ସଡ଼କ ପାଇଁ ବାଟ ଓଗାଳିଛି ବିକାଶର ରାସ୍ତା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ୮ଟି ପଞ୍ଚାୟତର ବହୁ ଗାଁ’କୁ ରାସ୍ତା ନାହିଁ

ଭବାନୀପାଟଣା : ବର୍ଷ ବର୍ଷ ଧରି ବଣ ମୂଳକର ଜଙ୍ଗଲ ହିଁ ସେମାନଙ୍କ ଲାଇଫ ଲାଇନ ସାଜିଛି । ସେଠାରେ ସେମାନଙ୍କ ଭୌଗୋଳିକ ମାନଚିତ୍ର ଜଙ୍ଗଲର ଖାଁ ଖାଁ ପରିବେଶ ମଧ୍ୟରେ ଶେଷ ହୋଇଯାଏ । ସଡ଼କ ନ ଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ବାରବନ୍ଧା, ଡ଼ୁଡ଼ୁକାରଂଜା, ଉର୍ଲାଦାନୀ, ଲୁବେନଗଡ଼, ଦେଢଶୁଳୀ, ମାଣିକେରା, ସିଂହପୁର, ମୋହନଗିରୀ ସମେତ ୮ଟି ପଞ୍ଚାୟତର ବହୁ ଗାଁ’କୁ ବିକାଶ ବାଟ ଓଗାଳିଛି । ବହୁ ଗାଁରେ ସରକାରୀ ଯୋଜନା ଅପହଞ୍ଚ ପାଲଟିଥିବା ବେଳେ ସେମାନଙ୍କ ଜନଜୀବନର ଚିତ୍ର ଦୁର୍ବିସହ ହୋଇ ପଡିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ହୋଇଥିବାବେଳେ ଏହି ବ୍ଲକର ପ୍ରାୟ ୮ଟି ପଂଚାୟତ ବାରବନ୍ଧା, ଡ଼ୁଡ଼ୁକାରଂଜା, ଉର୍ଲାଦାନୀ, ଲୁବେନଗଡ଼, ଦେଢଶୁଳୀ, ମାଣିକେରା, ସିଂହପୁର, ମୋହନଗିରୀ ସମେତ ୮ ଟି ପଞ୍ଚାୟତ ଆଦିବାସୀ ବହୁଳ ହୋଇଥିବା ବେଳେ ଦୁର୍ଗମ ବଣପାହାଡ଼ ମୂଳକରେ ଏହାର ଭୌଗୋଳିକ ସ୍ଥିତି ରହିଛି । କେବଳ ସେତିକିନୁହେଁ ଗତ କିଛି ବର୍ଷ ହେଲା ଏହି ସବୁ ଅଂଚଳରେ ମାଓବାଦୀଙ୍କ ଉପସ୍ଥିତି ବିଭିନ୍ନ ସମୟରେ ଜାହିର କରି ଆସିଛନ୍ତି । ଦେଢଶୁଳୀ ଏବଂ ଲୁବେନଗଡ଼ ପଂଚାୟତର ବିଭିନ୍ନ ଗାଁ’ରେ ରାଜ୍ୟ ସରକାରଙ୍କ ବିକାଶ ଅପହଞ୍ଚ ଅଟେ । ସରକାରଙ୍କ ବିଭିନ୍ନ ଯୋଜନା ଆବାସ ଯୋଜନା, ସ୍ୱଚ୍ଛଭାରତ ମିଶନ, ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ବିଭିନ୍ନ ଭତ୍ତା, କୃଷି, ପଶୁପାଳନ, ଶିଶୁବିକାଶ, ସ୍ୱାସ୍ଥ୍ୟ ଯୋଜନା,ସଡ଼କ ଯୋଜନା, ସୌଭାଗ୍ୟ ଯୋଜନା ଭଳି ଅନେକ ଯୋଜନା ଏହି ମୁଲନିବାସୀ ମାନଙ୍କ ପାଇଁ ମରୀଚିକା ପାଲଟିଛି ।

ମଦନପୁର ରାମପୁର ବ୍ଲକ ମହକୁମା ଠାରୁ ୨୦ କିଲୋମିଟର ଦୂର ମାଣିକେରା ପଂଚାୟତ ଅଟେ । ମାଣିକେରା ପଞ୍ଚାୟତର ତାରିଣୀଛକ ଦେଇ ୮ କିଲୋମିଟର ପରେ ଦେଢଶୂଳୀ ପଂଚାୟତର କାଉପଦର ଗ୍ରାମ ପଡେ । ସେଠାରୁ ୨ କିଲୋମିଟର ପରେ ରହିଛି ଆଉ ଏକ ଆଦିବାସୀ ଗାଁ ବିରିପୋଡ଼ି । ବିରିପୋଡ଼ି ପରେ ଆଗକୁ ଯିବାକୁ ହେଲେ ପୁଣି ୨ କିଲୋମିଟର ଦୂର ରାକ୍ଷାସବନ୍ଧ। ଗାଁ କୁ ବାଇକ ଯୋଗେ ଯାଇହୁଏ । ରାକ୍ଷାସବନ୍ଧ ଏକ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ଏଠାରେ ମାତ୍ର ତିନୋଟି ପରିବାର ରହନ୍ତି । ପୂର୍ବରୁ ପ୍ରାୟ ୧୨ରୁ ୧୫ ପରିବାର ଥିବା ଏହି ଗାଁକୁ ଛାଡ଼ି ଅନ୍ୟମାନେ ଅନ୍ୟସବୁ ଇଲାକାକୁ ଯାଇ ବସତିସ୍ଥାପନ କରିଛନ୍ତି । ରାକ୍ଷାସବନ୍ଧରୁ ଆଗକୁ ପ୍ରାୟ ୩ କିଲୋମିଟର ପରେ ରହିଛି ଟୁଡ଼ାପଡ଼ା, ଯେଉଁ ସ୍ଥାନକୁ ଜଙ୍ଗଲୀରାସ୍ତା ଏବଂ ବଣ ପାହାଡ଼ ଦେଇ ପାଦରେ ଚାଲି ଚାଲି ହିଁ ଯିବାକୁ ପଡ଼ିଥାଏ । ଟୁଡ଼ାପଡା ଗାଁ ରେ ୨୦ ଟି ପରିବାର ବସବାସ କରନ୍ତି । ଗାଁକୁ ରାସ୍ତା ଏକ ମୁଖ୍ୟ ସମସ୍ୟା ହେଇଥିବାବେଳେ ପାନୀୟଜଳ ପାଇଁ ଏମାନେ ନାଳ ଉପରେ ନିର୍ଭର କରନ୍ତି । ଗାଁରେ ଗୋଟିଏ ନଳକୂପ ରହିଥିଲେ ବି ସେଠାକାର ପାଣି ପିଇବା ଉପଯୋଗୀ ନୁହେଁ ।

ଏହି ଗାଁର ଆରମ୍ଭରେ ଦୁଇଟି ନାଳର ସଂଗମସ୍ଥଳୀ ରହିଛି । ସେଠାରୁ ପ୍ରାୟ ୫ କିଲୋମିଟର ବଣପାହାଡ଼ୀ ରାସ୍ତାରେ ଗଲେ ପଡ଼େ ଅଉ ଏକ ଆଦିବାସୀ କୁର୍ତେଲ ଗାଁ । ୨୦ ପରିବାରର ଏହି ଗାଁରେ ରହନ୍ତି ପ୍ରାୟ ଏକଶହରୁ ଉର୍ଦ୍ଧ୍ୱ ଲୋକ । ତିନୋଟି ଛୋଟିଆ ଛୋଟିଆ ବସତିରେ ବିଭକ୍ତ ହୋଇ ରହୁଥିବା ଏହି ଗାଁରେ କିଛି ଛାତ୍ରଛାତ୍ରୀ ବାହାର ଆଶ୍ରମରେ ରହି ପାଠପଢୁଥିବାବେଳେ ଅନ୍ୟମାନେ ଏବେ ପାଠ ପଢାରେ ଡୋରି ବାନ୍ଧି ଘରେ ରହିଛନ୍ତି । ସ୍ୱାସ୍ଥ୍ୟ ଏବଂ ଜରୁରୀକାଳୀନ ସେବା ପାଇଁ ଏମାନେ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବାକୁ ହେଲେ ରାକ୍ଷାସବନ୍ଧ ପର୍ଯ୍ୟନ୍ତ ରୋଗୀଙ୍କୁ ଦୋଳାରେ ବୋହି ଆଣିଥାନ୍ତି ଏବଂ ପରେ ସେଠାରୁ ମେଡ଼ିକାଲକୁ ବାଇକ, ଚାରିଚକିଆ ସହାୟତାରେ ନେଇଥାନ୍ତି । ଅନେକ ସମୟରେ ନାଳର କ୍ଷୀପ୍ର ସ୍ରୋତ ଯୋଗୁଁ ବର୍ଷା ଦିନରେ ଜୀବନହାନୀ ମଧ୍ୟ ଘଟିଥାଏ । କୁର୍ତେଲରୁ ପ୍ରାୟ ଦୁଇ କିଲୋମିଟର ଜଙ୍ଗଲ ଭିତରେ ଗଲେ ପାହାଡ଼ ଶିଖରେ ରହିଛି ପୋଇଝିରି ଗାଁ । ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଯୋଉଠି ପ୍ରାୟ ୨୫ ଛାତ୍ରଛାତ୍ରୀ ରହିଛନ୍ତି । ଦୁଇଜଣ ଶିକ୍ଷକଙ୍କୁ ନେଇ ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ରହିଛି ଏହି ବିଦ୍ୟାଳୟ । ଗାଁରେ ପ୍ରାକ୍ ପ୍ରାଥମିକ ଶିକ୍ଷାବ୍ୟବସ୍ଥା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବାବେଳେ ସେଠାରୁ ସବୁବେଳେ ସେବା ପାଇ ପାରୁନଥିବା କହିଛନ୍ତି କିଛି ଗ୍ରାମବାସୀ।

୨୧ ପରିବାରର ପ୍ରାୟ ଏକଶହ ପଚାଶ ଜନସଂଖ୍ୟାର ଏହି ଗାଁରେ ସୋଲାରରେ ବିଦ୍ୟୁତ ବ୍ୟବସ୍ଥା ହେଇଛି ସିନା ସକାଳ ପାଇଲେ ଏମାନେ ପାଣିଟୋପେ ପାଇଁ ଗାଁ ପାଖରେ ଯାଇଥିବା ନାଳ ଉପରେ ନିର୍ଭର କରନ୍ତି । ଗାଁରେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଏମାନେ ପ୍ରାୟ ଆଠ କିଲୋମିଟର ଗଣ୍ଡିଗୁଡ଼ାକୁ ଯାଇ ସେଠାରୁ ଶାଙ୍କୁସ ରାସ୍ତା ଦେଇ ଉର୍ଲାଦାନୀକୁ ଯାଇଥାନ୍ତି । ତାହାପୁଣି ବର୍ଷା ଚାରିମାସ ଶାଙ୍କୁସ ନଦୀରେ ପାଣି ଆସିଥାଏ,ସେହି ରାସ୍ତାରେ ବି ଏମାନଙ୍କୁ ଉର୍ଲଦାନୀ ଯିବା କାଠିକାର ପାଠ ହେଇପଡ଼େ । ପୂର୍ବରୁ ଏହି ଗାଁଟି ଉର୍ଲଦାନୀ ପଂଚାୟତରେ ରହିଥିବାବେଳେ ଏବେ ନୂତନ ପଂଚାୟତ ଲୁବେନଗଡ଼ରେ ରହିଛି। ରାସନ ସାମଗ୍ରୀ ପାଇଁ ଏମାନେ ଉର୍ଲଦାନୀକୁ ଯାଇଥାନ୍ତି । ବର୍ଷ ବର୍ଷ ଧରି ରାସ୍ତାଟିଏ ପାଇଁ ଅଞ୍ଚଳବାସୀ ରାଜନେତା ଠାରୁ ପ୍ରଶାସନ ପର୍ଯ୍ୟନ୍ତ ଯେତେ ନେହୁରା ହେଲେ ମଧ୍ୟ ସେମାନଙ୍କ ଦାବୀକୁ ଅଣଦେଖା କରାଯାଏ । ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ୮ଟି ପଞ୍ଚାୟତର ଏଭଳି ବିଭିନ୍ନ ଗାଁରେ ବିକାଶ ଅପହଞ୍ଚର ଚିତ୍ର ଲୋକଙ୍କ ଦେହ ସୁହା ହୋଇଯାଇଛି । କେବେ ସରକାର ସେମାନଙ୍କୁ ରାସ୍ତା ଦେବେ ଓ ସରକାରଙ୍କ ଯୋଜନା ଠିକ ଭାବରେ ଏହି ଗାଁ ମାନଙ୍କରେ ପହଞ୍ଚି ପାରିବ ଲୋକେ ଚାତକ ପରି ଅନାଇ ବସିଛନ୍ତି । ଅପହଞ୍ଚ ଇଲାକାରେ କେବେ ସୂର୍ଯ୍ୟୋଦୟ ହେବ ଏବଂ ସେମାନଙ୍କ ଦୁଃଖ ଦୂରେଇ ଯିବ ସେମାନଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି।

ସମ୍ବନ୍ଧିତ ଖବର