ରାଇରଙ୍ଗପୁର: ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନିଜ ଗ୍ରାମ ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ କୁସୁମୀ ବ୍ଲକ ପାହାଡପୁର ଗ୍ରାମରେ । ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ପୈତୃକ ଗ୍ରାମ କୁସୁମୀ ବ୍ଲକ ଉପରବେଡ଼ା ଗ୍ରାମର ଡୁଙ୍ଗୁରିସାହିରେ ବିଦ୍ୟୁତ୍ ନଥିବା ଖବର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ଏବଂ ମାତ୍ର ୩ ଦିନ ମଧ୍ୟରେ ୧୮ଟି ପରିବାରକୁ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ଏବେ ଡଙ୍ଗୁରିସାହି ଗାଁର ଲୋକେ ବିଦ୍ୟୁତ୍ ଆଲୁଅ ଦେଖୁଛନ୍ତି। କିନ୍ତୁ ଶାଶୁ ଗ୍ରାମ ପାହାଡପୁରର ଡୁଙ୍ଗୁରିସାହିରେ ଏପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇନି। ଉକ୍ତ ରାସ୍ତାଟି ଡୁଙ୍ଗୁରିସାହିରୁ ଉପରସାହିକୁ ୧ କି.ମି ପାଖାପାଖି କଚ୍ଚା ରାସ୍ତା ଦେଇ ଚାଲିକି ଯିବାକୁ ପଡ଼ିଥାଏ।
ବର୍ତ୍ତମାନ ବର୍ଷାଦିନ ଥିବାରୁ ଉକ୍ତ ରାସ୍ତାରେ ଚାରି ଚକିଆ ଯାନ ତ ଦୂରର କଥା ସାଇକେଲ ମଧ୍ୟ ଉକ୍ତ ରାସ୍ତାରେ ଗଡିବା କଷ୍ଟକର ହୋଇଯାଉଛି । ଉକ୍ତ ରାସ୍ତାଟି କାଦୁଅ ପୋଚ ପୋଚ ହେଉଥିବାରୁ ଡୁଙ୍ଗୁରିସାହିର ଲୋକେ ଉକ୍ତ ରାସ୍ତାରେ ନଯାଇ ଅନ୍ୟ ବିଲର ହିଡ ରାସ୍ତାରେ ଯିବାଆସିବା କରିଥାନ୍ତି । ବର୍ଷା ଦିନରେ ଉକ୍ତ ସାହିର କାହାରି ଦେହ ଅସୁସ୍ଥ କିମ୍ବା ପ୍ରସୂତୀମାନଙ୍କୁ ୧୦୮ ଆମ୍ବୁଲାନ୍ସ ପାଖକୁ ନେବା ପାଇଁ ହେଲେ ଖଟିଆରେ ବହିକି ନେବାକୁ ପଡିଥାଏ ।
ଗ୍ରାମବାସୀଙ୍କଠାରୁ ପ୍ରକାଶ ଯେ ଉକ୍ତ ରାସ୍ତାରେ କେବଳ ଥରେ ମନରେଗା ଯୋଜନାରେ ମାଟିରେ ରାସ୍ତା ନିର୍ମାଣ ହୋଇଥିଲା। ସେଥିରେ ମଧ୍ୟ ଗଛ ଉଠିଯାଇଥିବା ଦେଖିବାକୁ ମିଳିଛି । ତାହା ପରଠାରୁ ଆଉ କାମ ହୋଇନାହିଁ । ତେବେ ଉକ୍ତ ସାହିରେ ୧୫ରୁ ଅଧିକ ପରିବାର ବସବାସ କରୁଥିବା ସୂଚନା ମିଳିଛି । ତେବେ ଉକ୍ତ ସାହିକୁ କେବେ ରାସ୍ତା ନିର୍ମାଣ ହେବ ତାହା ଦେଖିବାକୁ ବାକି ରହିଲା ।