତେବେ ସରକାରୀ ଅଧିକାରୀମାନେ ଯଦି ନିରୀହ ଆଦିବାସୀଙ୍କ ଉପରେ ଏପରି ପ୍ରତାରଣା କରିବେ, ତେବେ ସରକାରୀ ବାବୁ ଓ ସରକାରୀ ଯୋଜନା କାହା ପାଇଁ ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଜାମଦା ଜଳ ଯୋଗାଣ ଯନ୍ତ୍ରୀ ନରେନ୍ଦ୍ର ନାଏକଙ୍କୁ ଯୋଗାଯୋଗ କରିବାରୁ ସେ ୭ ଦିନ ମଧ୍ୟରେ ପାନୀୟ ଜଳ ଯଗାଇବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।