ଭଦ୍ରକ: ରାସ୍ତା ନାହିଁ, ଲୋକେ ସାଙ୍ଗିଭାରରେ ବୁହା ହୁଅନ୍ତି ଡାକ୍ତରଖାନା

ଚାନ୍ଦବାଲି( ଅରୁଣ କୁମାର ସାହୁ): ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଓ ଗମନାଗମନ ପାଇଁ ଉନ୍ନତ ରାସ୍ତା ସଂଯୋଗୀ କରଣ ନେଇ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଯେତେ ଡେଙ୍ଗୁରା ପିଟିଲେ ମଧ୍ୟ ବାସ୍ତବତା ଯେ କେତେ କରୁଣ ତାହା ଗ୍ରାମାଞ୍ଚଳର ଲୋକେ ହିଁ କେବଳ ଅନୁଭବ କରି ପାରିବେ। କେବିକେ ଓ ମାଲକାନଗିରି ଆଦି ଉପାନ୍ତ ଜିଲ୍ଲାରେ ଜନନୀ ସୁରକ୍ଷା ଯୋଜନା ପ୍ରସୂତିମାନଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ିଛି। ସେଥିପାଇଁ ରାସ୍ତାଘାଟ ନ ଥିବାକୁ ମୂଳତଃ ଦାୟୀ କରାଯାଉଛି। ତେବେ ବଣପାହାଡ଼ଘେରା ମାଳକାନଗିରି ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ଆଜି ବି ଏମିତି ଗାଁ ରହିଛି, ଯେଉଁ ଗାଁକୁ ଏ ପର୍ଯ୍ୟନ୍ତ ପାଦଚଲା ରାସ୍ତାଟିଏ ହୋଇ ପାରି ନାହିଁ। ଆଜି ବି ଲୋକେ ବେମାର ପଡ଼ିଲେ ଗାଁର ଯୁବକ ଓ ସମ୍ପର୍କୀୟମାନେ ସାଙ୍ଗିଭାରା କରି ତାଙ୍କୁ ଡାକ୍ତରଖାନା ନେଉଥିବା ଦେଖିବାକୁ ମିଳେ।ଏହିପରି ଏକ ଘଟଣା ଏବେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ସୋୟା ବାହକୁଲା ଗାଁରେ ଦେଖିବାକୁ ମିଳିଛି। ରୋଗୀକୁ ଖଟିଆରେ ଶୁଆଇଦେଇ ଡାକ୍ତରଖାନା ନିଆଯାଉଥିବାର ଦୃଶ୍ୟ ଆମ ତଥାକଥିତ ‘ବିକାଶ‘ ସ୍ଲୋଗାନ ଉପରେ ଏକ ଶକ୍ତ ଚାପୁଡ଼ା ।

ସୂଚନାଯୋଗ୍ୟ ଯେ ତିହିଡ଼ି ଥାନା ଅନ୍ତର୍ଗତ ସୋୟା ବାହାକୁଲା ଗାଁ। ଏହି ଗାଁରେ ବାସ କରନ୍ତି ୭୦ଟି ପରିବାରର ୨୫୦ରୁ ଊର୍ଧ୍ୱ ଲୋକ। ମାତ୍ର ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଏହି ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ। ଗତବର୍ଷ ଏହି ଗାଁରେ ନିଆଁ ଲାଗିଯାଇଥିଲା ଯେ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନ ପାରି ବାରୁ ବହୁ ଧନସମ୍ପତ୍ତି ନଷ୍ଟ ହୋଇଥିଲା। ତେବେ ଲୋକମାନଙ୍କ ଦୁଃଖ ହେଉଛି ସ୍ୱାସ୍ଥ୍ୟସେବା। କାହା ଘରେ ଯଦି କୌଣସି ସଦସ୍ୟଙ୍କ ଦେହ ଖରାପ ହେଲା, ତେବେ ପରିବାର ସମସ୍ତଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟେ। କୌଣସି ପରିସ୍ଥିତିରେ ଗାଁକୁ ୧୦୮ ହେଉ କିମ୍ବା ୧୦୨ ଆମ୍ବୁଲାନ୍ସ ଆସି ପାରେ ନାହିଁ। ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ପାରୁ ନ ଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ଆଜି ସକାଳେ ଗାଁର ଖଗେଶ୍ୱର ମହାନ୍ତିଙ୍କ ପତ୍ନୀ କନକଲତା ମହାନ୍ତ(୬୦) ବର୍ଷ)ଙ୍କର ହଠାତ ଦେହ ଖରାପ ହେଲା। ତାଙ୍କୁ ଡାକ୍ତରଖାନା ନେବା ଜରୁରି ହୋଇ ପଡ଼ିବାରୁ ପରିବାର ଲୋକେ ଖଟିଆରେ ପକାଇ ସାଙ୍ଗି ଭାର କରି ତିହିଡ଼ି ଡାକ୍ତରଖାନାକୁ ଆଣିବାକୁ ବାଧ୍ୟ ହୋଇଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାିଛି। ଏ ସମ୍ପର୍କରେ ତିହିଡ଼ି ବିଡିଓ ଉମେଶ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି ରାସ୍ତା ନିର୍ମାଣ ପାଇଁ ଆମ ପାଖରେ ଟଙ୍କା ନାହିଁ। ନିକଟରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆସି ବ୍ଲକ୍‌ର ଯେଉଁ ସବୁ ଗାଁକୁ ରାସ୍ତା ନାହିଁ, ସେ ସମ୍ପର୍କରେ ତଥ୍ୟ ନେଇ ଯାଇଛନ୍ତି। ଯଦି ମନ୍ତ୍ରୀ ଏ ବାବଦରେ ଅର୍ଥ ବ୍ୟବସ୍ଥା କରନ୍ତି, ତେବେ ରାସ୍ତା ନିର୍ମାଣ କରାଯିବ ବୋଲିି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର