ଉଦଳା : ଗାଁ ଅଛି, ହେଲେ ରାସ୍ତା ନାହିଁ। ବାଟ ଓଗାଳିଛି ନଦୀ। ପୋଲ ପାଇଁ ଗାଁ ଲୋକେ ବାରମ୍ବାର ଦାବି କରି ନିରାଶ ହୋଇଛନ୍ତି। ଏଭଳି ପରିସ୍ଥିତିରେ ପ୍ରସବ ବେଦନା ପାଉଥିବା ଜଣେ ମହିଳା ଆଜି ନିଜ ଜୀବନକୁ ବାଜି ଲଗାଇ ଚାଲି ଚାଲି ଭରାନଈ ପାର୍ ହୋଇ ଡାକ୍ତରଖାନା ଯାଇଛନ୍ତି।
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ର ଏହି ଅଭିଶପ୍ତ ଗାଁ ହେଉଛି ‘ବାଲମା’। ଗାଁକୁ ଯିବା ପାଇଁ ହେଲେ ସଞ୍ଜନଦୀ ପାର୍ ହେବାକୁ ପଡ଼େ। ଜରୁରୀକାଳୀନ ସେବା ଏଠାରେ ଅପହଞ୍ଚ। ଗାଁ ଲୋକେ ଏ ସମସ୍ୟା ବାବଦରେ ବାରମ୍ବାର ପ୍ରଶାସନ ତଥା ଜନପ୍ରତିନିଧିଙ୍କ ନିକଟରେ ଜଣାଇବା ସହ ପୋଲ ନିର୍ମାଣ ପାଇଁ ଅନେକ ଥର ଗୁହାରି କରିଛନ୍ତି। ହେଲେ କେହି କିଛି ଶୁଣିନାହାନ୍ତି। ଏମିତିକି ଗତ ନିର୍ବାଚନ ସମୟରେ ଭୋଟ୍ ଦେବେନାହିଁ ବୋଲି ଗାଁ ଲୋକେ ଚେତାବନୀ ମଧ୍ୟ ଦେଇଥିଲେ। ଯଦିଓ ସେ ସମୟରେ ପ୍ରତିଶ୍ରୁତି ମିଳିଥିଲା, କିନ୍ତୁ ପରେ ଶୂନ୍ୟରେ ମିଳେଇଗଲା। ଏପରି ସମୟରେ ଆଜି ଏକ ମର୍ମସ୍ପର୍ଶୀ ଚିତ୍ର ସାମ୍ନାକୁ ଆସିଛି।
/sambad/media/post_attachments/wp-content/uploads/2020/08/udala_2.jpg)
ଗାଁର ସୁକାନ୍ତି ହେମ୍ବ୍ରମ ଗର୍ଭବତୀ ଅଛନ୍ତି। ଆଜି ମଧ୍ୟାହ୍ନରେ ସେ ପ୍ରସବ ବେଦନା ଅନୁଭବ କରିବା ପରେ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଜନନୀ ଏକ୍ସପ୍ରେସ୍କୁ ଫୋନ୍ କରିଥିଲେ। ଖବର ପାଇ ଜନନୀ ଏକ୍ସପ୍ରେସ୍ ଆସିଥିଲା। ହେଲେ ଗାଁକୁ ରାସ୍ତା ନ ଥିବାରୁ ନଦୀ ଆରପାଖରେ ଛିଡ଼ା ହୋଇ ରହିଥିଲା। ପରିବାର ଲୋକ ସୁକାନ୍ତିଙ୍କୁ ସାଇକେଲ୍ରେ ୨ କିଲୋମିଟର ଦୂର ନଦୀ ପାଖକୁ ଆଣିଥିଲେ। ପରିବାର ଲୋକଙ୍କ ସହାୟତାରେ ସୁକାନ୍ତି ଉଛୁଳା ପାଣି ଭିତରେ ପଶି ବିପଦସଂକୁଳ ଅବସ୍ଥାରେ ନଦୀ ପାର ହୋଇଥିଲେ। ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ବର୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।
ଉଲ୍ଲେଖଥାଉକି, ଚଳିତ ମାସ ୩ ତାରିଖରେ ମଧ୍ୟ ଗାଁରେ ସମାନ ସ୍ଥିତି ଉପୁଜିଥିଲା। ଗାଁର ଜଣେ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଯିବା ପାଇଁ ଭରାନଦୀ ପାର୍ ହେବାକୁ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Pregnent-Women-Goes-to-Hospital-By-Crossing-River_Thumbnail.jpg)