ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ୧୮ନଂ ଜାତୀୟ ରାଜପଥର ବୈଶିଙ୍ଗାରୁ ମାଣତ୍ରୀକୁ ସଂଯୋଗ କରୁଥିବା ରାସ୍ତାର ବୈଶିଙ୍ଗା ଠାରୁ ଆରମ୍ଭ କରି କେନ୍ଦୁଆ ତାରିଣୀ ଛକ ନିକଟସ୍ଥ ଚଟାଣ ପର୍ଯ୍ୟନ୍ତ ୫୦୦ମିଟର ରାସ୍ତାରେ ଏକାଧିକ ନାଳ, ଗର୍ତ୍ତ ଓ ଖାଲଖମା ସୃଷ୍ଟି ହୋଇ ଅବସ୍ଥା ଶୋଚନୀୟ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଧର୍ମକୁ ଆଖିଠାର ଭଳିଆ ଚଟାଣ ନିକଟରେ ଗୋଟେ ଦୁଇଟି ଗାତକୁ ପୋତି ଦେଇ ବାଃ ବାଃ ନେବାକୁ ଚାହୁଁଥିବା ପୂର୍ତ୍ତ ବିଭାଗ କିନ୍ତୁ ବୈଶିଙ୍ଗା ବଜାର ପାଖରେ ଏକାଧିକ ବଡ ବଡ ଖାଲଖମାକୁ ସେମିତି ଖୋଲା ଛାଡି ଦେଇଥିବାରୁ ସେହିରାସ୍ତାରେ ଯାଉଥିବା ହଜାର ହଜାର ଲୋକ କିନ୍ତୁ ମରଣଯନ୍ତା ଭୋଗୁଛନ୍ତି।
ବେତନଟୀ ବ୍ଲକ ଅଧୀନ ୧୮ନଂ ଜାତୀୟ ରାଜପଥର ବୈଶିଙ୍ଗାରୁ ମାଣତ୍ରୀକୁ ସଂଯୋଗ କରୁଥିବା ରାସ୍ତାର ବୈଶିଙ୍ଗା ଠାରୁ ଆରମ୍ଭ କରି କେନ୍ଦୁଆ ତାରିଣୀ ଛକ ନିକଟସ୍ଥ ଚଟାଣ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ। ଅନ୍ୟ ପଟେ ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ରାସ୍ତାର ପ୍ରଶସ୍ତୀକରଣ କାମ ଚାଲୁଥିଲେ ବି ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ କୋଉଠି ଆଣ୍ଠୁଏ ଖାଲ ହୋଇଗଲାଣି ତ ଆଉ କଉଠି ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହେବାଯୋଗୁଁ ଦୈନନ୍ଦିନ ଘଟୁଛି ଦୁର୍ଘଟଣା ଓ ସାଧାରଣ ଜନତା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ ୨୨ କୋଟି ୫୯ ଲକ୍ଷ ୭୦ ହଜାର ୧୪୪ ଟଙ୍କା ସରକାରୀ ଅନୁଦାନରେ ପୂର୍ତ୍ତ ବିଭାଗ ଅଧୀନ ଠାକୁରମୁଣ୍ଡା-ରୂପ୍ସା ଏମ୍ଡିଆର୍-୭୦ ରାସ୍ତାର ସମ୍ପ୍ରସାରଣ କାମ ଚାଲିଛି। ହେଲେ ଠିକାଦାରଙ୍କ ବେପରୁଆ ମନଭାବ ଯୋଗୁଁ କାର୍ଯ୍ୟ ଆରମ୍ଭରୁ ଉକ୍ତ ରାସ୍ତା ବିଭିନ୍ନ ଅନିୟମିତତା ନେଇ ବିବାଦ ଘେରରେ ରହି ଆସିଥିଲେ ବି ଦିନେ ହେଲେ ବିଭାଗୀୟ ଅଧିକାରୀଙ୍କ ତଦାରଖ କରିବାକୁ ଆସୁନାହାନ୍ତି। ହେଲେ ଦୀର୍ଘଦିନ ଧରି ଜାତୀୟରାଜପଥର ବୈଶିଙ୍ଗା ଛକ ନିକଟରୁ ବାହାରି ମାଣତ୍ରୀ ପଟକୁ ଯାଉଥିବା ଉକ୍ତ ରାସ୍ତାରେ ୫୦୦ମିଟର ରାସ୍ତାର ଅବସ୍ଥା ସାଂଘାତିକ। ବୈଶିଙ୍ଗା ବଜାର ଭିତରେ ରାସ୍ତା ମଝିରେ ନାଳ ସୃଷ୍ଟି ହୋଇଯାଇଥିବାବେଳେ ଏକାଧିକ ସ୍ଥାନରେ ଖାଲଖମାରେ ଭର୍ତ୍ତି ହୋଇଯାଇଛି।
ସେହିପରି ଉକ୍ତ ରାସ୍ତାର କେନ୍ଦୁଆ ତାରିଣୀ ମନ୍ଦିର ଛକ ନିକଟରେ ଏକ ନାଳ ସମେତ ବିରାଟକାୟ ଗର୍ତ୍ତ ଦେଖିବାକୁ ମିଳିଥିଲା। ପରେ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ଚଟାଣ ନିକଟସ୍ଥ ଉକ୍ତ ଗର୍ତ୍ତଳୁ ମେଟାଲ ଓ ଡଷ୍ଟ ପକେଇ ବନ୍ଦ କରିଦିଆଯାଇଥିଲା। ହେଲେ ବୈଶିଙ୍ଗା ବଜାର ନିକଟସ୍ଥ ଡାକ୍ତରଖାନା ରାସ୍ତା ପାଖରେ ଏକାଧିକ ବିରାଟ ବିରାଟ ଖାଲଖମାକୁ ସେମିତି ଛାଡ଼ି ଦିଆଯାଇଛି। ଏହା ବୈଶିଙ୍ଗା ଡାକ୍ତରଖାନାକୁ ଯିବାପାଇଁ ମୁଖ୍ୟ ରାସ୍ତା ତଥା ସ୍କୁଲ କଲେଜକୁ ଯିବା ପାଇଁ ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ମୁଖ୍ୟରାସ୍ତା ଉପରେ ପ୍ରତ୍ୟେକ ସମୟରେ ଜନଗହଳି ସହ ହଜାର ହଜାର ଯାନବାହନ ଚଳାଚଳ କରୁଛି। ଯୋଉଁଥିପାଇଁ ଏହି ରାସ୍ତାର ଶୋଚନୀୟତାକୁ ନେଇ ସ୍ଥାନୀୟ ବ୍ୟବସାୟୀ ଓ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି। ତତସହିତ ଉକ୍ତ ସ୍ଥାନରେ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟିବା ସମେତ ଅଧିକାଂଶ ସମୟରେ ରାସ୍ତା ଜାମ ମଧ୍ୟ ରହୁଛି।ତେବେ ଗାତ ଗୁଡ଼ିକୁ ଏପରି ଛାଡିବା ପଛରେ ଠିକାଦାରଙ୍କ ବେପରୁଆ ମନଭାଭାବ ଥିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କେବଳ ସେତିକି ନୁହେଁ, ଜିଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।