ନାଚୁଣୀ : ସ୍ଥାନୀୟ ନାଚୁଣୀ ବାଇପାସ୍‌ ଛକ ଉପରେ ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ନିର୍ମାଣାଧୀନ ଓଭର୍‌ବ୍ରିଜ କାର୍ଯ୍ୟ ଏବେ ମନ୍ଥର ଗତିରେ ଚାଲିଥିବାରୁ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ଏହି ଓଭର୍‌ବ୍ରିଜ୍‌ର ସଂଲଗ୍ନ ରାସ୍ତାରେ ଗୋଟିଏ ଭାଗ ରାସ୍ତା ଖୋଳି ଦିଆଯାଇଥିବାବେଳେ ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏଭଳି ସ୍ଥିତିରେ ଉକ୍ତ ନିର୍ମାଣାଧୀନ ଓଭର୍‌ବ୍ରିଜ ସଂଲଗ୍ନ ଶାଖା ରାସ୍ତା ପାଇଁ ମଧ୍ୟ ଏକକାଳୀନ ପୂର୍ବରାସ୍ତାକୁ ଖୋଳି କାର୍ଯ୍ୟ ଅଧାପନ୍ତରିଆ ଭାବେ ପକାଇ ଦିଆଯାଇଛି। ଏହି ରାସ୍ତାଟି ଏବେ ଖୋଲାମେଲା ପଡ଼ିଥିବାବେଳେ ଏଥିରେ କେବଳ ଗେଟା ବିଛାଇ ଛାଡ଼ି ଦିଆଯାଇଛି। ଏହା ଉପରେ ବଡଗାଡ଼ି ଓ ବସ୍‌ ଚଳାଚଳ ଏବେ ବନ୍ଦ ରହିଛି। ସାଧାରଣ ଭାବେ ଏହା ଉପରେ ଚାଲିକରି ଯା’ଆସ କରି ମଧ୍ୟ ହେଉନାହିଁ। ନାଚୁଣୀ ସହର ଓ ବସ୍‌ଷ୍ଟାଣ୍ଡରୁ ଯାତ୍ରୀମାନେ ବସ୍‌ ଧରିବାକୁ ନାଚୁଣୀ ବାଇପାସ୍‌ସ୍ଥିତ ନିର୍ମାଣାଧୀନ ଏନଏଚ୍ ଉପରକୁ ଆସିବାରେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି।

ଅସ୍ଥାୟୀ ରାସ୍ତାଟିଏ ନିର୍ମାଣ ହୋଇପାରି ନ ଥିବାରୁ ନାଚୁଣୀ କଲେଜ ଛକରୁ ହରିପୁର ବୃଷଭ ଛକ ଯାଏଁ ଏବେ ଯାତାୟାତାରେ ବାଧା ଉପୁଜୁଛି। ଅସୁସ୍ଥ, ବୃଦ୍ଧ ବୃଦ୍ଧା ଛାତ୍ରଛାତ୍ରୀ ଦୂରସ୍ଥାନ ଯାତ୍ରା ପାଇଁ ନିର୍ମାଣାଧୀନ ଏନଏଚ୍ ଉପରେ ଦ୍ରୁତଗତିରେ ଯାତାୟାତ କରୁଥିବା ବସ୍‌ ଧରିବାରେ ଘୋର ସମସ୍ୟା ଉପୁଜିଛି। ସଂପ୍ରସାରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ନାଚୁଣୀ ବଜାର ମଧ୍ୟକୁ ବସ୍‌ ଚଳାଚଳ ନିମନ୍ତେ ତୁରନ୍ତ ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏନ୍‌ଏଚ୍‌ଏଆଇ ନିକଟରେ ଚିଲିକାବାଣପୁର ଆଞ୍ଚଳିକ ବିକାଶ ନାଗରିକ କମିଟି ପକ୍ଷରୁ ନିବେଦନ କରାଯାଉଛି।