ଆମ୍ବୁଲାନ୍ସ ପାଇଁ ରାସ୍ତା ନାହିଁ

ଦୟନୀୟ ଅବସ୍ଥାରେ ମେଡିକାଲ ଆସିଲେ ରୋଗୀ

ନୀଳଗିରି/ଭବାନୀପାଟଣା: ଅପହଞ୍ଚ ଇଲାକାର ବିକାଶ ପାଇଁ ସରକାର ଯୋଜନାର ପେଡ଼ି ଖୋଲିଦେଇଛନ୍ତି। ହେଲେ ପ୍ରଶାସନିକ ଅବହେଳା ଯୋଗୁ ଅନେକ ଗାଁକୁ ବିକାଶ ଛୁଇଁପାରୁନି। ତାହାର ବିକଳ ଚିତ୍ର ଏହି ଦୁଇଟି ଫଟୋରୁ ଦେଖିବାକୁ ମିଳିଛି। ଡାହାଣ ପଟ ଫଟୋଟି ହେଉଛି ବାଲେଶ୍ୱର ଅନ୍ତର୍ଗତ ନୀଳଗିରି ଅଞ୍ଚଳର। ସିଆଡ଼ିମାଳ ପଞ୍ଚାୟତ ସିନ୍ଦୁରିଆ ଗ୍ରାମର ସ୍ୱର୍ଗତ ଶ୍ୟାମ ସିଂଙ୍କ ପୁଅ ରୁହିଆ ସିଂ (୪୫) ଆଜିକୁ ୨୦ ଦିନ ହେବ ରୋଗରେପୀଡ଼ିତ ଥିଲେ। ତାଙ୍କୁ ନୀଳଗିରି ଡାକ୍ତରଖାନା ଆଣିବା ପାଇଁ ପରିବାର ଲୋକେ ନିକଟସ୍ଥ ଆଶା ଦିଦିଙ୍କୁ ଖବର ଦେଇଥିଲେ। ଆଶା ଦିଦି ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସଟି ରୁହିଆଙ୍କୁ ନେବା ପାଇଁ ଆସିଥିଲା। ହେଲେ ରାସ୍ତା ନ ଥିବାରୁ ଗାଁ ଭିତରକୁ ଯାଇ ନପାରି ସୀତାପୁରର ବୁଆଳି ବନ୍ଧଠାରେ ଅଟକି ଯାଇଥିଲା। ଫଳରେ ରୁହିଆଙ୍କ ପତ୍ନୀ ଧୁନ୍ଦି, ଜ୍ୱାଇଁ ଶ୍ରୀଧର ମୁଦୁଲି, ଝିଅ କୁନି ଓ ପଡ଼ୋଶୀ ବିଦ୍ୟାଧର ମିଶି ତାଙ୍କୁ ଭାର ଦ୍ୱାରା କାନ୍ଧରେ ବୋହି ପାହାଡ଼ ଡେଇଁବା ସହ ୩ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ରୁହିଆଙ୍କୁ ନୀଳଗିରି ଡାକ୍ତରଖାନାକୁ ନିଆଯାଇଥିଲା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତର ବଲଙ୍ଗୀ ଗାଁରେ ବର୍ଷା ବିତ୍ପାତ ଯୋଗୁଁ ରାସ୍ତା ଧୋଇଯିବା ଫଳରେ ୧୦୮ ଆମ୍ବୁଲାନ୍ସ ଗାଁକୁ ଆସି ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ୩କିମି ଖଟରେ ବୁହା ଯାଇ ଆମ୍ବୁଲାନ୍ସ ପାଖକୁ ନିଆଯାଇଛି। ଏହି ମହିଳା ହେଉଛନ୍ତି ରୂପାଧର ମାଝୀଙ୍କ ସ୍ତ୍ରୀ ମାଳତୀ ମାଝୀ। ମାଳତୀଙ୍କୁ କିଭଳି ଅବସ୍ଥାରେ ମେଡ଼ିକାଲ ନିଆଯାଇଛି ଏହି ବାମପଟ ଫଟୋରୁ ବେଶ୍‌ ଜଣାପଡ଼ିଛି।

ସମ୍ବନ୍ଧିତ ଖବର