ବର୍ଷା ଦିନେ ୭ ଗାଁର ୩୭୦ ପରିବାର ବାହ୍ୟ ଜଗତରୁ ବିଚ୍ଛିନ୍ନ : ଲୋକେ କଲବଲ, କଷ୍ଟ ଭୋଗୁଛନ୍ତି ଛାତ୍ରଛାତ୍ରୀ

ନୂଆଗାଁ : ସାଧାରଣ ବର୍ଗ ହୁଅନ୍ତୁ ଅଥବା ଆଦିବାସୀ, ହରିଜନ; ସମସ୍ତଙ୍କର ସମାନ ଅଧିକାର ରହିଛି। ହକ୍ ପାଇବା ପାଇଁ ସମସ୍ତେ ଯୋଗ୍ୟ। ଯେମିତି ନିର୍ବାଚନ ସମୟ ବେଳେ ଭୋଟ ଦେବାର ସମସ୍ତଙ୍କର ଅଧିକାର ଅଛି, ସେମିତି ସମସ୍ତ ସୁବିଧା ସୁଯୋଗ ପାଇବାର ନିୟମ ରହିଛି। ଏଥିରୁ ବଞ୍ଚିତ ହୋଇ ହରିଜନ, ଆଦାବାସୀମାନେ ଏବେ ବହୁ ଅସୁବିଧାରେ କାଳାତିପାତ କରୁଛନ୍ତି। ଗାଁକୁ ରାସ୍ତାଘାଟ ନଥିବାରୁ ୭ ଗୋଟି ଗାଁର ୩ ଶହ ୭୦ ପରିବାର ଏବେ ନିଜର ବେଉସା ହରେଇଛନ୍ତି। ଅନ୍ୟ ପକ୍ଷରେ ଏହି ଗାଁଗୁଡ଼ିକ ପାଇଁ ଥିବା ରାସ୍ତା କେଉଁ ବିଭାଗର ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଗାତେରୀ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ବହୁ କଷ୍ଟରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି, ବ୍ଲକ୍‌ର ଗାତେରୀ ପଞ୍ଚାୟତ ରାଣୀଗାଡ଼ିଆଠାରୁ ବାହାରି କାପ୍ତାପଲ୍ଲୀ ପଞ୍ଚାୟତକୁ ଏକ ରାସ୍ତା ସଂଯୋଗ କରିଛି। ଏହି ରାସ୍ତାର ଦୂରତା ୩ କିଲୋମିଟର ହୋଇଥିବା ବେଳେ ରାସ୍ତାକଡ଼ରେ ଭାଲିଆପଦର, ଦୁରୁପା, କଣବାଙ୍କ, ବୁରୁଦେଇ, ଖଜୁରୀଡିହ, ପୋବଲା ଏବଂ କାମ୍ପଲା ଆଦି ଗାଁମାନ ରହିଛି। ଖରାଦିନେ ଏହି ଅଣଓସାରିଆ ରାସ୍ତାରେ ଚାରିଚକିଆ ଯାନବାହାନ ଯିବା କଷ୍ଟକର ହୋଇଥାଏ। ବର୍ଷା ଦିନେ ୭ଟି ଗାଁର ୩ ଶହ ୭୦ ପରିବାର ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହେଉଥିବା ଗ୍ରାମବାସୀମାନେ କହିଛନ୍ତି। ଏବେ ରାସ୍ତାରେ ସାଇକେଲ ଯିବା ତ ଦୂରର କଥା ଖାଲିପାଦରେ ଚାଲିଚାଲି ଯିବା ଅସମ୍ଭବ ହୋଇଛି। ବର୍ଷାଦିନେ ପାହାଡ଼ରୁ ପାଣି ଆସି ରାସ୍ତା ଉପରେ ସୁଅ ଛୁଟୁଛି। ରାସ୍ତା ଉପରେ ପାଣି ଯାଉଥିବାରୁ ରାସ୍ତାଘାଟ କିଛି ଜଣା ପଡ଼େନାହିଁ। ଲୋକେ ରାସ୍ତା ଉପରୁ ପାଣିସୁଅ କମିବା ପରେ ଘରକରଣା ସାମଗ୍ରୀ ନେବାକୁ ଦୋକାନକୁ ଆସିଥାନ୍ତି। ଗାଁରେ ଯଦି ଗର୍ଭବତୀ ମହିଳା କିମ୍ବା ରୋଗୀ ଅସୁବିଧାରେ ପଡ଼ନ୍ତି, ତେବେ ସେମାନେ ଗାଁରୁ ବାହାରକୁ ନ ବାହାରି ମୃତ୍ୟୁ ସହ ସଂଘର୍ଷ କରିଥାନ୍ତି। ସେହିପରି ବର୍ଷାଦିନେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଠପ୍ ହୋଇଥାଏ। ଅତି ଦୟନୀୟ ଅବସ୍ଥାରେ ୮ଜଣ ଛାତ୍ରଛାତ୍ରୀ ପ୍ରତିଦିନ କାଦୁଅପଙ୍କ ରାସ୍ତା ଦେଇ ୩ କିଲୋମିଟର ଗାତେରୀ ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥାନ୍ତି।

ପାହାଡ଼ ପାଖରେ ଗାଁଗୁଡ଼ିକ ଅବସ୍ଥିତ ଥିବାରୁ ଲୋକେ ନିଜ ଭିଟାମାଟି ଛାଡ଼ି ଯିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଯେତେ ଦୁଃଖ ପଡ଼ୁ ପଛେ ନିଜ ପରିବାର ସହିତ ରହୁଛନ୍ତି। ଗାଁରୁ ଥରେ ବିଦ୍ୟୁତ୍‌ କାଟ୍ ହେଲେ ମାସ ମାସ ଧରି ବିଦ୍ୟୁତ୍ ଆସିନଥାଏ। ଜଙ୍ଗଲିଆ ଅନ୍ଧାରୁଆ ସ୍ଥାନରେ ନିଜ ପରିବାରକୁ ଧରି ଭୋକ ଉପବାସରେ ଆଦିବାସୀ ହରିଜନ ସଂପ୍ରଦାୟର ଲୋକେ ବସବାସ କରିଥାନ୍ତି। ଏମିତି ବର୍ଷବର୍ଷ ଧରି ଅତି ଶୋଚନୀୟ ଅବସ୍ଥାରେ ଲୋକେ ଦିନ କାଟୁଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଏହି ରାସ୍ତା କାହା ଅଧୀନରେ ରହିଛି ବୋଲି କେହି ଜାଣି ପାରିନାହାନ୍ତି। ରାସ୍ତା ବନ ବିଭାଗ ଅଧୀନରେ ନଥିବା ବେଳେ ପଞ୍ଚାୟତିରାଜ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଯାଉନଥିବା ଅଧିକାରୀମାନେ କହିଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଗ୍ରାମର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗ, ବ୍ଲକ୍‌କୁ ବାରମ୍ବାର ଧାଇଁ ଅଭିଯୋଗ କରି ଆସିଛନ୍ତି। କିନ୍ତୁ କିଛି ସୁଫଳ ମିଳିନଥିବା କହିଛନ୍ତି।

ଦୟନୀୟ ଅବସ୍ଥାରେ କାଳ କାଟୁଥିବା ୩ ଶହ ୭୦ ପରିବାର ପାଇଁ ସ୍ଥାନୀୟ ସରପଞ୍ଚ ବିନୋଦ କୁମାର ଖିଲାର ପଞ୍ଚାୟତ ସମିତି ବୈଠକ ଏବଂ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିରରେ ସ୍ବର ଉଠାଇଛନ୍ତି। ଏମିତି ପ୍ରତ୍ୟେକ ଥର ଅଭିଯୋଗ ହୁଏ ଏବଂ ପରବର୍ତ୍ତୀ ସମୟରେ ତାହା ଫାଇଲ୍ ତଳେ ରହିଥାଏ ବୋଲି ସରପଞ୍ଚ ଶ୍ରୀ ଖିଲାର କ୍ଷୋଭ ପ୍ରକାଶ କରିଛନ୍ତି। ବନ ବିଭାଗ ଏହି ରାସ୍ତା ଆମର ନୁହଁ କହୁଥିଲା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରାସ୍ତା ଯାଉନଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ପଞ୍ଚାୟତିରାଜ ବିଭାଗରେ ଏହି ରାସ୍ତା ନଥିବାରୁ କାମ ହୋଇ ପାରୁନଡ଼ିବା ସ୍ଥାନୀୟ ସରପଞ୍ଚ କହିଛନ୍ତି। ତେବେ ଏହି ରାସ୍ତା ନିର୍ମାଣରେ କିଏ ପ୍ରତିବନ୍ଧକ ସାଜିଛି ଏବଂ କେଉଁଠି ପ୍ରତିବନ୍ଧକ ଅଛି ସେଥିପ୍ରତି ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର